ଭୁବନେଶ୍ୱର, ଫେବ୍ରୁଆରୀ ୨(ଲୋକାଲ ୱାୟାର): ଓଡ଼ିଆ କଥାସାହିତ୍ୟର ଟ୍ରେଣ୍ଡ୍ ସେଟର୍ ଜଗଦୀଶ ମହାନ୍ତିଙ୍କ ସ୍ମୃତିରେ ଗଠିତ ‘ଜଗଦୀଶ ମହାନ୍ତି ଟ୍ରଷ୍ଟ୍’ ତରଫରୁ ଚଳିତ ବର୍ଷର ସମ୍ମାନଜନକ ‘ଜଗଦୀଶ କଥା ସମ୍ମାନ’ ଘୋଷଣା କରାଯାଇଛି ।
ଏହି ପୁରସ୍କାର ପାଇଁ ଏଥର ପ୍ରସିଦ୍ଧ କଥାକାର ଅଜୟ ସ୍ୱାଇଁ ମନୋନୀତ ହୋଇଛନ୍ତି ।
ସେହିପରି ଯୁବଗାଳ୍ପିକମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଦାନ କରାଯାଉଥିବା ‘ଜଗଦୀଶ ଯୁବ ସମ୍ମାନ’ ପାଇଁ ଚଳିତବର୍ଷ ଯୋଗ୍ୟ ବିବେଚିତ ହୋଇଛନ୍ତି ଗାଳ୍ପିକ ରାଜେନ୍ଦ୍ର କୁମାର ରାଉଳ ।
୨୦୧୪ରୁ ପ୍ରଦାନ କରାଯାଇଆସୁଥିବା ଜଗଦୀଶ କଥା ସମ୍ମାନ ପୂର୍ବରୁ ପ୍ରକାଶ ମହାପାତ୍ର, ସଦାନନ୍ଦ ତ୍ରିପାଠୀ ଏବଂ ରଜନୀକାନ୍ତ ମହାନ୍ତି, ଶ୍ୟାମାପ୍ରସାଦ ଚୌଧୁରୀ, ପରେଶ ପଟ୍ଟନାୟକଙ୍କ ପରି ଖ୍ୟାତନାମା କଥାକାରମାନେ ପାଇଥିବା ବେଳେ ଜଗଦୀଶ ଯୁବ ସମ୍ମାନ ପାଇଛନ୍ତି ଅମରେଶ ବିଶ୍ୱାଳ, ସ୍ୱାଗତିକା ସ୍ୱାଇଁ, ନେତାଜୀ ଅଭିନନ୍ଦନ ଏବଂ ବିରଜା ରାଉତରାୟ ।
ଆଗାମୀ ୧୭ ଫେବୃଆରୀରେ ଭୁବନେଶ୍ୱରର ହୋଟେଲ୍ କେଶରୀଠାରେ ଆୟୋଜିତ ହେବାକୁଥିବା ‘ଜଗଦୀଶ ଜୟନ୍ତୀ’ ଉତ୍ସବରେ ନିମନ୍ତ୍ରିତ ବିଶିଷ୍ଟ ଅତିଥିମାନଙ୍କ ଗହଣରେ ପ୍ରତିଭାଦ୍ୱୟଙ୍କୁ ପୁରସ୍କୃତ କରାଯିବ ।
ଏହି ଅବସରରେ ଜଗଦୀଶ ମହାନ୍ତିଙ୍କ ରଚନା ସଂପର୍କୀତ ସଂଦର୍ଭପାଠ, ଆଲୋଚନା, ଗଳ୍ପପାଠ ଆଦି ଆୟୋଜିତ ହେବ ।
ଏହି ଉତ୍ସବରେ ଜଗଦୀଶ-ଗଳ୍ପପ୍ରେମୀ ଓ ସାହିତ୍ୟାନୁରାଗୀମାନେ ଯୋଗଦେବାକୁ ଟ୍ରଷ୍ଟର ଅଧ୍ୟକ୍ଷା ଡ. ସରୋଜିନୀ ସାହୁ ଏବଂ ସଂପାଦକ ସରୋଜ ବଳ ଅନୁରୋଧ କରିଛନ୍ତି ।
ଲୋକାଲ ୱାୟାର
Leave a Reply