ଭୁବନେଶ୍ୱର, ଫେବ୍ରୁଆରୀ ୮(ଲୋକାଲ ୱାୟାର): ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଓ ଆର୍ଟ ଭିଜନର ମିଳିତ ଉଦ୍ୟମରେ ଐତିହାସିକ ଧଉଳି ପାହାଡ଼ର ପାଦଦେଶରେ ଆୟୋଜିତ ୧୭ତମ ଧଉଳୀ କଳିଙ୍ଗ ମହୋତ୍ସବ ଉଦଯାପିତ ହୋଇଯାଇଛି ।
କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ନୈବେଦ୍ୟ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଓଡ଼ିଶାର କଳା, ବୈଚିତ୍ର, ବିଭବ ଉପରେ ପର୍ଯ୍ୟବେସିତ ଏକ ଅନନ୍ୟ ଓଡ଼ିଶା ନୃତ୍ୟ ।
ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଅରୁଣା ମହାନ୍ତି ଓ ବିଜୟ କୁମାର ସାହୁ । ପରବର୍ତ୍ତୀ କାର୍ଯ୍ୟକ୍ରମ ଥିଲା କୁଚିପୁଡ଼ି ନୃତ୍ୟ ପରିବେଷଣ ।
ବାଙ୍ଗାଲୋରରୁ ଆସିଥିବା ସମ୍ଭାବି ସ୍କୁଲ ଅଫ୍ ଡ଼୍ୟାନ୍ସର କଳାକାରମାନେ ପରିବେଷଣ କରିଥିଲେ ।
ସେମାନେ ପ୍ରଥମେ ପ୍ରଭୁ ଭିଥୋବାଙ୍କ ଉପରେ ଭକ୍ତିପୂତ କୁଚିପୁଡ଼ି ନୃତ୍ୟ ପରିବେଷଣ କରିଥିଲେ ।
ପରେ ପରେ ତାଳପାକ ଅନାମ ଚରଣଙ୍କ ରଚନାରୁ ଉଦ୍ଧୃତ ଆଦିବ ଅଲ୍ଲଦିବ ପରିବେଷିତ ହୋଇଥିଲା ।
ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ଶ୍ରୀକୃଷ୍ଣଙ୍କ ଲୀଳା ଉପରେ ପର୍ଯ୍ୟବେସିତ ନୃତ୍ୟାଭିନୟ ନୀଳ ମେଘ ସରରେ… ।
ପରେ ପରେ ମହାଭାରତରୁ ଉଦ୍ଧୃତ କୁବଜା ଏକ ଅସୁନ୍ଦର ନାରୀ ଶ୍ରୀକୃଷ୍ଣଙ୍କ ଅଗାଢ ଭକ୍ତି, ପ୍ରେମ ଓ ସମ୍ମର୍ପଣରୁ ଗୋଟିଏ ସୁନ୍ଦର ନାରୀରେ ପରିଣତ ହେବାକୁ କୁଚିପୁଡ଼ି ନୃତ୍ୟ ମାଧ୍ୟମରେ ସୁନ୍ଦର ପରିବେଷଣ କରିଥିଲେ କଳାକାରମାନେ ।
ସମସ୍ତ କାର୍ଯ୍ୟକ୍ରମର ନୃତ୍ୟ ସଂରଚନା କରିଥିଲେ ଗୁରୁ ବୈଜୟନ୍ତି କାଶୀ । ଅନ୍ତିମ ସଂଧ୍ୟାର ୩ୟ କାର୍ଯ୍ୟକ୍ରମ ଥିଲା ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମ ।
ଅନୁଗୁଳରୁ ଆସିଥିବା ନୃତ୍ୟ ନିଳୟ ଅନୁଷ୍ଠାନର କଳାକାରମାନେ ପରିବେଷଣ କରିଥିଲେ ।
ସେମାନେ ପ୍ରଥମେ ରାଗ ମାଳିକା ଓ ତାଳ ମାଳିକା ଉପରେ ନିବଦ୍ଧ ଅଗ୍ନି ସୁକ୍ତମ୍ ପରିବେଷଣ କରିଥିଲେ ।
ପରେ ପରେ ରାଗ ଚକ୍ରବାକ ଓ ତାଳ ଏକତାଳୀ ଉପରେ ପର୍ଯ୍ୟବେସିତ ପଲ୍ଲବୀ ପରିବେଷିତ ହୋଇଥିଲା ।
ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ସ୍ୱପ୍ନାରାଣୀ ସିହ୍ନା । ଅନ୍ତିମ ସଂଧ୍ୟାର ଅନ୍ତିମ ପରିବେଷଣ ଥିଲା ସରେଇକଳା ଛଉ ନୃତ୍ୟ ।
ଯାହାକୁ ପରିବେଷିତ କରିଥିଲେ ନୂଆଦିଲ୍ଲୀରୁ ଆସିଥିବା ଆଚାର୍ଯ୍ୟ ଛଉ ନୃତ୍ୟ ବିଚିତ୍ର ଅନୁଷ୍ଠାନର ଶିଳ୍ପୀମାନେ ।
ସେମାନେ ପ୍ରଥମେ ରାଗ ଦେଶ ଓ ତାଳ ଷୋଳରେ ଯାତ୍ରାଘାଟ ଓ ପରେ ପରେ ବହୁପତି ମନୋରଞ୍ଜନ । ଯାହା ସାମରିକ କଳା ଉପରେ ନିବଦ୍ଧ ଥିଲା ।
ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ରାଗ ମିୟାଙ୍କ ମହ୍ଲାର ଓ ଚାରୁକେଶି ଓ ତାଳ ଆଠ ମାତ୍ରା ଉପରେ ଗରୁଡ଼ ବାଶୁକି ଏବଂ ଶେଷରେ ଆଖଡ଼ା ନୃତ୍ୟ ପରିଖଣ୍ଡ ଖେଲୋ ଛଉ ନୃତ୍ୟରେ ସମରକଳା ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।
ଉଦଯାପନୀ ସନ୍ଧ୍ୟାରେ ଅତିଥିଭାବେ ଯୋଗଦେଇଥିଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ, ଓଡ଼ିଶା କୌଶଳ ବିକାଶ ପ୍ରାଧିକାରୀ ଅଧକ୍ଷ ସୁବ୍ରତୋ ବାଗଚୀ, ଓଡ଼ିଶା ସରକାରଙ୍କ ମୋ ସ୍କୁଲ ଅଧକ୍ଷା ସୁସ୍ମିତା ବାଗଚୀ, ପର୍ଯ୍ୟଟନ ନିଦେ୍ର୍ଦଶକ ସଚିନ ରାମଚନ୍ଦ୍ର ଯାଦବ, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସଚିବ ଗୁରୁ ଅରୁଣା ମହାନ୍ତି ଏବଂ ଆର୍ଟ ଭିଜନର ସଚିବ ଇଲିୟାନା ସିତାରିଷ୍ଟ ।
ଲୋକାଲ ୱାୟାର
Leave a Reply