ଭୁବନେଶ୍ୱର, ଫେବ୍ରୁଆରୀ ୬(ଲୋକାଲ ୱାୟାର): ଐତିହାସିକ ଧଉଳିର ପାଦଦେଶରେ ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଏବଂ ଆର୍ଟ ଭିଜନ୍ ଦ୍ୱାରା ଆୟୋଜିତ ୧୭ତମ ଧଉଳି କଳିଙ୍ଗ ମହୋତ୍ସବର ଶନିବାର ଥିଲା ଉଦଘାଟନ ସଂଧ୍ୟା ।
ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀରେ ଯେଉଁ ସ୍ଥାନରୁ ସମ୍ରାଟ ଅଶୋକ ଶାନ୍ତିର ବାର୍ତ୍ତା ପ୍ରଚାର କରିଥିଲେ ସେହି ସ୍ଥାନରୁ ଆଜି ଝଙ୍କୃତ ହେଉଥିଲା ଓଡ଼ିଶୀ, କଥକ ଓ ସୃଜନଶୀଳ ନୃତ୍ୟର ଅପୂର୍ବ ଛନ୍ଦ ଓ ମୁର୍ଚ୍ଛନା ।
ସଂଧ୍ୟାର ପ୍ରଥମ ପରିବେଷଣ ଥିଲା ଓଡ଼ିଶୀ ନୃତ୍ୟରେ ଭଗବାନ ବିଷ୍ଣୁଙ୍କ ଦଶାବତାର – ଜୟ ଜଗଦିଶ ହରେ ଯାହାକୁ ପରିବେଷଣ କରିଥିଲେ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ଶିଳ୍ପୀମାନେ ।
ନୃତ୍ୟ ପରିକଳ୍ପନା ତଥା ବ୍ୟାଖ୍ୟା କରିଥିଲେ ଡ଼. ସୁବାସ ପାଣି ଓ ନୃତ୍ୟ ସଂରଚନା କରିଥିଲେ ଗୁରୁ ଶର୍ମିଳା ବିଶ୍ୱାସ ।
କଥକ ନୃତ୍ୟ ଯାହାକୁ ପରିବେଷଣ କରିଥିଲେ କଲିକତାର ଉପାସନା ସେଣ୍ଟର ଫର ଡ଼୍ୟାନ୍ସ ଅନୁଷ୍ଠାନର ଶିଳ୍ପୀମାନେ ।
ସେମାନଙ୍କର ପ୍ରସ୍ତୁତିରେ ଥିଲା ପ୍ରତିମ୍ବିବ ଯାହା ଜୀବନର ପ୍ରତିଛାଇ ଆମେ ଏକା ଭାବିଲେ ମଧ୍ୟ ଏକା ନୁହେଁ, ପାପ-ପୂଣ୍ୟ, ଭଲ-ମନ୍ଦ, ଧର୍ମ-ଅଧର୍ମର ସମନ୍ନୟ ହେଉଛି ଜୀବନ ଯାହା ମାୟାରେ ପରିପୂର୍ଣ୍ଣ । ନୃତ୍ୟ ସଂରଚନା କରିଥିଲେ ଅସିମବନ୍ଧୁ ଭଟ୍ଟାଚାର୍ଜୀ ମୟୁରଭଞ୍ଜ ଛଉ ନୃତ୍ୟ କପତ କଥା ପରିବେଷଣ କରିଥିଲେ ଅଙ୍ଗିକା ଅନୁଷ୍ଠାନର ଶିଳ୍ପୀମାନେ ।
କପତ କଥା ହେଉଛି ମହାଭାରତ ଉପାଖ୍ୟାନର ଭୀଷ୍ମପର୍ବ, ଚକ୍ରବ୍ୟୁହ, ପଦ୍ମବ୍ୟୁହ, କନିଷ୍କପର୍ବ ଆଦି ଯୁଦ୍ଧ ଉପାଖ୍ୟାନର ସମ୍ମିଶ୍ରଣ ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ସଦାଶିବ ପ୍ରଧାନ ।
ଛଉ ସମରକଳା ନୃତ୍ୟ ପରିବେଷଣ ଯାହା ଦର୍ଶକମାନଙ୍କୁ ଆଶ୍ଚର୍ଯ୍ୟ ଓ ବିସ୍ମିତ କରିଥିଲା ।
ଉଦଘାଟନୀ ସନ୍ଧ୍ୟାରେ ଅତିଥି ଭାବରେ ଯୋଗଦେଇଥିଲେ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ଼. ପ୍ରୀୟମ୍ବଦା ମହାନ୍ତି ହେଜମାଦୀ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ, ପର୍ଯ୍ୟଟନ ନିଦେ୍ର୍ଦଶକ ସଚିନ ରାମଚନ୍ଦ୍ର ଯାଦବ, ନାଲକୋର ଅଧକ୍ଷ ତଥା ପରିଚାଳନା ନିଦେ୍ର୍ଦଶକ ଶ୍ରୀଧର ପାତ୍ର; ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସଚିବ ଗୁରୁ ଅରୁଣା ମହାନ୍ତି ଏବଂ ଆର୍ଟ ଭିଜନର ସଚିବ ଇଲିୟାନା ସିତାରିଷ୍ଟ ।
ଲୋକାଲ ୱାୟାର
Leave a Reply