ବ୍ରହ୍ମପୁର, ଜାନୁଆରୀ ୧ (ଲୋକାଲ ୱାୟାର): ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରିକରଣ ଲାଗି ଉଦ୍ୟମ କରିଥିବା ତଥା “ଆଶା” ସମ୍ବାଦପତ୍ରର ପ୍ରତିଷ୍ଠାତା ଶଶିଭୂଷଣ ରଥଙ୍କ ୧୩୪ତମ ଜୟନ୍ତୀ ଅବସରରେ ବୁଧବାର ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି।
ସ୍ଥାନୀୟ କିଛି ବୁଦ୍ଧିଜୀବୀ ଓ ବିଭିନ୍ନ ମହଲର ବ୍ୟକ୍ତିବିଶେଷ ଏହି ଅବସରରେ ତାଙ୍କ ସ୍ମୃତିଚାରଣ କରିଛନ୍ତି।
ତେବେ ସ୍ଥାନୀୟ ସାଂସଦ ବା ବିଧାୟକଙ୍କ ଅନୁପସ୍ଥିତି ଓ ଶଶିଭୂଷଣଙ୍କ ପ୍ରତିମୂର୍ତ୍ତି ପ୍ରତି ପ୍ରଶାସନ ତଥା ମହାନଗର ନିଗମର ଅବହେଳାକୁ ନେଇ ଏହି ଅବସରରେ ଅସନ୍ତୋଷ ପ୍ରକାଶ ପାଇଛି।
ଶଶିଭୂଷଣ ରଥ ୧୯୧୩ ମସିହାରେ ବ୍ରହ୍ମପୁରରୁ ପ୍ରଥମ ସମ୍ବାଦପତ୍ର “ଆଶା” ଓ ୧୯୩୩ରେ ପ୍ରଥମ ଦୈନିକ ଇଂରାଜୀ ଖବରକାଗଜ “ଦ ନ୍ୟୁ ଓରିଶା” ପ୍ରକାଶ କରିଥିଲେ।
ପ୍ରାୟ ଚାରି ଦଶନ୍ଧି ତଳେ ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ପରିସରରେ ତାଙ୍କର ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଥିଲା।
ବରଗଛ ତଳେ ଥିବା ଏହି ଛୋଟ ପ୍ରତିମୂର୍ତ୍ତି ଚାରିପଟେ ବାଇକ୍ ଓ ଯାନବାହନ ରଖାଯାଉଥିବାରୁ ଏହା କାହାରି ନଜରରେ ବି ପଡୁନଥିବାବେଳେ ସାଇକେଲ୍ ଷ୍ଟାଣ୍ଡ ପାଇଁ ପୁଲିସ ଏବେ ଏହା ଚାରିପଟେ ଅସ୍ଥାୟୀ ବାଡ଼ କରିଦେଇଛି।
ଫଳରେ ଏହି ପ୍ରତିମୂର୍ତ୍ତି ଦୃଶ୍ୟମାନ ବି ହେଉନାହିଁ।
ଏହାକୁ ନେଇ ଦୈନିକ ଆଶାର ସଂପାଦକ ପ୍ରମୋଦ କୁମାର ପଣ୍ଡାଙ୍କ ସମେତ ବହୁ ବୁଦ୍ଧି୍ଜୀବୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଜଣେ ସମାଜ ସଂସ୍କାରକ ଭାବେ ସୁପରିଚିତ ଶଶିଭୂଷଣ ରଥ ୧୮୮୫ ମସିହା ଜାନୁଆରୀ ପହିଲସାରେ ଗଂଜାମ ଜିଲ୍ଲାର ସୋରଡ଼ାରେ ଜନ୍ମଗ୍ରହଣ କରି ୨୦ ମାର୍ଚ୍ଚ ୧୯୪୩ରେ ପରଲୋକ ଗମନ କରିଥିଲେ।
ସେ ସାମ୍ବାଦିକତାକୁ ମାଧ୍ୟମ କରି ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ କରିବାରେ ଯଥେଷ୍ଟ ଅବଦାନ ରଖିଯାଇଛନ୍ତି।
ଏପରିକି ତାରାତାରିଣୀ ମନ୍ଦିରରେ ବଳିପ୍ରଥା ବନ୍ଦ କରିବା ଲାଗି ବହୁ ସଂଘର୍ଷ କରିଥିଲେ।
ଗଂଜାମର ବ୍ୟାଘ୍ର ଭାବେ ପରିଚିତ ଏଭଳି ଜଣେ ବ୍ୟକ୍ତିତ୍ବଙ୍କୁ ଅବହେଳା ପରିତାପର ବିଷୟ ବୋଲି ଗଂଜାମ ବିକାଶ ମଂଚର ଶିବ ପ୍ରସାଦ ମିଶ୍ର କହିଛନ୍ତି।
ଲୋକାଲ ୱାୟାର
Leave a Reply