ଭୁବନେଶ୍ୱର, ଡିସେମ୍ବର ୩(ଲୋକାଲ ୱାୟାର): ଭଳିକି ଭଳି ଦେଶ-ବିଦେଶର ୨୦୦ ପ୍ରଜାତିର ୧୦ ଲକ୍ଷରୁ ଊଦ୍ଧ୍ୱର୍ ପକ୍ଷୀ ।
ଏକାଠି ଦେଖିବାର ଏବଂ ଏ ଅପୂର୍ବ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାର ସୁଯୋଗ ଆଣିଛି ଚିଲିକା ପକ୍ଷୀ ଉତ୍ସବ ।
ପ୍ରକୃତିପ୍ରେମୀ ମାନଙ୍କ ପାଇଁ ଏହି ସୁନ୍ଦର ପକ୍ଷୀ ଆଶ୍ରୟସ୍ଥଳର ସାକ୍ଷୀ ହେବା ଲାଗି ସ୍ୱାଗତ କରୁଛି ମଙ୍ଗଳାଯୋଡ଼ି ଓ ନଳବଣ ।
ଆସନ୍ତା ୨୦୨୧ ଜାନୁଆରୀ ମାସରେ ଚିଲିକା ମଙ୍ଗଳାଯୋଡ଼ିରେ ଅନୁଷ୍ଠିତ ହେବାକୁ ଯାଉଛି ତୃତୀୟ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ ।
ଏହା ଜାନୁଆରୀ ମାସରେ ୩ ଦିନ ଧରି ୮, ୯, ୧୦ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଯେହେତୁ ଶୀତ ସମୟରେ ଚିଲିକାକୁ ବିଭିନ୍ନ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ ତେଣୁ ଦର୍ଶକଙ୍କୁ ଏହାର ମଜା ଦେବାକୁ ଏଭଳି ପକ୍ଷୀ ଉତ୍ସବର ଆୟୋଜନ ହେଉଛି ।
ଚିଲିକାର ଉତ୍ତର ପୂର୍ବାଞ୍ଚଳରେ ଅବସ୍ଥିତ ମଙ୍ଗଳାଯୋଡ଼ି । ଏହା ‘ବାର୍ଡ ପାରାଡାଇଜ୍ ଅଫ୍ ଏସିଆ’ ଭାବରେ ଜଣାଶୁଣା । ଏହି ସ୍ଥଳ ଫଟୋଗ୍ରାଫର, ପ୍ରକୃତି, ପକ୍ଷୀପ୍ରେମୀ ଏବଂ ପର୍ଯ୍ୟଟକଙ୍କ ପାଇଁ ସ୍ୱର୍ଗ ।
ପକ୍ଷୀମାନଙ୍କ ଲାଗି ବି ଏହାର ପରିବେଶ ବେଶ୍ ଅନୁକୂଳ । ଚିଲିକା ହ୍ରଦର ଏକ ଅଂଶ ମଙ୍ଗଳାଯୋଡ଼ି ଆର୍ଦ୍ରଭୂମିର ମାନ୍ୟତା ପାଇଛି ।
ଏଥିସହିତ ଚିଲିକା ହୃଦୟରେ ଥିବା ସୁନ୍ଦର ଦ୍ୱୀପ ନଳବଣ ଗୁରୁତ୍ୱପୂର୍ଣ୍ଣ ପକ୍ଷୀ ଅଞ୍ଚଳ(ଆଇବିଏ) ଭାବେ ଚିହ୍ନଟ ହୋଇଛି । ନଳବଣ କହିଲା ମାନେ ପକ୍ଷୀ ଅଭୟାରଣ୍ୟକୁ ବୁଝାଇଥାଏ ।
ବିଶେଷକରି ଶୀତଦିନେ ଏଠାକୁ ଲକ୍ଷ ଲକ୍ଷ ସଂଖ୍ୟାରେ ରଫସ, ଗଡୱିଟସ, ଟେର୍ଣ୍ଣସ୍, ପ୍ଲୋଭର୍ସ, ସ୍ୟାଣ୍ଡପାଇପର୍ସ, ବିରଳ ଗ୍ରେ-ହେଡେଡ୍ ଲାପୱିଙ୍ଗସ, ଗୁଲସ, ପିନଟେଲସ, ରୁଡି ଶେଲଡକ୍ସ ଭଳି ଅନେକ ବିରଳ ପ୍ରଜାତିର ପକ୍ଷୀ ସବୁ ଆସନ୍ତି ।
କମନ୍ ଟିଲ୍ ଏକ ପକ୍ଷୀ, ଯାହା ହଜାରେରୁ ଅଧିକ ପଲରେ ଦେଖିବାକୁ ପାଇବେ । ଏଥିସହିତ ସେମାନଙ୍କର ବିଭିନ୍ନ ସ୍ୱର ଶୁଣିବେ ।
ଭିନ୍ନ ଅନୁଭୂତି ନେଇ ଫେରିବେ । ପକ୍ଷୀ ମହୋତ୍ସବର ଦ୍ୱିତୀୟ ଦିନରେ ନଳବଣ ପକ୍ଷୀ ଅଭୟାରଣ୍ୟ ପରିଦର୍ଶନ ସାଙ୍ଗକୁ କିଛି ମୁହୂର୍ତ୍ତ ପକ୍ଷୀଙ୍କ ଗହଣରେ ବିତାଇବାର ସୁଯୋଗ ରହିଛି ।
ଯେଉଁଠି ବିଭିନ୍ନ ପ୍ରକାରର ରଙ୍ଗୀନ ପକ୍ଷୀମାନଙ୍କ ବସା ବାନ୍ଧିବା ଦେଖିପାରିବେ । ଏହି ଅଞ୍ଚଳକୁ ଶହ ଶହ ପଲରେ ସୁନ୍ଦର ଗ୍ରେଟର ଫ୍ଲାମିଙ୍ଗୋସକୁ ପାଇବେ । ଏମାନେ ନଳବଣର ଶୋଭା ବଢ଼ାଇଥାନ୍ତି ।
ସ୍ଥାନୀୟ ଲୋକେ ଏହାକୁ ହୀରା ପକ୍ଷୀ ବୋଲି କହିଥାନ୍ତି । ମହୋତ୍ସବର ତୃତୀୟ ଦିବସରେ ସାତକୋଶିଆ ଏବଂ ଚନ୍ଦକା ବୁଲିବାର ମଧ୍ୟ ସୁଯୋଗ ରହିଛି ।
ଲୋକାଲ ୱାୟାର
Leave a Reply