କଟକ, ଡିସେମ୍ବର ୩୦(ଲୋକାଲ ୱାୟାର): କଟକ ସହରରେ ବିଗତ କେଇ ଦିନରେ ନକଲିି ତଥା ଅପମିଶ୍ରିତ ମସଲା, ଖାଇବା ତେଲ, ଘିଅ, ସିମେଣ୍ଟ, ସୋୟାବିନ୍, ହଳଦୀ ଗୁଣ୍ଡ ଇତ୍ୟାଦି ଜବତ ହୋଇ ଚାଲିଥିବା ବେଳେ ବୁଧବାର କମିଶନେରଟ ପୁଲିିସ ଓ ସିଏମସିର ମିିଳିତ ଟିମ୍ ଓଏମପି ଛକରେ ଏକ ବସ୍ ଉପରେ ଚଢ଼ାଉ କରି ଏକ କ୍ୱିଣ୍ଟାଲରୁ ଅଧିକ ପରିମାଣର ସିନ୍ଥେଟିକ୍ ପନିର ଜବତ କରିଛି ।
କୋଲକାତାରୁ ଏକ ବସରେ ସିନ୍ଥେଟିକ୍ ପନିର ଆସୁଥିବା ଖବର ପାଇଁ ଚାଉଳିଆଗଞ୍ଜ ଥାନା ପୁଲିସ ଏହି କାର୍ଯ୍ୟାନୁଷ୍ଠାନ କରିଛି ।
ଗ୍ଳିସେରିନ୍, ବିଭିନ୍ନ ରାସାୟନିକ ଦ୍ରବ୍ୟ, ଅପମିଶ୍ରିତ କ୍ଷୀର ଏବଂ ୟୁରିଆକୁ ମିଶାଇ ଏଭଳି ସିନ୍ଥେଟିକ୍ ପନିର ପ୍ରସ୍ତୁତ କରାଯାଇଛି, ଯାହାକି ମଣିଷ ପାଇଁ ଅତ୍ୟନ୍ତ ହାନିକାରକ । କ୍ରମାଗତ ଏଭଳି ପନିର କେହି ଖାଇଲେ କିଡନୀ ଓ ଯକୃତ ଉପରେ ତାହା ଖରାପ ପ୍ରଭାବ ପକାଇବା ସହ ବିଭିନ୍ନ ରୋଗରେ ମଧ୍ୟ ଆକ୍ରାନ୍ତ ହେବାର ଆଶଙ୍କା ରହିଛି ।
ପୂର୍ବରୁ ଜଗତପୁର ଥାନା ଅଞ୍ଚଳରେ ପୁଲିସ ଏକ ନକଲି ସିମେଣ୍ଟ କାରଖାନା ଠାବ କରିଥିଲା ।
ସେଠାରୁ ବିପୁଳ ପରିମାଣର ନିମ୍ନମାନର ସିମେଣ୍ଟ ଏବଂ ବିଭିନ୍ନ ଯନ୍ତ୍ରାଂଶ ଜବତ ହୋଇଥିଲା ।
ଗତ ଡିସେମ୍ବର ୨୨ ତାରିଖରେ ବାଦାମବାଡ଼ି ଥାନା ଅନ୍ତର୍ଗତ ପିଠାପୁରରେ ଏକ ଘରେ ନକଲି ଘିଅ କାରଖାନା ପୁଲିସ ଠାବ କରିଥିଲା ।
ସେଠାରୁ ପ୍ରାୟ ଏକ ଟ୍ରକ ଲୋଡ ଘିଅ ଜବତ ହୋଇଥିଲା । ଏଥିରେ ଦାଲଦା, ବନସ୍ପତି, ପାମୋଲିନ ତେଲ, ବିଭିନ୍ନ ରାସାୟନିକ ଦ୍ରବ୍ୟ, ରଙ୍ଗ, ପ୍ୟାକେଜିଂ ମେସିନ ଇତ୍ୟାଦି ମଧ୍ୟ ଜବତ ହୋଇଥିଲା ।
ସେହିପରି ଗତ ଦେଢ଼ ମାସ ମଧ୍ୟରେ କଟକର ମାଲଗୋଦାମ ଓ ଜଗତପୁର ଥାନାଞ୍ଚଳରେ ବିଭିନ୍ନ ନକଲି ଖାଦ୍ୟଦ୍ରବ୍ୟର କାରବାର ପଦାକୁ ଆସିଛି ।
ଲୋକାଲ ୱାୟାର
Leave a Reply