ଭୁବନେଶ୍ୱର, ଫେବ୍ରୁଆରୀ ୩(ଲୋକାଲ ୱାୟାର): ରାଜଧାନୀର ଜନତା ମୈଦାନରେ ଗତ ମାସ ୨୧ ତାରିଖରୁ ଆରମ୍ଭ ହୋଇଥିବା ତୋଷାଳି ମେଳାକୁ ଏବେ ଲୋକଙ୍କ ସୁଅ ଛୁଟୁଛି ।
ସମଗ୍ର ମୈଦାନ ସୌନ୍ଦର୍ଯ୍ୟର ମାୟାପୁରୀ ଭାବେ ଦେଖାଯାଉଛି । ବିବିଧ ସୌନ୍ଦର୍ଯ୍ୟର ଅପରୂପ କାରୁକଳା ଦେଖି ଦର୍ଶକମାନେ ବିମୋହିତ ହେଉଛନ୍ତି ।
ଜାତୀୟ ହସ୍ତଶିଳ୍ପ ମେଳା ତୋଷାଳିର ମଧ୍ୟଭାଗରେ ଉତ୍କଳୀୟ ଦେବତା ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ସୁଦୃଶ୍ୟ ମୂର୍ତ୍ତିର ଅପରୂପ ଶୋଭା ଜଗନ୍ନାଥପ୍ରାଣ ଉକ୍ରଳୀୟଙ୍କୁ ଘଡ଼ିଏ ଅଟକାଇ ଦେଉଛି ।
କଟକ ବଡ଼ମ୍ବା ଷ୍ଟଲରେ ଓଁ ଭିତରେ ଶ୍ରୀଜଗନ୍ନାଥଙ୍କ ଶୋଭା ବେଶ୍ ସୁନ୍ଦର ଦିଶୁଛି । ଫିରିଙ୍ଗିଆ ଓ ଗଣ୍ଡମୁଣ୍ଡାର କାଷ୍ଠଶିଳ୍ପ ଷ୍ଟଲରେ ଦର୍ଶକଙ୍କର ନାହିଁ ନଥିବା ଭିଡ଼ ।
ଭିଡ଼ ଲାଗିଛି ପିପିଲିର ଚାନ୍ଦୁଆ ଷ୍ଟଲରେ । ଉତ୍କଳିକା, ଅମ୍ଲାନ, ବୟନିକା, ସମ୍ବଲପୁରୀ ବସ୍ତ୍ରାଳୟରେ ଅଧିକ ଭିଡ଼ ହେଉଛି ।
ଛତିଶଗଡ଼ର ଲୌହଶିଳ୍ପ, ତେଲଙ୍ଗାନାର ଚମଡ଼ା ଶିଳ୍ପ, ରାଜସ୍ଥାନ, ପଞ୍ଜାବ ଓ ମଣିପୁର ବୟନ ଶିଳ୍ପ, ଆସାମର ବାଉଁଶ ଶିଳ୍ପ ଆଦି ଷ୍ଟଲ ଗୁଡ଼ିକ ଭାରତୀୟ ସୌନ୍ଦର୍ଯ୍ୟ ଓ କଳାଚେତନାର ଅନନ୍ୟ ପ୍ରତିଭାକୁ ପ୍ରଦର୍ଶନ କରୁଛି ।
କର୍ଣ୍ଣାଟକର ଚନ୍ଦନଯୁକ୍ତ ବିବିଧ ପ୍ରସାଧନ ସାମଗ୍ରୀ କିଣିବାକୁ ଦର୍ଶକ ପସନ୍ଦ କରୁଛନ୍ତି । ଆଗ୍ରାର ସୁନ୍ଦର କାଚ ସାମଗ୍ରୀ ଦର୍ଶକଙ୍କ ମନ ମୋହୁଛି ।
ହିମାଚଳ ପ୍ରଦେଶର ଶୀତରୋକା ଜ୍ୟାକେଟ ଲୋକଙ୍କ ପସନ୍ଦ ହେଉଛି । କେନ୍ଦୁଝର ଭଗାମୁଣ୍ଡାର ଟସର ସିଲ୍କ ପାର୍କ ଷ୍ଟଲରେ ଟସର ଜ୍ୟାକେଟ ସହିତ ଅନ୍ୟାନ୍ୟ ସାମଗ୍ରୀର ଭଲ ଚାହିଦା ରହିଛି । ଫେବ୍ରୁଆରୀ ୪ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ ।
ଲୋକାଲ ୱାୟାର
Leave a Reply