ମାଲକାନଗିରି, ଡିସେମ୍ବର ୧୭(ଲୋକାଲ ୱାୟାର): ଯବାନଙ୍କ କ୍ରମାଗତ କମ୍ବିଂ ଯୋଗୁ ଦୀର୍ଘ ଦିନ ଧରି ବ୍ୟାକଫୁଟରେ ଥିବା ମାଓବାଦୀମାନେ କିଛି ଦିନ ଧରି ନିରବ ରହିବା ପରେ ମାଲକାନଗିରି ଜିଲ୍ଲାରେ ଜଣେ ଠିକାଦାରଙ୍କୁ ହତ୍ୟା କରିବା ସହ ତିନୋଟି ଗାଡ଼ି ପୋଡ଼ି ଦେଇଥିବା ସ୍ଥାନୀୟ ପୁଲିସ କହିଛି ।
ଛତିଶଗଡ଼ ସୀମାକୁ ଲାଗିଥିବା ମାଥିଲି ଥାନା ଅନ୍ତର୍ଗତ ଗୋଲିଆରେ ରାସ୍ତା କାମ ଚାଲିଥିବାରୁ ଠିକାଦାରଙ୍କ କ୍ୟାମ୍ପ ହୋଇଥିଲା ।
କିନ୍ତୁ ଏହି ରାସ୍ତା ନିର୍ମାଣକୁ ମାଓବାଦୀମାନେ ବିରୋଧ କରି ଆସୁଥିଲେ । ଗୁରୁବାର ଦିନ ୧୫/୨୦ ଜଣ ସଶସ୍ତ୍ର ମାଓବାଦୀ କ୍ୟାମ୍ପରେ ପହଞ୍ଚି ଠିକାଦାର ସୁକୁମାର ମଣ୍ଡଳଙ୍କୁ ବାହାରକୁ ଟାଣି ନେଇ ନିସ୍ତୁକ ମାଡ଼ ମାରିଥିଲେ ।
ଏହାପରେ ସେମାନେ ଟାଙ୍ଗିଆରେ ତାଙ୍କୁ ହାଣି ହତ୍ୟା କରିଥିଲେ । କ୍ୟାମ୍ପ ଛାଡ଼ି ଯିବା ପୂର୍ବରୁ ସୁକୁମାରଙ୍କ ଏସୟୁଭି, ଏକ ଟ୍ରାକ୍ଟର ସମେତ ତିନୋଟି ଗାଡ଼ିରେ ମାଓବାଦୀମାନେ ନିଆଁ ଲଗାଇ ଦେଇଥିଲେ ।
ଉଲ୍ଲେଖଯୋଗ୍ୟ, ଗତ ରବିବାର ସ୍ୱାଭିମାନ ଅଞ୍ଚଳରେ ଯବାନଙ୍କ ସହ ଗୁଳି ବିନିମୟରେ ଦୁଇ ଜଣ ମାଓ କ୍ୟାଡର ନିହତ ହୋଇଥିଲେ । ତେଣୁ ମାଓବାଦୀ ଏବେ ପ୍ରତିଶୋଧପରାୟଣ ହୋଇ ହତ୍ୟା ଓ ପୋଡ଼ାଜଳା କରିଛନ୍ତି ।
ଲୋକାଲ ୱାୟାର
Leave a Reply