ଭୁବନେଶ୍ୱର, ଡିସେମ୍ବର ୧ (ଲୋକାଲ ୱାୟାର): ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ମଙ୍ଗଳବାର ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର ଏକ କାଫେଟାରିଆ ଲୋକାର୍ପିତ ହୋଇଯାଇଛି ।
ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତପ୍ରକାଶ ପାଣିଗ୍ରାହୀ ଏହାକୁ ଉଦଘାଟନ କରିଥିଲେ । ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ପର୍ଯ୍ୟଟନ ସଚିବ ବିଶାଲ କୁମାର ଦେବ, ଓଟିଡିସି ପରିଚାଳନା ନିର୍ଦ୍ଦେଶକ ସଚ୍ଚିନ୍ ଆର୍ ଯାଦବ ପ୍ରମୁଖ ଉଦଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ଓଟିଡିସି ଦ୍ୱାରା ପରିଚାଳିତ ଏହି କାଫେଟାରିଆ ନାଁ ରହିଛି, ‘ଚନ୍ଦ୍ରଭାଗା ବିଚ୍ କାଫେ’ । ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ଆଦୃତି ଲାଭ କରିବ ବୋଲି ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର ଆଶାବ୍ୟକ୍ତ କରିଛନ୍ତି ।
ପୂର୍ବରୁ ଗତ ମାସରେ ପୁରୀ ବ୍ଲୁ ଫ୍ଲାଗ୍ ବିଚରେ ଏକ କାଫେଟାରିଆ(ଦି ହ୍ୱାଇଟ୍ କ୍ରାବ୍) ଲୋକାର୍ପିତ ହୋଇଥିଲା । ଯାହାକି ପ୍ରଥମ ୩୦ଦିନ ମଧ୍ୟରେ ସାଢ଼େ ୩ଲକ୍ଷ ଟଙ୍କାରୁ ଅଧିକ ବ୍ୟବସାୟ କରିଛି । ଚନ୍ଦ୍ରଭାଗାରେ ମଧ୍ୟ ସେହି ସଫଳତା ମିଳିବ ଏବଂ ଭଲ ବ୍ୟବସାୟ ହେବ ।
ଏହି ସୁବିଧା ଯୋଗାଇ ଦେଇଥିବାରୁ ଜିଲ୍ଲା ପ୍ରଶାସନକୁ ଓଟିଡିସି ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଏହି କାଫେଟାରିଆ ସମ୍ପର୍କରେ ଓଟିଡିସି ପରିଚାଳନା ନିର୍ଦ୍ଦେଶକ ସଚ୍ଚିନ ଆର୍ ଯାଦବ କହିଥିଲେ, ଚନ୍ଦ୍ରଭାଗା ବିଚ୍ କାଫେରେ ପର୍ଯ୍ୟଟକମାନେ ନିଜର ପସନ୍ଦ ମୁତାବକ ଖାଦ୍ୟର ବରାଦ ଦେଇପାରିବେ ।
ସମ୍ପୂର୍ଣ୍ଣ ନିଆରା ଢଙ୍ଗରେ ଅଭିଜ୍ଞ ରୋଷେୟାମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସୁସ୍ୱାଦୁ ସାମୁଦ୍ରିକ ଖାଦ୍ୟ ପ୍ରସ୍ତୁତ କରାଯାଇ ପର୍ଯ୍ୟଟକମାନଙ୍କୁ ପରିବେଷଣ କରାଯିବ ।
ବାଲିପ୍ରନ୍, କ୍ରାଫ୍ଟଚିଲ୍ଲି, ଫିସଫିଙ୍ଗର୍, ଗୋଲ୍ଡେନ୍ ଫ୍ରାଏଡ୍ ପ୍ରନ୍, ବେବିକର୍ଣ୍ଣ, ସାଣ୍ଡିୱିଚ୍, ଚିକେନପକୋଡ଼ା, ହୁକାନୁଡଲ୍ସ, ପନିରପକୋଡ଼ା, ଭେଜପକୋଡ଼ା ସହିତ ଆଇସକ୍ରିମ୍ ମିନେରାଲ୍ ୱାଟର୍, ଚା’ ଓ କଫି ସୁଲଭ ମୂଲ୍ୟରେ ଏହି କାଫେଟାରିଆରେ ମିଳିବ । ଆଜିର ଏହି ଲୋକାର୍ପଣ ଉତ୍ସବରେ ଓଟିଡିସିର ବରିଷ୍ଠ ଅଫିସରବୃନ୍ଦ ଓ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।
ଲୋକାଲ ୱାୟାର
Leave a Reply