ଭୁବନେଶ୍ୱର, ଅଗଷ୍ଟ ୨୮(ଲୋକାଲ ୱାୟାର): କଟକର ଦିବ୍ୟାଙ୍ଗ ଝିଅ ଦୀପାଙ୍କୁ ସହାୟତାର ହାତ ବଢ଼ାଇ ସମ୍ମାନିତ କରିଛି ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀଙ୍କ ଟିମ୍ ‘ସମ୍ମାନିତା’ । କଟକ ସୂତାହାଟରେ ରହୁଛନ୍ତି ଦୀପା ।
ଛୋଟବେଳୁ ଭିନ୍ନକ୍ଷମ । ବାପା ନାହାନ୍ତି । ଦୀର୍ଘ ୧୯ ବର୍ଷ ହେଲା ସେମାନଙ୍କୁ ଛାଡ଼ି ଚାଲି ଗଲେଣି । ପରିବାର ଚଳିବ କେମିତି । ସବୁ ଦାୟିତ୍ୱ ଦୀପାଙ୍କ ଉପରେ ।
ତାଙ୍କ ମା’ ଏନ୍ ଈଶ୍ୱରୀ ଅନେକ କଷ୍ଟ ସହି ଦୁଇ ପିଲାଙ୍କୁ ମଣିଷ କରିଛନ୍ତି । ଦୀପାଙ୍କ ଭାଇ ମଧ୍ୟ ଭିନ୍ନକ୍ଷମ । ଏହି କରୋନା ସମୟରେ ଦୀପା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିବା ସହିତ ପେଟ ପୋଷିବା ପାଇଁ ଚିନ୍ତାରେ ଥିଲେ ।
ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଏ ଘଟଣା ଅଭିନେତ୍ରୀ ବର୍ଷାଙ୍କ ପାଖରେ ପହଞ୍ଚିଥିଲା । ଏହି ଖବର ପାଇ ବର୍ଷା ସଙ୍ଗେ ସଙ୍ଗେ ଦୀପାଙ୍କୁ ଭେଟି ସୁବିଧା ଓ ଅସୁବିଧା କଥା ବୁଝିଥିଲେ ।
ସାଙ୍ଗରେ ଥିଲେ ଟିମ୍ ‘ସମ୍ମାନିତା’ର ସଦସ୍ୟଗଣ । ବର୍ଷା ଦୀପାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମୁଁ ଆଉ ଆମ ଟିମ୍ ‘ସମ୍ମାନିତା’ ତୁମ ସାଙ୍ଗରେ ଅଛୁ ।
ବ୍ୟସ୍ତ ହୁଅନାହିଁ । ତା’ପରେ ବର୍ଷା ଓଡ଼ିଶା ସରକାରଙ୍କ ଓରମାସ୍ ସହିତ ଯୋଗାଯୋଗ କରି ଦୀପାଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ।
ଦୀପା କିପରି ଦି’ ପଇସା ରୋଜଗାର କରି ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇପାରିବ ଏବଂ ପରିବାରର ଦାୟିତ୍ୱ ତୁଲାଇ ପାରିବ ସେ ବ୍ୟବସ୍ଥା କରିବାକୁ କଥା ହୋଇଥିଲେ ।
ଶେଷରେ ବର୍ଷାଙ୍କ କଥା ରଖି ଦୁଇଦିନ ତଳେ ଓରମାସ୍ ପକ୍ଷରୁ ଦୀପାଙ୍କୁ ଏକ ମାସ୍କ ଷ୍ଟଲ୍ ଯୋଗାଇ ଦିଆଯାଇଛି । ତାଙ୍କର ଭଲ ରୋଜଗାର ମଧ୍ୟ ହେଉଛି ।
ଗତକାଲି ବର୍ଷା ନିଜେ ଷ୍ଟଲକୁ ଯାଇ ଦୀପାଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ । ଦିନକୁ ଦୀପାଙ୍କର ୨ରୁ ୩ ହଜାର ଟଙ୍କାର ବ୍ୟବସାୟ ହେଉଥିବା ଦୀପା କହିଛନ୍ତି । ଏଥିସହିତ ସେ ବର୍ଷାଙ୍କୁ ବହୁତ ବହୁତ ଧନ୍ୟବାଦ ଦେଇଛନ୍ତି ।
ତାଙ୍କ ପାଇଁ ମୁଁ ଏବଂ ମୋ’ ପରିବାର ବଞ୍ଚିବାର ସାହାରା ପାଇଛୁ । ଆଗାମୀ ଦିନରେ ଆଉ କିଛି ସହଯୋଗ କରିବାକୁ ବର୍ଷା ଦୀପାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।
ବର୍ଷାଙ୍କର ଏହି ମହାନ କାର୍ଯ୍ୟ ଲାଗି ତାଙ୍କୁ ବିଭିନ୍ନ ସ୍ତରରୁ ପ୍ରଶଂସା ମିଳିଛି । କିଛି ଫ୍ୟାନ୍ସ କହିଛନ୍ତି, ଓଲିଉଡ କୁଇନ୍ ଏତେବଡ଼ କାର୍ଯ୍ୟକରି କୁଇନ୍ ହେବାର ମର୍ଯ୍ୟାଦା ରଖିଛନ୍ତି ।
ଲୋକାଲ ୱାୟାର
Leave a Reply