କଟକ,ଜାନୁୟାରୀ ୨୦(ଲୋକାଲ ୱାୟାର): ପଶ୍ଚିମ ଓଡିଶା, ଦକ୍ଷିଣ ଓଡିଶା ଏବଂ ଅନ୍ୟାନ୍ୟ କେତେକ ଅଞ୍ଚଳରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସମ୍ପର୍କରେ ଅନୁଧ୍ୟାନ ପାଇଁ ଗଠିତ ଜଷ୍ଟିସ ସି.ଆର. ପାଲ କମିଶନ ରିପୋର୍ଟ ସାର୍ବଜନୀନ ପାଇଁ ଆଗତ ମାମଲାରେ ଓଡିଶା ହାଇକୋର୍ଟ ସୋମବାର ଦିନ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ଲାଗି ନୋଟିସ ଜାରି କରିଥିବା ସରକାରୀ ଓକିଲ କହିଛନ୍ତି।
ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ପକ୍ଷରୁ ଆଗତ ଏହି ମାମଲାର ପ୍ରାଥମିକ ଶୁଣାଣି କରି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି କୁମାରୀ ସଞ୍ଜୁ ପଣ୍ଡା ଏବଂ ବିଚାରପତି ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ନୋଟିସ ଜାରି କରିଛନ୍ତି।
ଆବେଦନକାରୀ ମହାନ୍ତି ଦର୍ଶାଇଛନ୍ତି ଯେ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଦାବି ଉଠିବାରୁ ରାଜ୍ୟ ସରକାର ୨୦୦୮ ମାର୍ଚ୍ଚ ୧୧ ତାରିଖରେ ଜଷ୍ଟିସ ପାଲଙ୍କ ଅଧ୍ୟକ୍ଷତାରେ ଏକ କମିଶନ ଗଠନ କରିଥିଲେ।
ଏହି କମିଶନ ୨୦୧୪ ମେ ୩୧ ତାରିଖରେ ତାଙ୍କ ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରିଛନ୍ତି। ନିୟମ ଅନୁଯାୟୀ ଏହି ରିପୋର୍ଟ ୬ ମାସ ମଧ୍ୟରେ ରାଜ୍ୟ ସରକାର ବିଧାନସଭାରେ ଉପସ୍ଥାପିତ କରିବା କଥା।
ଇତିମଧ୍ୟରେ ୫ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏହି ରିପୋର୍ଟ ସାର୍ବଜନୀନ କରିବା ପରିବର୍ତ୍ତେ ୨୦୧୯ ମାର୍ଚ୍ଚ ୮ତାରିଖରେ ସମାନ ପ୍ରସଙ୍ଗରେ ଆଉ ଏକ କମିଟି ଗଠନ କରିଛନ୍ତି।
ଗୋଟିଏ କମିଶନ ରିପୋର୍ଟ ସାର୍ବଜନୀନ ହୋଇନଥିବା ବେଳେ ଆଉ ଏକ କମିଟି ଗଠନର ବୈଧତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।
ଏଣୁ ଜଷ୍ଟିସ ପାଲ କମିଶସନଙ୍କ ରିପୋର୍ଟକୁ ଯଥା ଶିଘ୍ର ସାର୍ବଜନୀନ କରିବା ଲାଗି ଆବଶ୍ୟକୀୟ ନିର୍ଦ୍ଦେଶ ଦେବାକୁ ସେ ନିବେଦନ କରିଛନ୍ତି।
ଲୋକାଲ ୱାୟାର
Leave a Reply