ଭୁବନେଶ୍ୱର, ଜାନୁଆରୀ ୧୦(ଲୋକାଲ ୱାୟାର): ରବିବାର ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍ ଓଟିଟିରେ ରିଲିଜ୍ ହେଉଛି ୨୦୨୧ର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର । ଯାହାର ଶୀର୍ଷକ ରହିଛି ‘ପାପ’ ।
କିନ୍ତୁ ଏହା ହଲରେ ନୁହେଁ ଟିଭିରେ ପ୍ରିମିୟର ହେଉଛି ।
ଏହି ସିନେମା ମାଧ୍ୟମରେ ବର୍ଷ ଆରମ୍ଭରୁ ପାପ କରିବାକୁ ଯାଉଛନ୍ତି ଅଭିନେତ୍ରୀ ଏଲିନା ।
ହେଲେ ସେ କି ପ୍ରକାରର ପାପ କରୁଛନ୍ତି? କାହିଁକି କରୁଛନ୍ତି? କେଉଁ ପରିସ୍ଥିତିରେ ପଡ଼ି କରୁଛନ୍ତି? ତାହା ଜାଣିବାକୁ ହେଲେ ସନ୍ଧ୍ୟା ସାଢ଼େ ୬ଟାରେ ଟିଭି ଦେଖିବାକୁ ହେବ ।
ସେଥିପାଇଁ ଉଭୟ ଏଲିନା ଓ ପୂରା ଟିମ୍ ଉତ୍ସାହର ସହ ଅପେକ୍ଷା କରି ବସିଛନ୍ତି ।
ଏପଟେ ପ୍ରଶଂସକଙ୍କ ବି କିଛି କମ୍ ଅପେକ୍ଷା କରିନାହାନ୍ତି ।
କାରଣ ସିନେମାର ନାୟିକା ଏଲିନା ସାଜିଥିଲାବେଳେ ନିର୍ଦ୍ଦେଶନା ଦେଇଛନ୍ତି ଅଶୋକ ପତି । ତେଣୁ ସମସ୍ତଙ୍କ ନଜର ଦୁହିଁଙ୍କ ଉପରେ ।
ଜଣେ ପରଦା ପଛରେ ରହି ପାପ କରିବାକୁ ଖୋରାକ ଦେଇଛି ଆଉ ଜଣେ ପରଦା ଉପରେ ତାକୁ ପ୍ରସ୍ଫୁଟିତ କରିଛୁ ।
ନାରୀ କୈନ୍ଦ୍ରିକ ଏହି ସିନେମାରେ ଏଲିନାଙ୍କ ସହିତ ଅଙ୍କିତ ଅଭିନୟ କରିଛନ୍ତି । ଏଲିନା ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀର ଚରିତ୍ରରେ ଅଭିନୟ କରିଛନ୍ତି ।
ଅଭିନେତା ଅଶ୍ରୁମୋଚନ ପ୍ରମୁଖ ଭୂମିକାରେ ଥିବା ବେଳେ ପିଙ୍କି ପ୍ରଧାନ ପୁଲିସ୍ ଭୂମିକାରେ ନଜର ଆସିବେ ।
ସେହିପରି ଅଭିଷେକ ଗିରି, ପିଆଲି ଦାଶ, ରାଜା ଡି ପ୍ରମୁଖ ଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି । ଏହାର ପ୍ରଯୋଜନା କରିଛନ୍ତି କବିର ଦାସ ।
ସଂଳାପ ସଞ୍ଜୟ ମହାକୁଳ ଓ ବି. ଚନ୍ଦନ ଲେଖିଥିଲା ବେଳେ ସଙ୍ଗୀତ ଦେଇଛନ୍ତି ପ୍ରେମ୍ ଆନନ୍ଦ ।
କୋରିଓଗ୍ରାଫି କରିଛନ୍ତି ସୁଧାକର ବସନ୍ତ । ଡିଓପିରେ ସୋମିଓ ଆର୍ ଏବଂ ସମ୍ପାଦନାରେ ରଞ୍ଜନ ଖଟେଇ ସହାୟତା କରିଛନ୍ତି ।
ଏ ସିନେମା ୨୦୨୧ ବର୍ଷର, ତରଙ୍ଗର ଆଉ ଏଲିନାଙ୍କ ପ୍ରଥମ ସିନେମା ।
ଲୋକାଲ ୱାୟାର
Leave a Reply