ପୁରୀ, ଡିସେମ୍ବର ୧୨(ଲୋକାଲ ୱାୟାର): ଆସନ୍ତା ୨୦ ତାରିଖ ପରେ ପୁରୀ ବାସୀ ଏବଂ ଜାନୁଆରୀ ୩ ତାରିଖରୁ ସମସ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ସକାଶେ ଶୀଘ୍ର ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବାକୁ ଶନିବାର ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ହୋଇଥିବା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି ।
ଯଦି ରାଜ୍ୟ ସରକାର ଏହି ପ୍ରସ୍ତାବକୁ ଅନୁମୋଦନ କରନ୍ତି ତେବେ କରୋନା ମହାମାରୀ ଯୋଗୁ ପ୍ରାୟ ୯ ମାସ ପରେ ବ୍ୟାକୁଳ ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇପାରିବେ ।
ସେ କହିଛନ୍ତି, ଡିସେମ୍ବର ୨୨ରୁ ୨୪ ତାରିଖ ମଧ୍ୟରେ ଶ୍ରୀମନ୍ଦିର ଖୋଲିବାକୁ ଚିନ୍ତା କରାଯାଉଛି । ରାଜ୍ୟ ସରକାର ଅନୁମତି ଦେବା ପରେ ଭକ୍ତମାନଙ୍କୁ ନିର୍ଦ୍ଦିଷ୍ଟ ତାରିଖ ଜଣାଇ ଦିଆଯିବ ।
ବୈଠକର ପ୍ରସ୍ତାବ ସମ୍ପର୍କରେ ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ । ଶ୍ରୀମନ୍ଦିର ଖୋଲାଯିବା ପରେ ୫/୬ ଦିନ କ୍ରମାଗତ ପୁରୀ ବାସୀଙ୍କୁ ପ୍ରଥମେ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ଦିଆଯିବ । ତେବେ ଜାନୁଆରୀ ୧ ଓ ୨ ତାରିଖରେ ଭକ୍ତଙ୍କ ଗହଳି ହେବାର ଆଶଙ୍କା ଥିବାରୁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରଖାଯିବ ।
ସେ କହିଛନ୍ତି, ଶ୍ରୀମନ୍ଦିର ଖୋଲାଯିବା ପରେ କୋଭିଡ-୧୯ର ସମସ୍ତ କଟକଣାକୁ କଡ଼ାକଡ଼ି ପାଳନ କରାଯିବ । ଭକ୍ତଙ୍କ ଦର୍ଶନ ପାଇଁ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡୁ୍ୟର (ଏସଓପି) ପ୍ରସ୍ତୁତ କରାଯିବ ।
ଛୋଟ ପିଲା ଓ ୬୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଦର୍ଶନ ପାଇଁ ନ ଆସିବାକୁ ଅନୁରୋଧ କରାଯିବ । ପ୍ରାରମ୍ଭିକ ଭାବେ ସପ୍ତାହରେ ସର୍ବାଧିକ ୫ ହଜାର ଭକ୍ତଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ।
କିଛି ଦିନ ମଧ୍ୟରେ ଦୈନିକ ସର୍ବାଧିକ ୫ ହଜାର ଭକ୍ତଙ୍କୁ ଅନୁମତି ମିଳିପାରିବ । ପୁରୀ ବାହାରୁ ଆସୁଥିବା ଭକ୍ତମାନଙ୍କ ପାଇଁ କୋଭିଡ ନେଗେଟିଭ୍ ସାର୍ଟିଫିକେଟ ଆବଶ୍ୟକ ।
ତେବେ ସମସ୍ତ ଭକ୍ତମାନଙ୍କୁ ମହାପ୍ରସାଦ ମିଳିପାରିବ । ସମସ୍ତ ଭକ୍ତଙ୍କ ପାଇଁ ମାସ୍କ ଓ ସାନିଟାଇଜର ବାଧ୍ୟତାମୂଳକ ହେବ ।
ଶ୍ରୀମନ୍ଦିରର ଚାରି ଦ୍ୱାରରେ ଭକ୍ତମାନଙ୍କୁ ସାନିଟାଇଜର ଯୋଗାଇ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା କୁହାଯାଇଛି ।
ଲୋକାଲ ୱାୟାର
Leave a Reply