ସମ୍ବଲପୁର,ଅଗଷ୍ଟ ୨୫(ଲୋକାଲ ୱାୟାର): କୁନି ବୟସରେ ସେ ମାପି ପାରିଛନ୍ତି ସମୁଦ୍ରର ଗଭୀରତା । ସାଉଁଟି ପାରିଛନ୍ତି ସମୁଦ୍ରର ସିଗ୍ଧ ଶୀତଳ ଜଳରାଶିକୁ ।
ଆକ୍ୱାଟିକ୍ ଜୀବ ଜନ୍ତୁଙ୍କ ଗହଣରେ ରହି ତିଆରି କରିପାରିଛନ୍ତି ଭିନ୍ନ ଏକ ସ୍ୱପ୍ନର ପୃଥିବୀ ।
ଯେଉଁ ବୟସରେ କୁନି ପିଲା କଣ୍ଢେଇ ଖେଳ ଓ ସାଇକେଲ ଚଳାଇବାରୁ ଫୁରସତ୍ ପାଏନି ସେହି ବୟସରେ ସେ ନିଜ ପାଇଁ ଅର୍ଜି ପାରିଛନ୍ତି ଜୁନିଅର ସ୍କୁବା ଡାଇଭିଂର ଟ୍ୟାଗ୍ । ଏଭଳି ଜଣେ କୁନି ପ୍ରତିଭା ହେଲେ ଦୁବାଇ ସ୍ଥିତ ସମ୍ବଲପୁର ଝିଅ ତିଶ୍ୟା ପାଣିଗ୍ରାହୀ ।
୧୦ ବର୍ଷୀୟ ତିଶ୍ୟା ନିଜ ପରିବାର ସହ ଦୁବାଇରେ ରହୁଥିବା ବେଳେ ପିଲାବେଳୁ ସ୍କୁବା ଡାଇଭିଂ ପ୍ରତି ଆଗ୍ରହ ଦେଖାଇଥିବା ବେଳେ ସମୁଦ୍ରର ଗଭୀରତା ଓ ରହସ୍ୟ ତାଙ୍କୁ ସବୁବେଳେ ଆମୋଦିତ କରେ ବୋଲି ସେ କହିଛନ୍ତି ।
ନିକଟରେ ତିଶ୍ୟା ପ୍ରଫେସନାଲ୍ ଆସୋସିଏସନ୍ ଅଫ୍ ଡାଇଭିଂ ଇନଷ୍ଟ୍ରକ୍ଟର୍ସ (ପାଡି)ଠାରୁ ଜୁନିଅର ସ୍କୁବା ଡାଇଭର୍ସ ଲାଇସେନ୍ସ ପ୍ରାପ୍ତ କରିଥିବା ବେଳେ ଏହା ପୃଥିବୀର ସର୍ବବୃହତ ସ୍କୁବା ଡାଇଭିଂ ତାଲିମପ୍ରାପ୍ତ ସଂସ୍ଥା ।
ଦୁବାଇ ସ୍ଥିତ ରାଫେଲ୍ସ ୱାଲ୍ଡ ଏକାଡେମୀ ସ୍କୁଲର ଗ୍ରେଡ୍- ୪ ଛାତ୍ରୀ ନିକଟରେ ଓମାନ୍ ସମୁଦ୍ରରେ ବୁଡ଼ିଥିଲେ ।
ନିଜର ଷ୍ଟ୍ରାଇଫ୍ ବା ପୁରସ୍କାର ପ୍ରାପ୍ତ କରିବା ପାଇଁ ୟୁଏଇର ପୂର୍ବତଟର ସମୁଦ୍ରରେ ତିଶ୍ୟାଙ୍କ ଏହି ଡାଇଭ୍ ସାଧାରଣରେ ବେଶ ପ୍ରଶଂସିତ ହୋଇଛି ।
ଏ ବାବଦରେ ତିଶ୍ୟା କହନ୍ତି ସ୍କୁବା ଡାଇଭିଂ ପ୍ରତି ମୋର ଏ ଇଚ୍ଛା ବାପା ପ୍ରିୟଦର୍ଶୀ ପାଣିଗ୍ରାହୀଙ୍କଠାରୁ ଆସିଛି । ମୋ ବାପା ପ୍ରିୟଦର୍ଶୀ ପାଣିଗ୍ରାହୀ ମଧ୍ୟ ପାଡିର ଜଣେ ସଦସ୍ୟ ।
ତାଙ୍କ ସହ ସ୍କୁବା ଡାଇଭିଂ ପାଇଁ ଆସୁଥିବା ବେଳେ ମୁଁ ମଧ୍ୟ ଏଥିପ୍ରତି ଆଗ୍ରହ ଦେଖାଇଲି । ମୁଁ ସବୁବେଳେ ସମୁଦ୍ର ଭିତରେ ମୋ ବାପାଙ୍କ ସାଥୀରେ ରହିବାକୁ ଚାହେଁ । ତେଣୁ ମୁଁ ମଧ୍ୟ ସ୍କୁବା ଡାଇଭିଂ ଶିଖିବାକୁ ଚାହିଁଲି ।
ମା’ ପ୍ରଥମେ ମୋତେ ପହଁରା କ୍ଲାସରେ ନାମ ଲେଖାଇ ଦେଇଥିଲେ ଓ ମୁଁ କିପରି ପହଁରାରେ ଭଲ ପ୍ରଦର୍ଶନ କରେ ସେଥିପାଇଁ ସେ ସବୁବେଳେ ମୋତେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାକୁ ଉତ୍ସାହିତ କରୁଥିଲେ ।
ଜୁନିଅର ଅପନ୍ ୱାଟର ଡାଇଭର୍ସ ଲାଇସେନ୍ସ ମୋ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଓ ଏହା ମୋର ସ୍ୱପ୍ନ ସାକାର କରାଇବା ଦିଗରେ ସହାୟକ ହୋଇଛି । ତିଶ୍ୟା ଆହୁରି କହନ୍ତି ଯେ; ଏହି ସାର୍ଟିଫିକେଟ୍ ପାଇଁ ମୋତେ ୪ ଦିନର ଏକ ଲମ୍ବା ପରୀକ୍ଷା ଦେବାକୁ ପଡ଼ିଥିଲା ।
ଏହା ଶ୍ରେଣୀଗୃହ ତାଲିମ ସହ ସ୍ୱିମିଂ ପୁଲରେ ପହଁରିବାକୁ ପଡ଼ିଥିଲା । ଶେଷରେ ଖୋଲା ସମୁଦ୍ରରେ ୪ଟି ଡାଇଭ କରିବାକୁ ପଡ଼ିଥିଲା ।
ଏସବୁକୁ ଛାଡ଼ି ଦେଲେ ତାଙ୍କୁ ଆଉ ଦୁଇ ପ୍ରକାର ପରୀକ୍ଷା ଦେବାକୁ ପଡ଼ିଥିଲା । ଯେଉଁଥିରେ ତାଙ୍କୁ ୨୦୦ ମିଟର ସ୍ୱିମିଂ କରିବା ସହ ସମୁଦ୍ରରେ ୧୦ ମିନିଟ୍ କାଳ ଭାସି ରହିବାକୁ ପଡ଼ିଥିଲା ।
କରୋନା ମହାମାରୀ ଭଳି ପରିସ୍ଥିତି ସତ୍ତ୍ୱେ ଦୁବାଇ ଓ ୟୁଏଇ ସରକାର ଯାବତୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ସହ, ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ସ୍କୁବା ଡାଇଭିଂ କରିବାକୁ ଅନୁମତି ଦେଇଥିବା ତିଶ୍ୟାର ବାପା ପ୍ରିୟଦର୍ଶୀ ପାଣିଗ୍ରାହୀ କହିଛନ୍ତି ।
ଲୋକାଲ ୱାୟାର
Leave a Reply