ଭୁବନେଶ୍ୱର, ଜାନୁଆରୀ ୨୨(ଲୋକାଲ ୱାୟାର): ନୂଆଦିଲ୍ଲୀ ସ୍ଥିତ ଓଡ଼ିଆ ବୁଦ୍ଧିଜୀବୀ ଫୋରମ୍ ଦି ଇଣ୍ଟେଲେକ୍ଟସ୍ ଦ୍ୱାରା ପ୍ରତି ବର୍ଷ ଆୟୋଜିତ ହେଉଥିବା ମାତୃଭାଷା ସମ୍ମିଳନୀର ୭ମ ବାର୍ଷିକ ସମାରୋହ ଆସନ୍ତା ଫେବ୍ରୁଆରୀ ୨୦ ଏବଂ ୨୧ ତାରିଖରେ ଆୟୋଜନ ହେବ ।
ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବାର ଘୋଷଣା ଦିବସ ଓ ବିଶ୍ୱମାତୃଭାଷା ଦିବସ ପାଳନ ଅବସରରେ ଏହି ସମ୍ମିଳନୀ ନୂଆଦିଲ୍ଲୀଠାରେ ପାଳନ କରାଯାଏ ।
ଏହା ଦେଶର ଏକମାତ୍ର ଭାଷା ମହୋତ୍ସବ, ଯାହା ଆମରି ଭାଷା ପଥେ ନାମରେ ମହାସମାରୋହରେ ଅନୁଷ୍ଠିତ ହୁଏ ।
ଏଥିପାଇଁ ଦି ଇଣ୍ଟେଲେକ୍ଟସର ଅଧ୍ୟକ୍ଷ ତଥା ସମ୍ମିଳନୀର ଆବାହକ ଦେବେନ୍ଦ୍ର ନାଥ ରାଉତଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି ।
ଚଳିତ ବର୍ଷ ବିଶିଷ୍ଟ ସାହିତି୍ୟକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କୁ ମାତୃଭାଷାର ଉନ୍ନତି କଳ୍ପେ ତାଙ୍କର ଜୀବନବ୍ୟାପୀ ଅବଦାନ ପାଇଁ ସମ୍ମାନଜନକ ଆମ ଗୌରବ ସମ୍ମାନ ପ୍ରଦାନ କରାଯିବ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି ।
ଏଥିସହିତ ଓଡ଼ିଆ ଭାଷା ପାଇଁ ବିଶେଷ ଅବଦାନ ରଖିଥିବା ବ୍ୟକ୍ତିତ୍ୱମାନଙ୍କ ସମ୍ମାନାର୍ଥେ ପ୍ରଦାନ କରାଯାଉଥିବା ପ୍ରବାସୀ ଭାଷା ସମ୍ମାନ ଆସନ୍ତା ମାସ ପ୍ରଥମ ସପ୍ତାହରେ ଘୋଷଣା କରାଯିବ ବୋଲି କୁହାଯାଇଛି ।
ଚଳିତ ବର୍ଷ କରୋନା କାରଣରୁ ସମ୍ମିଳନୀକୁ ଉଭୟ ଅନଲାଇନ୍ ଓ ଅଫଲାଇନରେ କରାଯିବ ।
କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ବ୍ୟକ୍ତିବିଶେଷ ଯୋଗଦେବେ । ଉପରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କୁ ଯୋଗଦେବାକୁ ଅନୁରୋଧ କରାଯାଇଛି ।
ଲୋକାଲ ୱାୟାର
Leave a Reply