ବାରିପଦା, ଅଗଷ୍ଟ ୧ (ଲୋକାଲ ୱାୟାର): ଜଙ୍ଗଲ ସଂରକ୍ଷଣ କରି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାମାନେ ବେଶ ପ୍ରଶଂସା ସାଉଁଟିଛନ୍ତି ।
ଏସଏଚଜିର ପ୍ରାୟ ୪୦ ସଦସ୍ୟା ପୁନାସିଆ ଜଙ୍ଗଲ ସଂରକ୍ଷଣ କରୁଛନ୍ତି । ବନ ବିଭାଗର ସହାୟତା ବିନା ଜଙ୍ଗଲ ସଂରକ୍ଷଣ କରୁଥିବା ଏସଏଚଜି ସଦସ୍ୟାମାନଙ୍କୁ ସ୍ଥାନୀୟ ବନବାସୀମାନେ ପ୍ରଶଂସା କରୁଛନ୍ତି ।
ଜଙ୍ଗଲରୁ କାଠ କାଟିବା ତ ଦୂରର କଥା ଦାନ୍ତକାଠି ପାଇଁ ଡାଳ ଭାଙ୍ଗିବାକୁ ମଧ୍ୟ ମହିଳାମାନେ ପ୍ରଶ୍ରୟ ଦେଉନାହାନ୍ତି ।
ଶାଳ ଓ ଅନ୍ୟ ଗଛ ଥିବା ଏହି ଜଙ୍ଗଲକୁ ବନବାସୀମାନେ ୧୯୮୦ରୁ ସଂରକ୍ଷିତ କରି ଆସୁଥିଲେ । ହେଲେ ବନବାସୀମାନଙ୍କ ଅନୁରୋଧ କ୍ରମେ ୧୯୯୯ରୁ ଏହି କାମ ସ୍ୱୟଂ ସହାୟକ ଗୋଷ୍ଠୀ କରୁଛନ୍ତି ।
ଉଜୁଡି ଯାଉଥିବା ଜଙ୍ଗଲ ସଂରକ୍ଷଣ ପାଇଁ ୧୯୯୯ରେ ୭ଟି ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ହୋଇଥିଲା ।
ପ୍ରାୟ ୮୦ ହେକ୍ଟର ଅଂଚଳରେ ବ୍ୟାପ୍ତ ପୁନାସିଆ ଜଙ୍ଗଲକୁ ସୁରକ୍ଷା ଦେବା ଏସଏଚଜିଗୁଡିକର ଉଦେ୍ଦଶ୍ୟ ଥିଲା ବୋଲି କହିଛନ୍ତି ଜଙ୍ଗଲପ୍ରେମୀ ତଥା ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ୱାର୍ଡେନ ସଂଯୁକ୍ତା ବସା ।
ଜଙ୍ଗଲ ସୁରକ୍ଷା ପାଇଁ ମହିଳାମାନଙ୍କ ଉଦ୍ୟମ ଦେଖି ବିଶୋଇ ବନଖଣ୍ଡ ଓ ଜିଲ୍ଲା ସ୍ତରରେ ବନ ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଭାଗ ନେବାକୁ ବନ ବିଭାଗ ସେମାନଙ୍କୁ ଆମନ୍ତ୍ରଣ ଜଣାଇଥିଲା ।
ପୂର୍ବରୁ ମଣ୍ଡା ଅଞ୍ଚଳର କିଛି ଲୋକ ନିୟମିତ ଗଛ କାଟି ଚୋରାଚାଲାଣ କରୁଥିଲେ । ଭାଲୁପାହାଡି, ବନକାଟି ଓ ଆଖପାଖ ଗାଁର ଲୋକେ ସେମାନଙ୍କୁ ବିରୋଧ କରିବାରୁ ବିବାଦ ସୃଷ୍ଟି ହେଉଥିଲା ।
ଉଭୟ ବନ ଓ ପୁଲିସ ବିଭାଗ ଚୋରାଚାଲାଣକାରୀଙ୍କୁ ଗିରଫ କରୁଥିଲା । ହେଲେ ଏସଏଚଜି ଗଠନ ପରେ ଜଙ୍ଗଲକୁ ନେଇ ଆଉ ବିବାଦ ଉପୁଜୁ ନାହିଁ ବୋଲି ପରିବେଶବିତ ସଂଯୁକ୍ତା ବସା କହିଛନ୍ତି ।
କେହି ଗଛ କାଟିଲେ ମୋ ଗୋଡ କଟିଗଲା ଭଳି ଲାଗେ । ମୁଁ ଯନ୍ତ୍ରଣା ଭୋଗେ ।
ଜଙ୍ଗଲ ସୁରକ୍ଷା ପାଇଁ ମହିଳାମାନେ ନିଷ୍ଠାପର ଉଦ୍ୟମ କରୁଛନ୍ତି ଓ ବନ ବିଭାଗର ସହୟତା ନନେଇ ବିସ୍ତୃତ ଜଙ୍ଗଲ ସୁରକ୍ଷିତ ରଖି ପାରିଥିବାରୁ ଗର୍ବିତ ଅନୁଭବ କରନ୍ତି ବୋଲି ସୁରୁକିନି ନାୟକ କହିଛନ୍ତି ।
ରାଜସ୍ୱ ଅଞ୍ଚଳରେ ଥିବା ଜଙ୍ଗଲର ସୁରକ୍ଷା ପାଇଁ ବନ ବିଭାଗ ତରଫରୁ କୌଣସି ସହାୟତା ନପାଇ ସୁଦ୍ଧା ଜଙ୍ଗଲ ସୁରକ୍ଷା କରି ଆସୁଥିବା ମହିଳାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ବାଙ୍ଗିରିପୋଷି ରେଞ୍ଜର ଶୈଳେନ୍ଦ୍ର କୁମାର ଦାସ ।
ଲୋକାଲ ୱାୟାର
Leave a Reply