ଭୁବନେଶ୍ୱର, ଜାନୁଆରୀ ୨୦(ଲୋକାଲ ୱାୟାର): ଚଳିତବର୍ଷ ୟୁନିଟ୍-୧ ଆଦିବାସୀ ପଡ଼ିଆରେ ଜାନୁଆରୀ ୨୬ ତାରିଖରୁ ଆରମ୍ଭ ହେବ ‘ରାଜ୍ୟସ୍ତରୀୟ ଆଦିବାସୀ ମେଳା-୨୦୨୧’ । ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି ।
ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ୧୯୫୧ ମସିହାରୁ ଏହି ମେଳା କଟକରେ ଅନୁଷ୍ଠିତ ହେଉଥିବାବେଳେ ୧୯୫୪ ମସିହାରେ ଭୁବନେଶ୍ୱରକୁ ସ୍ଥାନାନ୍ତର ହୋଇଥିଲା ।
ଅତୀତରେ ୭ଦିନ ଧରି ଆୟୋଜିତ ହେଉଥିବାବେଳେ ୨୦୧୦ ମସିହାରୁ ମେଳାର ଅବଧି ୧୫ଦିନକୁ ବୃଦ୍ଧି ପାଇଛି ।
ପ୍ରଥମେ ଆଦିବାସୀ ମେଳା ୟୁନିଟ୍-୧ସ୍ଥିତ ଆଦୀବାସୀ ପଡ଼ିଆରେ ଅନୁଷ୍ଠିତ ହେଉଥିଲା ।
ତେବେ ଟ୍ରାଫିକ୍ ସମସ୍ୟା ପାଇଁ ଗତ ୨ବର୍ଷ ହେବ ୟୁନିଟ୍-୩ ଇଡ଼କୋ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେଉଥିଲା ।
ତେବେ ଚଳିତବର୍ଷ ପୁଣିଥରେ ଆଦିବାସୀ ପଡ଼ିଆକୁ ଫେରିଛି ଆଦିବାସୀ ମେଳା । ଫେବ୍ରୁଆରୀ ୯ତାରିଖ ଯାଏ ଚାଲିବାକୁ ଥିବା ଏହି ମେଳା ପୂର୍ବାହ୍ନ ୧୧ଟା ରୁ ସନ୍ଧ୍ୟା ୭ଟା ଯାଏଁ ଚାଲିବ ।
‘ଆଦିବାସୀ ମେଳା’ ପାଇଁ ୧୫ଦିନ ଆଗରୁ ଆରମ୍ଭ ହୋଇଥାଏ ପ୍ରସ୍ତୁତି କାର୍ଯ୍ୟ । ଏଥର ମଧ୍ୟ ସମାନ ଭାବେ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି ।
ସପ୍ତାହେ ଆଗରୁ ପଡ଼ିଆ ସଫେଇ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଆଦିବାସୀ ଗ୍ରାମ, ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରକୋଷ୍ଠ, ଆଦିବାସୀ ହାଟ, ଆଦିବାସୀ କଳା ସାମଗ୍ରୀ, ଖାଦ୍ୟ ବଜାର ଆଦି ପ୍ରସ୍ତୁତି କାର୍ଯ୍ୟ ଚାଲିଛି ।
ଦର୍ଶକମାନେ କୋଭିଡ଼ ନିୟମ ପାଳନ କରିବା ବାଧ୍ୟତାମୂଳକ ରହିଛି । ରାଜ୍ୟ ବାହାରର ଦର୍ଶକଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ଏଥିପାଇଁ ସେମାନେ ଅନଲାଇନରେ ଆଦିବାସୀ ମେଳା-୨୦୨୧ ୱେବସାଇଟରେ ପଞ୍ଜୀକରଣ କରିବେ । ତେବେ ଜାନୁଆରୀ ୨୩ରୁ ପଞ୍ଜୀକରଣ ଆରମ୍ଭ ହେବ ।
ଲୋକାଲ ୱାୟାର
Leave a Reply