ଭୁବନେଶ୍ୱର, ନଭେମ୍ବର ୨୪(ଲୋକାଲ ୱାୟାର): କୋଭିଡ-୧୯ ଲକଡାଉନ ଯୋଗୁ ରାଜ୍ୟବ୍ୟାପୀ ମନ୍ଦିର ସେବାୟତ ଓ ପୂଜକମାନଙ୍କ ପେଟପାଟଣା ବିିପନ୍ନ ହୋଇପଡ଼ିଥିବାରୁ ଚବିଶ ଘଣ୍ଟା ମଧ୍ୟରେ ସେମାନଙ୍କ ଜୀବନଜୀବିକା ପାଇଁ ମନ୍ଦିର ଖୋଲିବାକୁ ନିଦେ୍ର୍ଦଶ ଦେବାକୁ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମଙ୍ଗଳବାର ବିଧାନସଭାରେ ବାଚସ୍ପତିଙ୍କ ନିକଟରେ ଦାବି ରଖିଛନ୍ତି ।
ତାରା ଗୃହରେ ହାତଯୋଡ଼ିି ବାଚସ୍ପତିଙ୍କୁ କହିଥିଲେ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସହିତ ରାଜ୍ୟବ୍ୟାପୀ ସମସ୍ତ ମନ୍ଦିର ଖୋଲିବାକୁ ନିଦେ୍ର୍ଦଶ ଦେବାକୁ ଅନୁରୋଧ କରିଥିଲେ ।
ଏଥିସହ ଏହି ପ୍ରସଙ୍ଗରେ ବାଚସ୍ପତି ରୁଲିଂ ଦେବାକୁ ସେ ଦାବି କରିଥିଲେ । ସେହିପରି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ କହିଥିଲେ, ଯଦି ମହାରାଷ୍ଟ୍ର ଏବଂ ଅନ୍ୟ କେତେକ ରାଜ୍ୟରେ ମନ୍ଦିର ଖୋଲା ଯାଇପାରୁଛି ତେବେ ଆମ ରାଜ୍ୟରେ କାହିଁକି ଖୋଲାଯିବ ନାହିଁ ।
ଉଲ୍ଲେଖଯୋଗ୍ୟ, ଆସନ୍ତା ୨୭ ତାରିଖରେ ମହାପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଥିବାରୁ ତାହା ପୂର୍ବରୁ ମନ୍ଦିର ଖୋଲିବାକୁ ଅନୁମତି ଦିଆଯାଇପାରେ ବୋଲି ସେବାୟତମାନେ ଆଶା କରିଛନ୍ତି ।
ରାଜ୍ୟବ୍ୟାପୀ ସେବାୟତମାନେ ମନ୍ଦିର ଖୋଲିବା ଦାବିରେ ପ୍ରତିଦିନ ଘଣ୍ଟମାଡ଼ କରି ନିଜ ପ୍ରତିବାଦ ଜଣାଉଛନ୍ତି ।
ତେବେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଗତ ୧୭ ତାରିଖରେ କହିଥିଲେ, କୋଭିଡ-୧୯ ପରିସ୍ଥିତିକୁ ଅନୁଧ୍ୟାନ କରି ରାଜ୍ୟ ସରକାର ମନ୍ଦିର ଖୋଲିବା ନିଷ୍ପତ୍ତି ନେବେ ।
ଲୋକାଲ ୱାୟାର
Leave a Reply