ଭୁବନେଶ୍ୱର, ଜାନୁଆରୀ ୧୬(ଲୋକାଲ ୱାୟାର): କରୋନା ମହାମାରୀ ସମୟରେ ଦୀର୍ଘ ଦଶ ମାସ କରୋନା ଯୋଦ୍ଧାମାନେ ଯେଉଁ ତ୍ୟାଗ କରିଛନ୍ତି ତାହା ଭୁଲି ହେବନାହିଁ ବୋଲି ଶନିବାର କୋଭିଡ ଟିକାକରଣ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଉତ୍ସାହିତ କରି କହିଛନ୍ତି ।
ଟିକାକରଣର ପ୍ରଥମ ଦିନରେ ଟିକା ନେଇଥିବା ସଫେଇ କର୍ମଚାରୀ, ସ୍ୱାସ୍ଥ୍ୟକର୍ମୀ ଏବଂ ଡାକ୍ତରମାନଙ୍କୁ ଭିଡିଓ କନଫରେନ୍ସିଂରେ ଶୁଭେଚ୍ଛା ଜଣାଇବା ସହ ମୁଖ୍ୟମନ୍ତ୍ରୀ କହିଥିଲେ, ୨୦୨୧ ଭଲ ଖବର ଆଣିଛି ।
ମହାମାରୀ ସମୟରେ ତ୍ୟାଗ ଓ ସେବା ଦେଖାଇଥିବା କୋଭିଡ ଯୋଦ୍ଧାଙ୍କ ପାଇଁ ଆମେ ଗର୍ବିତ ।
ଟିକାକରଣ ଏବର୍ଷର ସବୁଠାରୁ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ଏହାକୁ ସଫଳ କରିବାକୁ ବିଶେଷ କରି ସ୍ୱାସ୍ଥ୍ୟକର୍ମୀଙ୍କ ସହଯୋଗ ଆବଶ୍ୟକ ।
ସମସ୍ତଙ୍କ ସହଯୋଗରେ ଓଡ଼ିଶା କରୋନା କୋଭିଡ୍ ମହାମାରୀକୁ ନିୟନ୍ତ୍ରଣ କରିପାରିଛି । ଦେଶରରେ ଆମ ରାଜ୍ୟରେ ଅଧିକ ଆରୋଗ୍ୟ ହାର ଓ କମ୍ ମୃତୁ୍ୟହାର ରହିଛି ।
ଆମ ଦେଶର ବୈଜ୍ଞାନିକ ମାନେ କରୋନା ଟିକା ଉଦ୍ଭାବନ କରି ଦେଶ ପାଇଁ ଗୌରବ ଆଣିଛନ୍ତି ବୋଲି ସେ କହିଥିଲେ ।
ମୁଖ୍ୟମନ୍ତ୍ରୀ ଟିକା ନେଇଥିବା କ୍ୟାପିଟାଲ ହସପିଟାଲର ସ୍ୱାସ୍ଥ୍ୟକର୍ମୀ, ସୁନ୍ଦରଗଡ଼ର ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ଓ ବ୍ରହ୍ମପୁରର ଜଣେ ଡାକ୍ତରଙ୍କ ସହ କଥା ହୋଇଥିଲେ ।
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ାରୁ ସ୍ୱାଗତ ଭାଷଣ ଦେଇଥିଲେ ।
ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି କେ ପାଣ୍ଡିଆନ ମଧ୍ୟ ସାମିଲ ହୋଇଥିଲେ ।
ଲୋକାଲ ୱାୟାର
Leave a Reply