ଭୁବନେଶ୍ୱର, ନଭେମ୍ବର ୨୩ (ଲୋକାଲ ୱାୟାର) : ଦକ୍ଷିଣ-ପୂର୍ବ ତଥା ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାର ଅଞ୍ଚଳରେ ସୃଷ୍ଟ ଲଘୁଚାପ ୱେଲମାର୍କରେ ପରିଣତ ହୋଇଥିବା ବେଳେ ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେଇପାରେ ।
ଆଗାମୀ ୨୪ ଘଣ୍ଟାରେ ଆହୁରି ଘନୀଭୂ ହୋଇ ସାମୁଦ୍ରିକ ଝଡ ବା ବାତ୍ୟାର ରୂପନେଇ ପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକା ପାଣିପାଗ ବିଜ୍ଞାନ କେନ୍ଦ୍ର ସୋମବାର ସୂଚନା ଦେଇଛି ।
ଏହା ପ୍ରଭାବରେ ଆସନ୍ତା ୨୫ରୁ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ଲଘୁଚାପଟି ପଶ୍ଚିମ-ଉତ୍ତରପଶ୍ଚିମକୁ ମୁହାଁଇ ୨୫ ସୁଦ୍ଧା ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଛୁଇଁବ ।
ଏହାର ପ୍ରଭାବ ସିଧାସଳଖ ଓଡ଼ିଶା ଉପରେ ନାହିଁ ବୋଲି ପାଣିପାଗ ବିଭାଗ କହିଛି ।
ପ୍ରଭାବରେ ୨୫ରୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଏବଂ ୨୬ରେ ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି।
ଆଜି କନ୍ଧମାଳ, ଅନୁଗୁଳ, ମୟୂରଭଞ୍ଜ, କଳାହାଣ୍ଡି, ଗଜପତି, ରାୟଗଡ଼ା ଓ ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।
୨୫ ତାରିଖରେ କୋରାପୁଟ, ରାୟଗଡ଼ା ଓ ଗଜପତିରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
୨୬ ତାରିଖରେ ଗଜପତି ଓ ରାୟଗଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର କହିଛି । ଏ ସମସ୍ତ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଲୋକାଲ ୱାୟାର
Leave a Reply