ଭୁବନେଶ୍ୱର, ମେ ୧୨(ଲୋକାଲ ୱାୟାର): ଦେଶର ପର୍ଯ୍ୟଟନ ବୈଭବର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘ଦେଖୋ ଆପନା ଦେଶ୍’ୱେବନାୟାରରେ ମଙ୍ଗଳବାର ଓଡ଼ିଶାର ଲୁକ୍କାୟିତ ଶୋଭାରାଜିର ଉପସ୍ଥାପନ କରାଯାଇଛି ।
ବରିଷ୍ଠ ଟୁର୍ ଅପରେଟର ବେଞ୍ଜାମିନ୍ ସାଇମନ୍ ଓ ଐତିହାସିକ ଜିତୁମିଶ୍ର ଏହି କାର୍ଯ୍ୟକ୍ରମରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିବା ବେଳେ ଆରମ୍ଭରେ ପର୍ଯ୍ୟଟନ ସଚିବ ବିଶାଲ ଦେବ ଓଡ଼ିଶାର ସଂକ୍ଷିପ୍ତ ବିବରଣୀ ଦେବାକୁ ଯାଇ ଆସନ୍ତି ଦିନରେ ଅର୍ଥାତ ପୋଷ୍ଟ ଲକ୍ ଡାଉନ୍ ସମୟରେ ରାଜ୍ୟ ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭାଗ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ବାବଦରେ ଆଲୋଚନା କରିଥିଲେ ।
ନିଜର ସଂକ୍ଷିପ୍ତ ବକ୍ତବ୍ୟରେ ବିଶାଲ ରୋଡ୍ ସୋ ଠାରୁ ଆରମ୍ଭ କରି ଖାଦ୍ୟମେଳା, କୋଣାର୍କ ଇକୋ ରିଟ୍ରିଟ୍ ଭଳି ଆଗାମୀ ଦିନରେ ଦେବ୍ରିଗଡ଼ ଓ ସାତକୋଶିଆରେ କରାଯିବାକୁ ଥିବା ଏଭଳି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବାବଦରେ ଆଲୋକପାତ କରିଥିଲେ ।
୭୦ଟି ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯାଇ ସେଠାରେ ପର୍ଯ୍ୟଟକଙ୍କ ପାଇଁ ଭିତ୍ତିଭୂମିର ବିକାଶ କରାଯିବାକୁ ବିଭାଗ ଚିନ୍ତା କରୁଥିବା କହିଥିଲେ ।
କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ଏଡିଜି ରୁପିନ୍ଦର ବ୍ରାରଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଓଡ଼ିଶାରେ ଲୁଚି ରହିଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ, କଳା କାରିଗରୀ ପ୍ରତି ଟୁର୍ ଅପରେଟରମାନେ ଅନୁଶୀଳନ କରିବାର ଆବଶ୍ୟକତା ରହିଥିବା କହିଥିଲେ ।
କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ସହ ବରିଷ୍ଠ ଟୁର୍ ଅପରେଟର ସମ୍ପୂର୍ଣ୍ଣ ଓଡ଼ିଶା ସମସାମୟିକ ସମୟରେ କିପରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରି ପାରିବ ସେ ବାବଦରେ ବୁଝାଇଥିଲେ ।
ଏହି ଅବସରରେ ସେ ମନ୍ଦିର ମାଳିନୀ ସହରର ସ୍ୱତନ୍ତ୍ରତା ସହ ଉଦୟପୁର ବେଳାଭୂମି କିପରି ଆଗାମୀ ଦିନରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରି ପାରିବ ସେ ବାବଦରେ ଆଲୋକପାତ କରିଥିଲେ ।
ଭିତରକନିକା, ଶିମିଳିପାଳ, ହୀରାକୁଦ, ଗୋପାଳପୁର ଯଦିଓ ପର୍ଯ୍ୟଟକଙ୍କ ମାନସପଟରେ ଅଛି ତେବେ ଏହି ସମୟରେ ଓଡିଶାର ବିଭିନ୍ନ କ୍ଲଷ୍ଟରର ପ୍ରଚାର ହେବା ଦରକାର ।
ଟୁର୍ ଅପରେଟରମାନେ ମଧ୍ୟ ପର୍ଯ୍ୟଟକମାନଙ୍କ ପାଇଁ ବିଭିନ୍ନ କ୍ଲଷ୍ଟର ପ୍ୟାକେଜ୍ କରି ଓଡ଼ିଶାର ଗ୍ରାମୀଣ ଚିତ୍ରକୁ ଦେଖାଇ ପାରିବେ ବୋଲି ସାଇମନ୍ କହିଥିଲେ ।
ଐତିହାସିକ ତଥା ପ୍ରତ୍ନତତ୍ତ୍ୱବିତ୍ ଜିତୁ ମିଶ୍ର ଓଡ଼ିଶାର ଆଦିବାସୀଙ୍କ ଜୀବନ କାହାଣୀ, ସେମାନଙ୍କ ପୋଷାକ, ସେମାନଙ୍କ ଗହଣା, ଖାଦ୍ୟ ଶସ୍ୟ, ଚାଷ କରିବା ପ୍ରଣାଳୀ କିପରି ଆଗାମୀ ପିଢ଼ିଙ୍କୁ ଆକର୍ଷିତ କରିବ ଓ ଓଡ଼ିଶା ପର୍ଯ୍ୟଟନ ବିଭାଗ, ବିଭିନ୍ନ ଟୁର୍ ଅପରେଟର କିପରି ଏହାର ଚିତ୍ର ପର୍ଯ୍ୟଟକଙ୍କ ମାନସପଟରେ ଆଙ୍କି ପାରିବେ ସେ ବାବଦରେ ଆଲୋକପାତ କରିଥିଲେ ।
୫୯ ମିନିଟ ୧୧ ସେକେଣ୍ଡର ଏହି ଭିଡିଓ ଏବେ ୟୁଟୁ୍ୟବ୍ ରେ ଥିବା ବେଳେ ମାତ୍ର ୨ ଘଣ୍ଟାରେ ୧୦ ହଜାର ଲୋକ ଦେଖି ସାରିଛନ୍ତି ।
ଲୋକାଲ ୱାୟାର
Leave a Reply