ଚୌଦ୍ୱାର, ଏପ୍ରିଲ ୧୪ (ଲୋକାଲ ୱାୟାର): କଟକ ଜିଲ୍ଲାର ଡାଳିଯୋଡ଼ା ଜଙ୍ଗଲ ରେଞ୍ଜ ଅନ୍ତର୍ଗତ ଆମ୍ବିଳିଝରି ଗାଁରୁ ଦ୍ୱାଦଶ/ତ୍ରୟୋଦଶ ଶତାବ୍ଦୀର ଏକ ପ୍ରାଚୀନ କୂଅ ଆବିଷ୍କୃତ ହୋଇଛି । କୂଅକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅନେକ ଲୋକକଥା ଥିଲେ ବି ଘଞ୍ଚ ଡାଳପତ୍ର ଭିତରେ ଏହା ଘୋଡ଼େଇ ହୋଇ ରହିଥିବାରୁ ଏହାର ଅସ୍ତିତ୍ୱ ଲୋକଲୋଚନ ଆଢୁଆଳରେ ଥିଲା ।

କିଲା ଡାଳିଜୋଡ଼ାରେ ରହୁଥିବା ପଞ୍ଚକୁଟ ରାଜପରିବାରର ଦେବଜିତ ସିଂହଦେଓ ସ୍ଥାନୀୟ ଆଦିବାସୀମାନଙ୍କ ସାହାଯ୍ୟରେ ସେହି ଘଞ୍ଚ ଡାଳପତ୍ର ଓ ବୁଦା ସଫା କରାଇବା ପରେ ପ୍ରାଚୀନ କୂଅଟି ଦୃଷ୍ଟିଗୋଚର ହୋଇଥିଲା ।

ଏ ସମ୍ପର୍କରେ ସେ ଇନଟାକକୁ ଜଣାଇବା ପରେ ଅନୀଲ ଧୀର, ବିଶ୍ୱଜିତ ମହାନ୍ତି, ଦୀପକ ନାୟକ ଓ ସୁମନ ପ୍ରକାଶ ସ୍ୱାଇଁଙ୍କୁ ନେଇ ଗଠିତ ଚାରି ଜଣିଆ ଟିମ ଘଟଣାସ୍ଥଳରେ ପହଞ୍ଚି ପ୍ରାଚୀନ କୂଅଟିର ସର୍ବେକ୍ଷଣ କରିଥିଲେ ।

ସ୍ଥାନୀୟ ଆମ୍ବିଳିଝରି ଗାଁର କିଛି ଆଦିବାସୀ ଲୋକଙ୍କ ସହାୟତାରେ ଟିମ କୂଅ ଓ ଏହାର ପରିବେଶର ବିସ୍ତୃତ ସର୍ବେକ୍ଷଣ କରିଥିଲା । ବର୍ଗ କ୍ଷେତ୍ର ଡିଜାଇନରେ ନିର୍ମିତ କୂଅଟିର କିଛି ପାହାଚ ଭିତରକୁ ଯାଇଛି ।

ସମୂଦାୟ ଢାଞ୍ଚା ନିଖୁଣ ଜ୍ୟାମିତିକ ପ୍ୟାଟର୍ଣ୍ଣରେ ନିର୍ମିତ ହୋଇଥିବା ବେଳେ ତଳ ସ୍ତରରେ ସୁନ୍ଦର କାରୁକାର୍ଯ୍ୟଭରା ବାଲି ପଥର ଓ ଉପର ଭାଗରେ ଲାଟେରାଇଟ ପଥର ଖଣ୍ଡ ରହିଛି । କୂଅ ପରିସରରେ ଦୁଇଟି ମନ୍ଦିରର ପୀଢା ବିକ୍ଷିପ୍ତ ଭାବେ ପଡି ରହିଛି ।

ପାହାଚ ତିଆରିରେ ନିର୍ମିତ ଲାଟେରାଇଟ ପଥରଗୁଡ଼ିକ କୌଣସି ପ୍ରାଚୀନ ମନ୍ଦିରୁ ଆସିଥିବା ଜଣାପଡୁଛି । ମସ୍ତକ ଭାଗର ଅମାଲକା ତିନିଟି ଭାଗରେ ପଡ଼ି ରହିଛି । କୂଅଟି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭାଇବୋହୂ ଦେଢଶୁର କୂଅ ନାମରେ ପରିଚିତ ।

କୂଅ ପାଣିର ବହୁ ଔଷଧୀୟ ଗୁଣ ରହିଥିବା ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି । ଡାଳିଯୋଡା ଅଞ୍ଚଳଟି ପ୍ରାଚୀନ ପାଞ୍ଚ କଟକର ଅଂଶବିଶେଷ ଥିଲା । ଅମରାବତୀ କଟକ ଏବଂ ଚୌଦ୍ୱାର କଟକର ପ୍ରବେଶ ଦ୍ୱାର ଭାବେ ବ୍ୟବହୃତ ହେଉଥିଲା ।

ଗବେଷକ ଅନୀଲ ଧୀରଙ୍କ ଅନୁଯାୟୀ, ଏପରି ନିଆରା କାରୁକାର୍ଯ୍ୟ ହୋଇଥିବା କୂଅ ପ୍ରାଚୀନ କଳିଙ୍ଗ ମନ୍ଦିରଗୁଡ଼ିକରେ ବେଳେବେଳେ ଦେଖିବାକୁ ମିଳିଥାଏ । ଘଟଣାସ୍ଥଳରେ ଦେଖିବାକୁ ମିଳିଥିବା ପ୍ରାଚୀନ ମନ୍ଦିରର ପଥର ଖଣ୍ଡ, ମାଟି ପାତ୍ର ଆଦି ସେହି ଅଞ୍ଚଳରେ ପ୍ରାଚୀନ ଗାଁ ଓ ଧାର୍ମିକ ସ୍ଥଳର ଉପସ୍ଥିତିକୁ ଦର୍ଶାଉଛି ।

କୂଅଟି କେବଳ ଡାଳପତ୍ର ଘୋଡ଼େଇ ହୋଇ ରହିଥିଲା । ପ୍ରାଚୀନ କୂଅଟି ଏବେ ବି ଅତୁଟ ରହିଛି । ଇନଟାକ ଟିମ ନିଜ ସର୍ବେକ୍ଷଣ ରିପୋର୍ଟ ରାଜ୍ୟ ପ୍ରତ୍ନତତ୍ୱ ବିଭାଗକୁ ପ୍ରଦାନ କରିଛି । ପ୍ରତ୍ନତତ୍ୱ ବିଭାଗ ତୁରନ୍ତ ସ୍ଥାନଟିର ସର୍ବେକ୍ଷଣ କରି ଏହାର ସୁରକ୍ଷା ପାଇଁ ପଦକ୍ଷେପ ନେବା ଉଚିତ ।

ଏହା ଏକ ସମୃଦ୍ଧ ପ୍ରତ୍ନତାତ୍ତ୍ୱିକ ସ୍ଥାନ ହୋଇଥିବାରୁ ଉପଯୁକ୍ତ ଭାବେ ଖନନ କଲେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୋକଲୋଚନକୁ ଆସିବ ବୋଲି ଡଃ ବିଶ୍ୱଜିତ ମହାନ୍ତି କହିଛନ୍ତି । ମହାନଦୀ ଉପତ୍ୟକାର କୀର୍ତିରାଜି ତାଲିକାରେ ଏହି ସ୍ଥାନକୁ ନଥିଭୁକ୍ତ କରିବାକୁ ଦାବି କରିଛନ୍ତି ଟିମର ଅନ୍ୟତମ ସଦସ୍ୟ ଦୀପକ କୁମାର ନାୟକ ।

କୂଅଟି ଏଯାବତ ଆବିଷ୍କୃତ ହୋଇନଥିବାରୁ ଏହା ତାଲିକାରେ ସ୍ଥାନ ପାଇନାହିଁ । ପୂର୍ବରୁ ସେ ମହାନଦୀ ଅବବାହିକାର ଉପର ଓ ତଳ ମୁଣ୍ଡରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ସାରିଛନ୍ତି ।

ରାଜ୍ୟରେ ଥିବା କୀର୍ତିରାଜିଗୁଡ଼ିକର ଉପଯୁକ୍ତ ତାଲିକା ଓ ନଥିପତ୍ର ପ୍ରସ୍ତୁତିକୁ ଇନଟାକ ଟିମ୍ ଗୁରୁତ୍ୱ ଦେଇଛି ।

ଲୋକାଲ ୱାୟାର