କେନ୍ଦ୍ରାପଡ଼ା, ଜୁଲାଇ ୩(ଲୋକାଲ ୱାୟାର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓ ବାତ୍ୟା ଅମ୍ଫାନ ଯୋଗୁଁ ଏପ୍ରିଲ ଓ ମେ’ ମାସରେ ଭଲ ବର୍ଷା ହୋଇଛି ।
ହେଲେ ଜୁନ୍ ମାସରେ ଦକ୍ଷିଣ ପୂର୍ବ ମୌସୁମୀ ବାୟୁ ଦୁର୍ବଳ ହୋଇଯିବାରୁ ଚାଷୀ ପାଇଁ ଆବଶ୍ୟକ ବର୍ଷା ହୋଇପାରି ନାହିଁ । ତେଣୁ କେନ୍ଦ୍ରପଡା ଜିଲ୍ଲାର ଉପକୂଳ ଅଞ୍ଚଳର ଚାଷୀ ଏବେ ଚିନ୍ତାରେ ।
ଏ ବାବଦରେ ଇଚ୍ଛାପୁର ଗାଁର କୃଷକ ଭିକାରୀ ମହାନ୍ତି କହିଛନ୍ତି ଚାଷୀ ଓ ଚାଷ ବର୍ଷା ଉପରେ ନିର୍ଭର କରେ । କେବଳ ବର୍ଷା ଦିନିଆ ଫସଲ୍ ପାଇଁ ବର୍ଷାର ଆବଶ୍ୟକତା ନଥାଏ ।
ବରଂ ବର୍ଷା ଜଳ ନଦୀ ଓ କେନାଲରେ ଜମା ହେବା ପରେ, ଚାଷୀମାନେ ଏହାକୁ ଜଳସେଚନ ପାଇଁ ଉପଯୋଗ କରନ୍ତି ।
ଚଳିତ ବର୍ଷ ଏପ୍ରିଲ୍ ମାସରେ ଜିଲ୍ଲା ପାଇଁ ୩୩ ମିଲିଲିଟର ବର୍ଷାର ଆବଶ୍ୟକତା ଥିବା ବେଳେ ୧୪୮ ମିଲିଲିଟର ବର୍ଷା ହୋଇଥିବାର ରେକର୍ଡ ହୋଇଛି ।
ସେହିପରି ମେ’ ମାସରେ ଜିଲ୍ଲାରେ ୧୬୧ ମିଲିଲିଟର ବର୍ଷା ହୋଇଥିବା ବେଳେ ମାତ୍ର ୯୪ ମିଲିଲିଟର ବର୍ଷାର ଆବଶ୍ୟକତା ରହିଥିଲା ।
ଚାଷ କାମ ପାଇଁ ଜୁନ୍ ମାସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏହି ସମୟରେ ଜିଲ୍ଲାକୁ ପାଖାପାଖି ୨୦୮ ମିଲିଲିଟର ବର୍ଷାର ଆବଶ୍ୟକତା ରହିଥାଏ ।
ହେଲେ ଏ ବର୍ଷ ମାତ୍ର ୧୫୦ ମିଲିଲିଟର ବର୍ଷା ହୋଇଛି । ଏପ୍ରିଲ ଓ ମେ’ ମାସରେ ଜିଲ୍ଲାରେ ଆବଶ୍ୟକତାଠାରୁ ଅଧିକ ବର୍ଷା ହୋଇଥିବା ବେଳେ ଜୁନ୍ ମାସରେ ବର୍ଷାର ପରିମାଣ କମିଥିବା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସମ୍ବିତ ଶତପଥୀ ସୂଚନା ଦେଇଛନ୍ତି ।
ଏପ୍ରିଲ ଓ ମେ’ ମାସର ଅତ୍ୟଧିକ ବର୍ଷା ଖରାଦିନିଆ ଫସଲ ଓ ପନିପରିବା ନଷ୍ଟ କରିଦେଇଥିବା ବେଳେ ଜୁନ୍ ମାସର କମ୍ ବର୍ଷା ଚାଷୀଙ୍କୁ ଚିନ୍ତାରେ ପକାଇଛି ।
କାରଣ ଦୁର୍ବଳ ମୌସୁମୀ ଯୋଗୁଁ ଚାଷୀ କ୍ଷେତରେ ଧାନ ବା ଅନ୍ୟାନ୍ୟ ଗଛ ଲଗାଇ ପାରୁନାହିଁ । ଅନେକ ସ୍ଥାନରେ କମ୍ ବର୍ଷା ଯୋଗୁଁ ଧାନ ରୋଇବା ଓ ବୁଣିବାରେ ବିଳମ୍ବ ଦେଉଛି ।
ବିଦୁ୍ୟତ ଯୋଗାଣରେ ଅନିୟମିତାତା ଏହି ସମସ୍ୟାକୁ ଆହୁରି ଦ୍ୱିଗୁଣ କରି ଦେଉଛି ବୋଲି ଜିଲ୍ଲା କୃଷକ ସଭା ସଭାପତି ଉମେଶ ଚନ୍ଦ୍ର ସିଂହ କହିଛନ୍ତି ।
ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲାରେ ୧,୫୨,୦୦୦ ହେକ୍ଟର ଜମିରେ ଧାନ ଚାଷ କରାଯାଉଥିବା ବେଳେ ୯୫ ହଜାର ହେକ୍ଟର ଜମିରେ ଜଳସେଚନ କରାଯାଇଥାଏ ।
ତା’ଭିତରୁ ୪୬ ହଜାର ୭୨୩ ହେକ୍ଟର ଜମି କେନାଲ ଦ୍ୱାରା ଜଳସେଚିତ ହୁଏ ।
୪୦ ହଜାର ୭୮୬ ହେକ୍ଟର ଜମିରେ ଉଠା ଜଳସେଚନ ପଦ୍ଧତିରେ ଚାଷ କାମ କରାଯାଇଥାଏ ଓ ମାତ୍ର ୮୦୦ ହେକ୍ଟର ଜମି ବୋରୱେଲ ଓ ପୋଖରୀ ଦ୍ୱାରା ଜଳସେଚିତ ହୋଇଥାଏ ।
ମାତ୍ର ଏବେ ବର୍ଷା ନଥିବାରୁ ଓ କେନାଲରେ ପାଣି ନଥିବାରୁ ଏହାର ପାଖାପାଖି ଜମିର ଚାଷୀମାନେ ବ୍ୟାପକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ପ୍ରକାଶ ପାଇଛି ।
ବର୍ଷାର ଅଭାବ ଯୋଗୁଁ ଏବେ କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ, ଜାମ୍ବୋ, ମାର୍ସାଘାଇ ଆଦି ଅ ଳର କେନାଳ୍ ସବୁ ଶୁଖିବାକୁ ବସିଲାଣି ।
ତେବେ ଏ ବାବଦରେ କେନ୍ଦ୍ରପଡା ଜିଲ୍ଲାର ମୁଖ୍ୟ ଜିଲ୍ଲା କୃଷିଧିକାରୀ ଅଶୋକ ମହାସୁଆର କହିଛନ୍ତି ଚଳିତ ବର୍ଷ ଜିଲ୍ଲାରେ କମ୍ ବର୍ଷା ହୋଇଛି ।
ହେଲେ ପରିସ୍ଥିତି ଉଦବେଗଜନକ ନୁହେଁ । ଜୁଲାଇ ମାସରେ ଭଲ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ଥିବା ବେଳେ ଏହା ଚାଷୀଙ୍କୁ ସହାୟକ ହେବ ବୋଲି ଆଶା ।
ଲୋକାଲ ୱାୟାର
Leave a Reply