ଭୁବନେଶ୍ୱର, ଡିସେମ୍ବର ୨୯(ଲୋକାଲ ୱାୟାର): ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବିକାଶ ପାଇଁ ଆସନ୍ତା ୨୦ ବର୍ଷରେ ୬ ଶହ କୋଟି ଟଙ୍କା ଖର୍ଚ୍ଚ କରିବାକୁ ମାଷ୍ଟର ପ୍ଲାନ କରାଯାଇଥିବା ମଙ୍ଗଳବାର ଏହି ଉଦ୍ୟାନର ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ।
ସେ କହିଛନ୍ତି, ନନ୍ଦନକାନନକୁ ବିଶ୍ୱସ୍ତରୀୟ କରାଇବା ପାଇଁ ଏହି ମାଷ୍ଟର ପ୍ଲାନକୁ ଚିଡ଼ିଆଖାନା ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯାଇଛି ।
୧୯୬୦ ଡିସେମ୍ବର ୨୯ରେ ୩.୬୨ ବର୍ଗ କିଲୋମିଟର ଅଞ୍ଚଳରେ ପ୍ରତିଷ୍ଠା କରାଯାଇଥିବା ନନ୍ଦନକାନନର ପରିସର ଏବେ ୧୦୪୩.୩୨ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଛି ।
୧୧ଟି ପ୍ରାଣୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଚିଡ଼ିଆଖାନାରେ ଆଜି ୩ ହଜାର ୭୮୭ ବନ୍ୟ ପଶୁପକ୍ଷୀ, ସରୀସୃପ, ଉଭୟଚର ପ୍ରାଣୀ, ୨୧୨ଟି ଖୁଆଡ଼ରେ ରହିଛନ୍ତି ।
କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣର ନିୟମାବଳୀ ଦ୍ୱାରା ପରିଚାଳିତ ହୋଇ ବିଶ୍ୱସ୍ତରୀୟ ଚିଡ଼ିଆଖାନା ଭାବେ ବିକଶିତ ହେବା ପାଇଁ ଦେଶର ୭୨ଟି ଚିଡ଼ିଆଖାନା ମଧ୍ୟରୁ ୧୫ଟି ବଛାଯାଇଥିବା ଚିଡ଼ିଆଖାନା ମଧ୍ୟରେ ନନ୍ଦନକାନନ ଅନ୍ୟତମ ।
ନନ୍ଦନକାନନର ୨୭୦ରୁ ଉର୍ଦ୍ଧ୍ବ ପଶୁପକ୍ଷୀଙ୍କୁ ପୋଷ୍ୟ କରାଯାଇଥିବା ବେଳେ ୩୦ ଲକ୍ଷ ଟଙ୍କାର ରାଜସ୍ୱ ମିଳିପାରିଛି ।
ଚଳିତ ବର୍ଷ ଗଧିଆ ଖୁଆଡ଼, ନୂତନ ବିଦେଶୀ ମାଙ୍କଡ଼ ଖୁଆଡ ନିର୍ମିତ ହୋଇ ଦର୍ଶକଙ୍କ ଉଦେ୍ଦଶ୍ୟରେ ଉତ୍ସର୍ଗ କରାଯାଇଛି ।
ଏ ବର୍ଷ ୩୫ କୋଟି ଟଙ୍କା ବ୍ୟୟରେ ବହୁତଳବିଶିଷ୍ଟ ମଟରଯାନ ରହଣି ସ୍ଥଳ, ୫ କୋଟି ଟଙ୍କା ବ୍ୟୟରେ ଶିଶୁ ରେଳଗାଡ଼ିର ପୁନରୁଦ୍ଧାର କାର୍ଯ୍ୟ ଚାଲୁ ରହିଛି ।
୨୦ ଲକ୍ଷ ଟଙ୍କା ବ୍ୟୟରେ ପର୍ଯ୍ୟଟକମାନଙ୍କ ପାଇଁ ନୂତନ ପ୍ରସ୍ଥାନ ବାଟ ଓ ୭୪ ଲକ୍ଷ ଟଙ୍କା ବ୍ୟୟର ନୂତନ ସଫାରୀ ବସଷ୍ଟାଣ୍ଡ ନିର୍ମାଣ କରାଯାଇଥିବା ସେ କହିଥିଲେ ।
ଆସନ୍ତା ଦିନରେ ନୁ୍ୟଜିଲାଣ୍ଡର ଅକଲାଣ୍ଡ ଚିଡ଼ିଆଖାନା ସହ ନନ୍ଦନକାନନର ଏକ ବୁଝାମଣାପତ୍ର ସ୍ୱାକ୍ଷର ହେବାର ଅଛି ।
ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଘୁଣୀ ସ୍ନେହାର ଦୁଇ ଶାବକଙ୍କ ନାମକରଣ କରାଯାଇ ଲବ ଓ କୁଶ ରଖାଯାଇଥିଲା । ନାମକରଣ ପାଇଁ ପୂର୍ବରୁ ଲୋକଙ୍କ ଠାରୁ ନାମ ଆହ୍ୱାନ କରାଯାଇଥିଲା ।
ଆଜିର କାର୍ଯ୍ୟକ୍ରମରେ ବିଧାୟକ ସୁରେଶ କୁମାର ରାଉତରାୟ, ସୁଶାନ୍ତ ରାଉତ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ହରିଶଙ୍କର ଉପାଧ୍ୟାୟ, ନନ୍ଦନକାନନ ନିଦେ୍ର୍ଦଶକ ଶଶୀ ପଲ୍ ପ୍ରମୁଖ ଯୋଗ ଦେଇଥିଲେ ।
ଲୋକାଲ ୱାୟାର
Leave a Reply