ଭୁବନେଶ୍ୱର, ଜାନୁଆରୀ ୨୧(ଲୋକାଲ ୱାୟାର): ଭୁବନେଶ୍ୱର ଉପକଣ୍ଠ ନନ୍ଦନକାନନରେ ପୂର୍ବରୁ ଦୁଇଟି ଆନାକୋଣ୍ଡାଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଣି ଏକ ଆନାକୋଣ୍ଡା ଅସୁସ୍ଥ ହୋଇ ପଡ଼ିଥିବା ମଙ୍ଗଳବାର କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି ।
ତରଳ ଝାଡ଼ା ଜନିତ କାରଣରୁ ଅସୁସ୍ଥ ହୋଇ ପଡ଼ିଥିବା ଆନାକୋଣ୍ଡାଟିର ଡାକ୍ତର ଆଲୋକ କୁମାର ଦାସଙ୍କ ତତ୍ତ୍ୱାବଧାନରେ ଚିକିତ୍ସା ଚାଲିଛି । ଏବେ ପ୍ରାଣୀ ଉଦ୍ୟାନରେ ଥିବା ୬ଟି ଯାକ ଆନାକୋଣ୍ଡାଙ୍କୁ ସ୍ୱତନ୍ତ୍ର ସ୍ଥାନରେ ରଖାଯାଇଛି । ବାହାରର ତାପମାତ୍ରା କମ୍ ରହୁଥିବାରୁ ସେମାନଙ୍କ ଲାଇଟ ଦ୍ୱାରା ୩୨ ଡିଗ୍ରୀ ତାପମାତ୍ରା ସ୍ଥାନରେ ରଖାଯାଇଛି ।
ଉଲ୍ଲେଖଯୋଗ୍ୟ, ୨୦୧୯ ଅକ୍ଟୋବର ୨୨ ତାରିଖରେ ଚେନ୍ନାଇସ୍ଥିତ ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କରୁ ନନ୍ଦନକାନନକୁ ୮ଟି ଆନାକୋଣ୍ଡା ଓ ୩ଟି ନାଇଲ କୁମ୍ଭୀର ଅଣାଯାଇଥିଲା । କିଛି ଦିନ ପରେ ପର୍ଯ୍ୟଟକମାନେ ଦେଖିବା ପାଇଁ ଏଗୁଡ଼ିକୁ ଖୁଆଡ଼ରେ ରଖାଯାଇଥିଲା ।
କିନ୍ତୁ ଅସୁସ୍ଥ ହୋଇ ପଡ଼ିବାରୁ ନଭେମ୍ବର ୨୮ ଓ ୩୦ ତାରିଖରେ ଦୁଇଟି ଆନାକୋଣ୍ଡାଙ୍କ ମୃତ୍ୟୁ ହୋଇ ଯାଇଥିଲା । ଏଥିରେ ଚିନ୍ତିତ ହୋଇ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଆନାକୋଣ୍ଡାଙ୍କ ଚିକିତ୍ସା ପାଇଁ ଚେନ୍ନାଇରୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ମଧ୍ୟ ଡକାଇଥିଲେ ।
ଡିସେମ୍ବର ୨ ତାରିଖରେ ସେମାନେ ପହଞ୍ଚି ଆନାକୋଣ୍ଡାଙ୍କ ଚିକିତ୍ସା କରି ଫେରି ଯାଇଥିଲେ । ଏବେ ପୁଣି ସେମାନେ ଅସୁସ୍ଥ ହୋଇ ପଡ଼ିବାରୁ ପ୍ରାଣୀପ୍ରେମୀଙ୍କ ମଧ୍ୟରେ ଗଭୀର ଉଦବେଗ ପ୍ରକାଶ ପାଇଛି ।
ଲୋକାଲ ୱାୟାର
Leave a Reply