ଭୁବନେଶ୍ୱର, ଏପ୍ରିଲ ୨୯(ଲୋକାଲ ୱାୟାର); ମହାମାରୀ କରୋନା କବଳରେ ଆଜି ସମଗ୍ର ବିଶ୍ୱ ଥରୁଛି । ଜନଜୀବନ ପ୍ରଭାବିତ ହୋଇ ପଡ଼ିଥିଲା ବେଳେ ଲକ୍ ଡାଉନ୍ ସବୁଠି ଲକ୍ ପକାଇ ଦେଇଛି ।
ଫଳରେ ଚଳିତ ବର୍ଷ ବିଶ୍ୱ ନୃତ୍ୟ ଦିବସକୁ ନୃତ୍ୟଶିଳ୍ପୀମାନେ ସରକାରଙ୍କ ନିୟମ ମାନି ଘରେ ରହି ଡିଜିଟାଲ୍ ପ୍ଲାଟଫର୍ମରେ ପାଳିବାକୁ ନିଷ୍ପତ୍ତି ନେଇଛନ୍ତି ।
ଏହାରି ମାଧ୍ୟମରେ ଅନ୍ୟମାନଙ୍କ ମନୋରଞ୍ଜନ କରିବା ପ୍ରଥମ କର୍ତ୍ତବ୍ୟ ବୋଲି ଶିଳ୍ପୀମାନେ କହିଛନ୍ତି ।
ବିଶ୍ୱ ନୃତ୍ୟ ଦିବସ ଉପଲକ୍ଷେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ସଂସ୍କୃତି ମନ୍ତ୍ରଣାଳୟ ଅନଲାଇନରେ ଏହି ଦିବସ ପାଳନ କରଯିବ ।
ଏହି ଅବସରରେ ଅପରାହ୍ନ ୪ ଟାରେ ‘ମିଟ୍ ଦ ମାଷ୍ଟର୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ଏକାଡେମୀ ରତ୍ନ ଏବଂ ପଦ୍ମଶ୍ରୀ ଉପାଧିପାପ୍ତ ଯତୀନ ଗୋସ୍ୱାମୀ ବାର୍ତ୍ତା ରଖିବେ ।
ସେ ସତ୍ରିୟା ନୃତ୍ୟ ପରମ୍ପରା ଉପରେ ବକ୍ତବ୍ୟ ରଖିବେ । ଏହାର ସିଧା ପ୍ରସାରଣ ଏକାଡେମୀର ଫେସବୁକ୍ ପେଜ୍ ଏବଂ ୟୁଟୁ୍ୟବ୍ ଚ୍ୟାନେଲରେ ପ୍ରସାରିତ ହେବ ।
ସେହିପରି ଦୀର୍ଘ ୧୯ ବର୍ଷ ପରେ ଗୁରୁ କେଳୁଚରଣ ମହାପାତ୍ର ଓ ବିଦୁଷୀ ଗିରିଜା ଦେବୀଙ୍କ ଏକ ସୁନ୍ଦର ସ୍ମୃତିଭରା ଯୁଗଳବନ୍ଦୀକୁ ଦେଖିବାର ସୁଯୋଗ ପାଇବେ ଦର୍ଶକ ।
ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବସା ‘ସୃଜନ’ ନୃତ୍ୟାନୁଷ୍ଠାନ ପକ୍ଷରୁ ବୁଧବାର ବିଶ୍ୱ ନୃତ୍ୟ ଦିବସ ଅବସରରେ ସନ୍ଧ୍ୟା ୭ ଟାରେ ଦର୍ଶକ ଫେସବୁକ୍ ଓ ଇନଷ୍ଟାଗ୍ରାମରେ ଏହି କାର୍ଯ୍ୟକ୍ରମକୁ ଲାଇଭ୍ ଦେଖିପାରିବେ ବୋଲି ‘ସୃଜନ’ର ନିଦେ୍ର୍ଦଶକ ଗୁରୁ ରତିକାନ୍ତ ମହାପାତ୍ର କହିଛନ୍ତି ।
ସରକାରଙ୍କ ନିୟମ ମାନି ଡିଜିଟାଲ୍ ପ୍ଲାଟଫର୍ମରେ ଓଡ଼ିଶା ଡ୍ୟାନ୍ସ ଏକାଡେମୀର ସମସ୍ତ ଶିଳ୍ପୀ ଗୋଟିଏ ଗୀତରେ ଏକ ନିର୍ଦ୍ଦିଷ୍ଟ ସମୟରେ ନୃତ୍ୟ କରି ତା’ର ଭିଡିଓକୁ ପୋଷ୍ଟ କରିବେ ।
ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରର ୩୬ଜଣ ଶିଳ୍ପୀ ସାମିଲ ହେବେ ବୋଲି ବିଶିଷ୍ଟ ନୃତ୍ୟ ଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତି ।
ଯେଉଁ ବିଜ୍ଞାନ ଗୋଟିଏ ଭୂତାଣୁ ନିକଟରେ ନିଜର ଅସହାୟତା ପ୍ରକାଶ କରି ସାରିଛି ସେହି ବିଜ୍ଞାନର ସାହାଯ୍ୟରେ ଅନଲାଇନରେ ବିଶ୍ୱ ନୃତ୍ୟ ଦିବସ ପାଳନ କରାଯିବ ବୋଲି ନୃତ୍ୟଶିଳ୍ପୀ ତଥା ଆଲେଖ୍ୟ ଲେଖକ ଓ ସଂଯୋଜକ ଓଡ଼ିଶୀ ନୃତ୍ୟରେ ପ୍ରଥମ ଡିଲିଟ୍ ପାଇଥିବା ଡ. ଶ୍ରୀନିବାସ ଘଟୁଆରୀ କହିଛନ୍ତି ।
ନୃତ୍ୟ ଶିଳ୍ପୀ ଶାଶ୍ୱତ କହିଛନ୍ତି, ଏହି ଦିବସ ଅବସରରେ ଏସଜେ ଫିଲ୍ମସ ପ୍ରଯୋଜନାରେ ନିର୍ମିତ ପ୍ରାମାଣିକ ଚଳଚ୍ଚିତ୍ର ‘ଘୁଙ୍ଗୁର ମିସିଙ୍ଗ୍?’ ରିଲିଜ୍ ହେବ ।
ଭାରତୀୟ ସିନେମା ଇତିହାସରେ ପ୍ରଥମ ଥର ପାଇଁ ବିଶ୍ୱ ନୃତ୍ୟ ଦିବସ ଅବସରରେ ଏହିଭଳି ଏକ ଚଳଚ୍ଚିତ୍ର ରିଲିଜ୍ ହେବ । ଯେଉଁଥିରେ ୨୫ ଟି ଦେଶରେ ରହୁଥିବା ଓଡ଼ିଆ ଭାଇ ଓ ଭଉଣୀ ଅଂଶଗ୍ରହଣ କରିଛନ୍ତି ।
ସମସ୍ତେ ‘କୋଭିଡ୍-୧୯’ର ନିୟମ ମାନି ସାମାଜିକ ଦୂରତା ରକ୍ଷା କରି ଘରେ ରହି ଏହି ଚଳଚ୍ଚିତ୍ର ପ୍ରସ୍ତୁତିରେ ସହଯୋଗ କରିଛନ୍ତି । ଏହାର ଅବଧି ୧୨ ମିନିଟ୍ ରହିଛି ।
ବୁଧବାର ପୂର୍ବାହ୍ନ ୧୦ଟା ୧୦ ରେ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ରିଲିଜ୍ ହେବ । ପ୍ରଥମେ ଲାଇଭ୍ ଷ୍ଟ୍ରିମିଂ ହେବ, ଯାହାକୁ ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ବ୍ୟକ୍ତିବିଶେଷ ଦେଖିପାରିବେ ।
ଲୋକାଲ ୱାୟାର
Leave a Reply