ବାଲେଶ୍ୱର, ନଭେମ୍ବର ୨୯(ଲୋକାଲ ୱାୟାର): ବାଲେଶ୍ୱର ସହର ଦେଇ ଯାଇଥିବା ଟ୍ରେନ ଲାଇନ ଉପରେ ନିର୍ମାଣାଧୀନ ଏକ ଓଭରବ୍ରିଜର ପିଲର ରବିବାର ପୂର୍ବାହ୍ନରେ ଭୁଶୁଡ଼ି ପଡ଼ିବାରୁ ରେଳ ଚଳାଚଳ ବ୍ୟାହତ ହୋଇଥିବା ରେଳବାଇର ଜଣେ ଅଧିକାରୀ କହିଛନ୍ତି ।
ବାଲେଶ୍ୱର ସହରର ଶୋଭାରାମପୁରରେ ଏହି ଓଭରବ୍ରିଜ୍ ନିର୍ମାଣ କରାଯାଉଥିଲା । ଓଭରବ୍ରିଜର ମୋଟ ୬ଟି ପିଲର ତିଆରି ହୋଇଥିଲା ।
ତେବେ ରବିବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ରେ ଗୋଟିଏ ପିଲର କୌଣସି କାରଣରୁ ଭୁଶୁଡ଼ି ପଡ଼ି ଟ୍ରେନ ଲାଇନର ବିଦ୍ୟୁତ ତାର ଉପରେ ପଡ଼ିଥିଲ।। ତାର ଛିଣ୍ଡି ଯିବାରୁ ଏବଂ ଟ୍ରେନ ଲାଇନ ଉପରେ ପିଲରର କିଛି ଅଂଶ ଏବଂ ଉପର ଛାତ ପଡ଼ିଥିବାରୁ ରେଳ ଚଳାଚଳ ବ୍ୟାହତ ହୋଇଛି ।
ବିଭିନ୍ନ ଷ୍ଟେସନରେ ଦୂରଗାମୀ ଟ୍ରେନ ଗୁଡ଼ିକ ଅଟକି ରହିଛି ।
ରେଳବାଇର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଜଣେ ଅଧିକାରୀ କହିଛନ୍ତି, ଭାଙ୍ଗି ପଡ଼ିଥିବା ପିଲରଟିକୁ ଲାଇନ ଉପରୁ ହଟାଇବା କାମ ଚାଲିଛି ।
ତାହା ହଟିଗଲେ ଆବଶ୍ୟକ ପଡ଼ିଲେ ଡିଜେଲ ଇଞ୍ଜିନ ସହାୟତାରେ ଟ୍ରେନ ଚଳାଚଳ ଆରମ୍ଭ କରାଯିବ । ପରେ ବିଦ୍ୟୁତ ତାର ମରାମତି ହେଲେ ସମ୍ପୂର୍ଣ୍ଣ ଭାବେ ରେଳ ଚଳାଚଳ ସ୍ୱାଭାବିକ ହୋଇପାରିବ ।
ଲୋକାଲ ୱାୟାର
Leave a Reply