ଭୁବନେଶ୍ୱର, ଜାନୁଆରୀ ୩(ଲୋକାଲ ୱାୟାର): ଦୁର୍ନୀତି ଏବଂ ଗରିବଙ୍କ ସ୍ୱାର୍ଥ ପାଇଁ ସ୍ୱର ଉତ୍ତୋଳନ କଲେ ହିଂସା ପରାୟଣ ହୋଇ ଶାସକ ବିଜେଡି ମଣିଷ ମାରୁଛି ବୋଲି ରବିବାର କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।
ସେ କହିଛନ୍ତି, ଅସାମାଜିକ ନେତୃତ୍ୱ କାରଣରୁ ଶାନ୍ତଅଂଚଳ ଭାବେ ପରିଚିତ ମାହାଙ୍ଗାରେ ରାଜନୈତିକ ହିଂସାକାଣ୍ଡ ଦିନକୁ ଦିନ ବୃଦ୍ଧି ପାଇଚାଲିଛି ।
ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମାହାଙ୍ଗା ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ଦିବ୍ୟସିଂହ ବରାଳଙ୍କୁ ସଂଘବଦ୍ଧ ଭାବେ ଅକ୍ରମଣ କରାଯାଇ ଯେଉଁଭଳି ହତ୍ୟା କରାଗଲା, ତାହା ଅତ୍ୟନ୍ତ ଘୃଣ୍ୟ ଏବଂ ନିନ୍ଦନୀୟ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ବିରୋଧ କରୁଥିଲେ । ରାଜନୈତିକ
ଆକ୍ରୋଶମୁଳକ ଭାବେ ତାଙ୍କୁ ହତ୍ୟା କରାଯିବା ଅତ୍ୟନ୍ତ ନିନ୍ଦନୀୟ । ଏହି ହତ୍ୟା ଦୁର୍ନୀତି ବିରୁଦ୍ଧରେ ଲଢେଇକୁ ଆହୁରି ଶାଣିତ କରିବ ବିଜେପି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କ୍ଷୋଭ ପ୍ରକାଶ କରି କହିଛନ୍ତି ।
ଆସନ୍ତା କାଲି ଅବିଭକ୍ତ କଟକ ଜିଲ୍ଲାର ସମସ୍ତ ଥାନା ଏବଂ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବୀ କରାଯାଇ ବିକ୍ଷୋଭ ହେବା ସହ କୁଶ ପୁତ୍ତଳିକା ଦାହ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏଫଆଇଆରରେ ୧୩ ଜଣଙ୍କ ନାମ ଅଛି ଏବଂ ଏହି ତାଲିକାରେ ସ୍ଥାନୀୟ ବିଧାୟକ ତଥା ଶାସକ ଦଳର ବରିଷ୍ଠ ଓ ପ୍ରଭାବଶାଳୀ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କ ନାମ ମଧ୍ୟ ଉଲ୍ଲେଖ ଅଛି ।
ତେଣୁ ମନ୍ତ୍ରୀ ଶ୍ରୀ ଜେନା ତୁରନ୍ତ ଇସ୍ତଫା ଦିଅନ୍ତୁ, ନଚେତ ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି ।
ଥାନାରେ ଦାଖଲ ହୋଇଥିବା ଅଭିଯୋଗ ଆଧାରରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଇ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଜିଲ୍ଲା ଏସପିଙ୍କୁ କହିଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ନାଏକଙ୍କ ସମେତ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ପ୍ରଭାତୀ ପରିଡା, ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ବରିଷ୍ଠ ନେତା ନୟନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତଃ ବରାଳଙ୍କ ଅନ୍ତେଷ୍ଟି କ୍ରିୟାରେ ଯୋଗ ଦେଇ ଶେଷ ଦର୍ଶନ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଲୋକାଲ ୱାୟାର
Leave a Reply