ପାରାଦୀପ, ମାର୍ଚ୍ଚ ୫ (ଲୋକାଲ ୱାୟାର): ଆଇଓସିଏଲରେ ଚାକିରି କରାଇ ଦେବାକୁ କହି ୨ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହେବାର ସପ୍ତାହକ ପରେ ବି ପୁଲିସ ଅଭିଯୁକ୍ତ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ଗିରଫ କରିନାହିଁ ।

ଏରସମା ଅଞ୍ଚଳର ମାତଙ୍ଗିନୀ ସେଠିଙ୍କ ପୁଅକୁ ଆଇଓସିଏଲରେ ଚାକିରି କରାଇ ଦେବାକୁ କହି ଜିଲ୍ଲା ପରିଷଦ ସଦସ୍ୟ ଦିପ୍ତୀରଞ୍ଜନ କୁଅଁର ୧ ଲକ୍ଷ ଟଙ୍କା ନେଇଥିଲେ ।

ତେବେ ପଇସା ନେବା ପରେ ଚାକିରି ନମିଳିବାରୁ ମାତଙ୍ଗିନୀ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ପଚାରିବାରୁ ସେ ତାଙ୍କୁ ଧମକଚମକ ଦେଇଥିଲେ ।

ସେହିପରି ତପସ୍ୱିନୀ ସେଠି ନାମକ ଜଣେ ମହିଳାଙ୍କୁ ଚାକିରି ପ୍ରତିଶ୍ରୁତି ଦେଇ ଜିଲ୍ଲା ପରିଷଦ ସଦସ୍ୟ ଜଣକ ୯୦ ହଜାର ଟଙ୍କା ନେଇଥିଲେ ।

ଚାକିରି ନହେବାରୁ ତପସ୍ୱିନୀ ପଇସା ଫେରସ୍ତ ମାଗି ବିଫଳ ହେବାରୁ ଫେବୃୟାରୀ ୨୪ରେ ଏରସମା ଥାନାରେ ଏଫଆଇଆଇ ଦେଇଥିଲେ । ଆଇପିସିର ଧାରା ୪୨୦ ଓ ୪୦୬ରେ ମାମଲା ରୁଜୁ ହୋଇଛି ।

ତେବେ ପ୍ରମାଣ ଅଭାବରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ । ମାମଲାର ତଦନ୍ତ ଜାରି ରହିଥିବା କହିଛନ୍ତି ଏରସମା ଥାନା ଆଇଆଇସି ପ୍ରଶାନ୍ତ କୁମାର ମାଝି ।

ଲୋକାଲ ୱାୟାର