ଭୁବନେଶ୍ୱର, ଏପ୍ରିଲ ୨୩(ଲୋକାଲ ୱାୟାର): କରୋନା ସଂକ୍ରମଣ ରୋକିବାକୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ୬୦ ଘଣ୍ଟା (ଗୁରୁବାର ରାତି ୧୦ରୁ ୨୬ ତାରିଖ ସକାଳ ୧୦) ସମ୍ପୂର୍ଣ୍ଣ ସଟଡାଉନ୍ (କର୍ଫ୍ୟୁ ଭଳି) ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି ।
ଏହି ସମୟରେ କେହି ଘରୁ ବାହାରି ପାରିବେନି ଏବଂ ସମସ୍ତ ଦୋକାନ, ବଜାର ବନ୍ଦ ରହିବ । କେବଳ ସ୍ୱାସ୍ଥ୍ୟସେବା ଭଳି ଅତ୍ୟାବଶ୍ୟକ ଜରୁରି ସେବା ଜାରି ରହିବ ।
ଏହି ସମୟରେ ପନିପରିବା, ଗ୍ରୋସରୀ, ମାଛମାଂସ, ଫଳ, ଅଣ୍ଡା କିମ୍ବା କ୍ଷୀର ଦୋକାନ ମଧ୍ୟ ଖୋଲିବନି । ଅନୁମତି ପାଇଥିବା ହାତଗଣତି ଔଷଧ ଦୋକାନ ଖୋଲିବ ।
ମେଡିକାଲ, ପେଟ୍ରୋଲ ପମ୍ପ, ଜଳଯୋଗାଣ ଓ ପରିମଳ ଅଫିସ ସ୍ୱାଭାବିକ ଭାବେ କାର୍ଯ୍ୟ କରିବ । ତେବେ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ଜାରି ରହିବ ।
ଉଲ୍ଲେଖଯୋଗ୍ୟ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଏବେ ପାଲଟିଛି ହଟସ୍ପଟ୍ । ପଶ୍ଚିମବଙ୍ଗ ଲିଙ୍କ୍ ରୁ ଗତ ୫ ଦିନରେ ଏହି ୩ ଜିଲ୍ଲାରେ ୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଅନେକ ଅଞ୍ଚଳ କଣ୍ଟେନେମେଣ୍ଟ ଜୋନ୍ ଘୋଷଣା ହୋଇଥିଲେ ବି ଆକ୍ରାନ୍ତ ବଢ଼ି ଚାଲିଛନ୍ତି । ତେଣୁ ତିନି ଜିଲ୍ଲାରେ ସର୍ଭେକୁ ବ୍ୟାପକ କରାଯାଇ ୩ ଗୁଣା ନମୁନା ପରୀକ୍ଷା କରାଯିବ ।
ଆକ୍ରାନ୍ତମାନେ କେଉଁ ମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ତାହାର ଖୋଳତାଡ଼ ହେବ । ଅଞ୍ଚଳକୁ ବ୍ୟାପକ ବିଶୋଧନ କରାଯିବ ।
କଣ୍ଟେନମେଣ୍ଟ ଜୋନ୍ ସହ ପଶ୍ଚିମବଙ୍ଗରୁ ଫେରିଥିବା ବ୍ୟକ୍ତି ରହୁଥିବା ଅଞ୍ଚଳରେ ସଂକ୍ରମଣ ଚେନ୍ ଭଙ୍ଗାଯିବ ।
ଇତି ମଧ୍ୟରେ, ପଶ୍ଚିମବଙ୍ଗ ସୀମା ସିଲ୍ କରାଯାଇ ୨୭ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ତିନି ଜିଲ୍ଲାରେ ପଶ୍ଚିମବଙ୍ଗରୁ ଯେଉଁମାନେ ଫେରିଛନ୍ତି ସେମାନେ ନିଜ ଆଡୁ ସୂଚନା ଦେବାକୁ ସରକାର ଅନୁରୋଧ କରିଛନ୍ତି ।
ଲୋକାଲ ୱାୟାର
Leave a Reply