ପାରାଦୀପ, ନଭେମ୍ବର ୨୮ (ଲୋକାଲ ୱାୟାର): ଜଗତସିଂହପୁର ଜିଲ୍ଲାର ଚାରିଟି ବ୍ଲକରେ ଟିକାକରଣ କଭରେଜର ପ୍ରତିଶତ କମ ଥିବାରୁ ଡାଟାବେସ ପ୍ରସ୍ତୁତ କରିବାକୁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି ।
ସଫଳତାର ସହ କରୋନା ଟୀକା ବଂଟନ ପାଇଁ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।
ଠିକ ସମୟରେ ଟୀକା ବଣ୍ଟନ, ଟୀକାକରଣ ଓ ହିତାଧିକାରୀଙ୍କ ଡାଟାବେସ ପ୍ରସ୍ତୁତି ପାଇଁ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ମଧ୍ୟ ଗଠିତ ହୋଇଛି ।
ଜିଲ୍ଲାର ୮ ବ୍ଲକ ଓ ୨ ମ୍ୟୁନିସିପାଲିଟି ମଧ୍ୟରୁ ବାଲିକୁଦା, ଏରସମା, ବିରିଡି ଓ ନାଉଗାଁ ବ୍ଲକରେ ଟିକାକରଣ କଭରେଜର ପ୍ରତିଶତ କମ ଥିବା ପ୍ରସ୍ତୁତି ବୈଠକରେ ପରିଲକ୍ଷିତ ହୋଇଥିଲା ।
ଏହି ଚାରିଟି ବ୍ଲକରେ ଟିକାକରଣ କଭରେଜ ବୃଦ୍ଧି ପାଇଁ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ କର୍ମଚାରୀ ଓ ବେସରକାରୀ ସ୍ୱାସ୍ଥ୍ୟ ସଂଗଠନ କର୍ମଚାରୀଙ୍କୁ କରୋନା ଟୀକା ମିଳିବ ।
ନଭେମ୍ବର ୨୦ରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଭିଯାନ ଫେବ୍ରୁଆରୀ, ୨୦୨୧ ଯାଏଁ ଚାଲିବ ।
ସ୍ୱାସ୍ଥ୍ୟ ଓ ଅନ୍ୟ ଅଧିକାରୀଙ୍କ ସହଯୋଗ କ୍ରମେ ଏକ ବର୍ଷରୁ କମ ବୟସର ପିଲାଙ୍କୁ ଟୀକା ଦେବା ସମ୍ପର୍କରେ ସଚେତନତା ସୃଷ୍ଟି କରିବେ ।
ଖୁବଶୀଘ୍ର ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହେବ ଓ କୌଣସି ତତ୍କାଳୀନ ପରିସ୍ଥିତି ମୁକାବିଲାର ଅଭ୍ୟାସ କରାଯିବ ।
କୋଭିଡ-୧୯ ଟୀକା ବଣ୍ଟନ ଓ ଜିଲ୍ଲାରେ ଟିକାକରଣ ସଫଳତାର ସହ କରାଇବାକୁ ଟାସ୍କ ଫୋର୍ସ ଗଠନ ହୋଇଛି ବୋଲି ଜିଲ୍ଲାପାଳ ମିଶ୍ର କହିଛନ୍ତି ।
ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବିଜୟ ପଣ୍ଡା, ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଓ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଭାଗ ନେଇଥିଲେ ।
ଲୋକାଲ ୱାୟାର
Leave a Reply