ଭୁବନେଶ୍ୱର, ଜାନୁଆରୀ ୧୮(ଲୋକାଲ ୱାୟାର): ରାଜ୍ୟରେ ଶାସକ ବିଜେଡି ଚାଷୀଙ୍କୁ ଶୋଷଣ କରି ମିଲରମାନଙ୍କ ପାଇଁ ଓକିଲାତି କରୁଛି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ସୋମବାର ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।
ସେ କହିଛନ୍ତି, ବିଜେଡିର ୩ ଜଣ ବିଧାୟକ ଚାଷୀଙ୍କ ସମସ୍ୟାକୁ ନେଇ କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
ବିଜେଡି ବିଧାୟକମାନେ ସଠିକ୍ ତଥ୍ୟ ନଜାଣି କେବଳ ରାଜ୍ୟବାସୀଙ୍କୁ ମିଥ୍ୟା କହି ଭ୍ରମିତ କରିଛନ୍ତି ।
ବିଜେଡି ନେତାମାନେ ଧାନ ବିଷୟରେ ନକହି ଚାଉଳ ବିଷୟରେ କହୁଛନ୍ତି । ଚାଷୀ ଧାନ ବିକ୍ରି କରେ ଆଉ ମିଲର ଚାଉଳ ବିକ୍ରି କରନ୍ତି ।
ରାଜ୍ୟ ବିଜେପି ଓଡ଼ିଶାରେ ୬ଟି ବିଶାଳ ଚାଷୀ ସମାବେଶ ଏବଂ ୧୮୦୦ ମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସମସ୍ୟାରେ ଭାଗିଦାରୀ ହୋଇଛି ।
କେନ୍ଦ୍ର ସରକାର କୃଷକର ଉନ୍ନତି ପାଇଁ ବିଶେଷକରି ଚାଷୀର ଆୟକୁ ଦ୍ୱିଗୁଣ କରିବା ପାଇଁ ଅନେକ ପଦକ୍ଷେପ ନେଉଥିବା ବେଳେ ରାଜ୍ୟସରକାରଙ୍କର ଆନ୍ତରିକତାର ଅଭାବ ଏବଂ ଅସହଯୋଗ କାରଣରୁ ଓଡ଼ିଆ ଚାଷୀ କେନ୍ଦ୍ରୀୟ ଯୋଜନାରୁ ବଂଚିତ ହେଉଛି ।
କେନ୍ଦ୍ର ସରକାର ଧାନର ଏମଏସପି ୧୮୬୮ଟଙ୍କା ଦେଉଥିବା ସ୍ଥଳେ ମଣ୍ଡିରେ ୩କେଜିରୁ ୮କେଜି ପର୍ଯ୍ୟନ୍ତ କଟନି ଛଟନି ହେଉଥିବାରୁ ଚାଷୀ ପ୍ରକୃତମୂଲ୍ୟ ପାଇପାରୁନାହିଁ ।
ଧାନ ଅଖା ପାଇଁ କେନ୍ଦ୍ର ଟଙ୍କା ଦେଉଥିଲେ ମଧ୍ୟ ଚାଷୀଙ୍କୁ ଅଖାର ଟଙ୍କା ଦିଆଯାଉନାହିଁ ।
ଏବର୍ଷ ଧାନକିଣା ପାଇଁ କେନ୍ଦ୍ର ସରକାର ୧୮ହଜାର କୋଟିରୁ ଉଦ୍ଧ୍ୱର୍ ଟଙ୍କା ଦେଉଥିଲେ ମଧ୍ୟ ଓଡ଼ିଶାରେ ଅଦ୍ୟାବଧି ଅର୍ଦ୍ଧାଧିକ ଜିଲ୍ଲାରେ ଧାନମଣ୍ଡି ଖୋଲିନାହିଁ ।
ଡିସେମ୍ବର ୧ରୁ ସମସ୍ତ ମଣ୍ଡି ଖୋଲିବା ନେଇ ରାଜ୍ୟସରକାର ଘୋଷଣା କରିଥିଲେ ।
କିନ୍ତୁ ମଣ୍ଡି କେବେ ଖୋଲି ବନ୍ଦ ହୋଇଗଲା ଚାଷୀ ତାହା ଜାଣିପାରିଲେ ନାହିଁ ବୋଲି ଡ.ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
ଲୋକାଲ ୱାୟାର
Leave a Reply