ଭୁବନେଶ୍ୱର, ଅଗଷ୍ଟ ୯ (ଲୋକାଲ ୱାୟାର) : ରାଜ୍ୟରେ ଚାଷୀଙ୍କୁ ସରକାରୀ ୟୁରିଆ ସାର ମିଳୁନଥିବା ବେଳେ ଏହାର ବ୍ୟାପକ ମାତ୍ରାରେ କଳା ବଜାରୀ ଚାଲିଛି ବୋଲି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ଶନିବାର କହିଛନ୍ତି ।
ୟୁରିଆ ସାରର ସରକାରୀ ଦର ୨୬୬ ଟଙ୍କା ୫୦ ପଇସା ହୋଇଥିବା ବେଳେ ଅସାଧୁ ବେପାରୀମାନେ ୟୁରିଆ ବସ୍ତା ପ୍ରତି ୪୫୦ ଟଙ୍କାରୁ ୫ ଶହ ଟଙ୍କା ପର୍ଯ୍ୟନ୍ତ ଚାଷୀମାନଙ୍କୁ କଳା ବଜାରୀରେ ବିକ୍ରି କରୁଛନ୍ତି ।
କୃଷି ବିଭାଗର ଅଧିକାରୀ ଓ ଅସାଧୁ ବେପାରୀମାନଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଚାଷୀ ହଇରାଣ ହେଉଛନ୍ତି ।
ଲୋକ ଦେଖାଣିଆ ଭାବେ କୃଷି ଅଧିକାରୀ ମାନେ ନାମକୁ ମାତ୍ର କେତେକ ବ୍ୟାବସାୟୀଙ୍କ ଗୋଦାମ ଘର ଯାଞ୍ଚ ଚଳାଇଛନ୍ତି ।
ପ୍ରତି ୟୁରିଆ ବସ୍ତାରେ ୪୫ କେଜି ସାର ରହୁଥିବା ବେଳେ ଏବେ ବଜାରରେ ୪୨ କେଜି ଭର୍ତ୍ତି ୟୁରିଆ ସାର ବିକ୍ରି ହେଉଛି ।
କରୋନା ସମୟରେ ଚାଷୀ ବସ୍ତା ପ୍ରତି ୩ କେଜି କମ୍ ପାଉଥିବା ବେଳେ ୨ ଶହରୁ ଅଧିକ ଟଙ୍କା ଦେଇ ସର୍ବଶାନ୍ତ ହେଉଛି । ସାର କିଣାବିକାରେ ଚାଷୀଙ୍କ ଠାରୁ କୋଟି ଟଙ୍କା ଲୁଟ ହେଉଛି ।
ଉପଯୁକ୍ତ ମୂଲ୍ୟ ରେ ଚାଷୀକୁ ସାର ଯୋଗାଇ ଦେବା ରାଜ୍ୟ ସରକାରଙ୍କ ଦାୟିତ୍ବ ଥିବା ବେଳେ ରାଜ୍ୟ ସରକାର ସାର କଳା ବଜାରୀମାନଙ୍କୁ ସୁରକ୍ଷା ଦେଇ ଚାଲିଛନ୍ତି ବୋଲି ଶ୍ରୀ ପୁରୋହିତ କହିଛନ୍ତି ।
ଏନେଇ ଟେଲିଫୋନ ଯୋଗେ ସେ କୃଷି ବିଭାଗ ଶାସନ ସଚିବ ଡା. ସୌରଭ ଗର୍ଗଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସୂଚନା ଦେଇଛନ୍ତି ।
ଲୋକାଲ ୱାୟାର
Leave a Reply