ଜଗତସିଂହପୁର, ଜାନୁଆରୀ ୧୬(ଲୋକାଲ ୱାୟାର): ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ଓ ଇଂଟେଲ ଦ୍ୱାରା ଆୟୋଜିତ ଉତରଦାୟୀ କୃତ୍ରିମ ବୁଦ୍ଧିମତା (ଏଆଇ) ଯୁବ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟକୁ ମନୋନୀତ ହୋଇଛନ୍ତି ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ରୀ ଅଭିଲିପ୍ସା ଭୋଳ ।
କେଉଁ ରୋଗ ହୋଇଛି, କେଉଁ ଡାକ୍ତରଙ୍କ ପାଖକୁ ଯିବେ ଜାଣିନପାରି ମୃତୁ୍ୟ ମୁଖରେ ପଡୁଥିବା ଗରିବ, ନିରକ୍ଷର ଲୋକଙ୍କୁ ସେବା ପ୍ରଦାନ ପାଇଁ କମ ବୟସରେ ଚିନ୍ତା କରିଛନ୍ତି ଅଭିଲିପ୍ସା ।
ଗାଁଗହଳରେ ଏଟିଏମ ଭଳି ମେସିନ ସ୍ଥାପନ କରି ଗ୍ରାମବାସୀଙ୍କୁ ରୋଗ ସମ୍ପର୍କରେ ସଚେତନ କରିବାକୁ ପ୍ରକଳ୍ପରେ ଗୁରୁତ୍ୱ ଦେଇଛନ୍ତି ସେ ।
ସମସ୍ତ ପ୍ରକାର ରୋଗ ଓ ଏହାର ଲକ୍ଷଣ, ଡାକ୍ତରଙ୍କ ସବିଶେଷ ତଥ୍ୟ ଓ ଔଷଧ ବହୁଭାଷୀ ମେସିନରୁ ମିଳିପାରିବ ।
ରୋଗର ଲକ୍ଷଣ ସମ୍ପର୍କରେ କାଗଜରେ ଲେଖି ମେସିନରେ ଭର୍ତି କଲେ ରୋଗ ଚିହ୍ନଟ ହେବା ସହ ଡାକ୍ତରଖାନା ଓ ଡାକ୍ତରଙ୍କ ପାଖକୁ ଯିବା ପରାମର୍ଶ ମିଳିବ ।
ନିରକ୍ଷର ଲୋକେ ସ୍ପିକର ମାଧ୍ୟମରେ ଶୁଣି ବଟନ ଦବାଇ ଏହି ମେସିନ ବ୍ୟବହାର କରିପାରିବେ । ସଚେତନତା ଅଭାବରୁ ପ୍ରତବର୍ଷ ବହୁ ଲୋକଙ୍କ ମୃତ୍ୟୁ ହେଉଛି ।
ଏହି ମେସିନ ଦ୍ୱାରା ଗାଁଗହଳର ଲୋକେ ଉପକୃତ ହେବେ ବୋଲି ଅଭିଲିପ୍ସା କହିଛନ୍ତି ।
ଦ୍ୱିତୀୟ ପର୍ଯ୍ୟାୟକୁ ପ୍ରକଳ୍ପ ମନୋନୀତ ହେବା ପରେ ମୁଖ୍ୟମନ୍ତ୍ରୀ, ଜଗତସିଂହପୁର ଜିଲ୍ଲାପାଳ ଅଭିଲିପ୍ସା ଓ ତାଙ୍କୁ ଗାଇଡଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଦେଶର ସମସ୍ତ ସରକାରୀ ସ୍କୁଲରେ ହୋଇଥିବା ଏହି ଜାତୀୟ କାର୍ଯ୍ୟକ୍ରମରେ ଅଭିଲିପ୍ସାଙ୍କ ପ୍ରୋଜେକ୍ଟ ଶ୍ରେଷ୍ଠ ୧ ଶହ ମଧ୍ୟରେ ସ୍ଥାନ ପାଇଥିଲା ।
ଦ୍ୱିତୀୟ ପର୍ଯ୍ୟାୟକୁ ମନୋନୀତ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ତାଲିମ ପ୍ରଦାନ ସାଙ୍ଗକୁ ସେମାନଙ୍କ ମଡେଲ କାର୍ଯ୍ୟକ୍ଷମ କରାଯିବ ।
ସେଥିରୁ ଶ୍ରେଷ୍ଠ ୩୦ ମଡେଲ ଚୟନ କରାଯିବ ବୋଲି ଅଭିଲିପ୍ସାଙ୍କ ଗାଇଡ ପଦରାଜ ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି ।
ସ୍ୱୟଂଚାଳିତ ଡିସୱାସିଂ ମେସିନର ପ୍ରୋଟୋଟାଇପ ବିକଶିତ କରି ଅଭିଲିପ୍ସା ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ବିଭାଗ ତରଫରୁ ଇନସ୍ପାୟାର ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।
ଏଲଆଇସି ଏଜେଂଟ ଭାବେ କାମ କରୁଥିବା ବାପା ନିଜ ଝିଅର ସ୍ୱପ୍ନ ସତ ହେବା ସହ ସେ ବୈଜ୍ଞାନିକ ହେବ ବୋଲି ଆଶା କରିଛନ୍ତି ।
ବିଜ୍ଞାନ ପାଠ ବେଶ ମଜାର ଓ ପାଠପଢ଼ାରେ ଏହାର ସ୍ଥାନ ଗୁରୁତ୍ୱପୂର୍ଣ୍ଣ । ଅଳ୍ପ ଖର୍ଚ୍ଚରେ ସାମଗ୍ରୀ ପ୍ରସ୍ତୁତ କରି ପରିବେଶର କ୍ଷତି ନକରି ଲୋକଙ୍କ ସେବା କରିବାକୁ ଅଭିଲିପ୍ସାଙ୍କ ଇଚ୍ଛା ରହିଛି ।
ଲୋକାଲ ୱାୟାର
Leave a Reply