ଭୁବନେଶ୍ୱର, ସେପ୍ଟେମ୍ବର ୨୮(ଲୋକାଲ ୱାୟାର): ଆଗାମୀ ତିନି ବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନିିରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଘୋଷଣା କରିଛନ୍ତି ।
ବାଲେଶ୍ୱରରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବସ୍ତି ଉନ୍ନୟନକରଣ ଯୋଜନାର ଶୁଭାରମ୍ଭ କରି କହିିଲେ, ସହରର ବିକାଶ ଠାରୁ ଆରମ୍ଭ କରି କୋଭିଡ ଲଢ଼େଇ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବସ୍ତିର ଗରିବ ଲୋକମାନେ ଆଗରେ ରହି କାମ କରୁଛନ୍ତି ।
ତେଣୁ ବିକାଶ ଉପରେ ସେମାନଙ୍କର ସମାନ ଅଧିକାର ରହିଛି । ନୂତନ ଯୋଜନାରେ ବସ୍ତିରେ ବିଜୁଳି, ଭଲ ପିଇବା ପାଣି, ରାସ୍ତା, ଗୋଷ୍ଠୀକେନ୍ଦ୍ର ଆଦି ନାଗରିକ ସୁବିଧାର ବିକାଶ କରି ବସ୍ତିର ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଅଣାଯିବା ସହିତ ଜୀବିକା ପାଇଁ ମଧ୍ୟ ସୁଯୋଗ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ରାଜ୍ୟର ଏକ ହଜାର ବସ୍ତିରେ ତୁରନ୍ତ ଏହି ଯୋଜନା ଆରମ୍ଭ କରାଯିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାଲେଶ୍ୱରର ୪୧ଟି ବସ୍ତିର ୨୦୫୪ ଜଣଙ୍କୁ ଏବଂ ସମଗ୍ର ରାଜ୍ୟରେ ୧,୦୫,୦୦୦ ଜଣଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ପୂର୍ବରୁ ୬୦ ହଜାର ବସ୍ତି ଲୋକଙ୍କୁ ଏହା ବଣ୍ଟନ କରାଯାଇଛି । ଆଗାମୀ ତିନି ମାସ ମଧ୍ୟରେ ୧ ଲକ୍ଷ ୬୫ ହଜାରରୁ ଅଧିକ ଲୋକଙ୍କୁ ଏହା ମିଳିବ । ରାଜ୍ୟର ୧୦୧ଟି ପୌରାଞ୍ଚଳର ୧୭୧୮ଟି ବସ୍ତିର ସାଢ଼େ ୪ ଲକ୍ଷ ଲୋକ ଏହାଦ୍ୱାରା ଉପକୃତ ହେବେ ବୋଲି ଲକ୍ଷ୍ୟ ରହିଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୧୬ଟି ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ‘ପରିଚୟ’ ମଧ୍ୟ ଲୋକାର୍ପଣ କରିଥିଲେ ।
ଏବେ ଆଉ ୪ଶହଟି ‘ପରିଚୟ’ ନିର୍ମାଣାଧୀନ ରହିଛି । ମୁଖ୍ୟମନ୍ତ୍ରୀ ବସ୍ତି ଉନ୍ନତିକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଏହାର ଏସଓପି ଉନ୍ମାଚନ କରିଥିଲେ ।
ଏହି ଅବସରରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ଦିଲ୍ଲୀସ୍ଥିତ ସେଣ୍ଟର ଫର ପଲିସି ରିସର୍ଚ୍ଚ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା ।
କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ବିଭାଗୀୟ ଶାସନ ସଚିବ ଜି.ମାଥିଭାତନନ୍, ଜାଗା ମିଶନ ନିଦେ୍ର୍ଦଶକ ସଂଗ୍ରାମଜିତ ନାୟକ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି)ଭି.କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ ।
ଲୋକାଲ ୱାୟାର
Leave a Reply