ସମ୍ବଲପୁର, ଅକ୍ଟୋବର ୩୧ (ଲୋକାଲ ଓ୍ବାୟାର) ଆସନ୍ତା ନଭେମ୍ବର ପାଞ୍ଚ ତାରିଖରୁ ରାଜ୍ୟରେ ଚଳିତ ବର୍ଷର ଖରିଫ ଧାନ ସଂଗ୍ରହ ଆରମ୍ଭ କରାଯିବ ବୋଲି ଖାଦ୍ଯ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଲୋକାଲ ଓ୍ବାୟାରକୁ ବୁଧବାର କହିଛନ୍ତି।
ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ଏମସିଏଲ ଜାଗୃତି ବିହାର ସମ୍ବିଳନୀ କକ୍ଷରେ ତାଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉତ୍ତରାଞ୍ଚଳ ରାଜସ୍ବ ଡିଭିଜନ ଅନ୍ତର୍ଭୁକ୍ତ ଦଶଟି ଜିଲ୍ଲାପାଇଁ ଧାନ ସଂଗ୍ରହ ସମ୍ପର୍କରେ କାର୍ଯ୍ୟ ଖସଡା ପ୍ରସ୍ତୁତ ହୋଇଥିବା ସେ କହିଛନ୍ତି।
ଚଳିତ ବର୍ଷ ଓଡିଶାରୁ ୫୫ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ଏହି ଧାନରୁ ୩୭ ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ କରାଯିବ ବୋଲି ଶ୍ରୀ ପାତ୍ର କହିଛନ୍ତି।
ପ୍ରଥମ ଦିନରୁ ବରଗଡ ଏବଂ କଳାହାଣ୍ଡିରୁ ଧାନ ସଂଗ୍ରହ ଆରମ୍ଭ ହେବ । ଧାନ ସଂଗ୍ରହର ୨୪ରୁ ୭୨ ଘଣ୍ଟା ମଧ୍ୟରେ ଟଙ୍କା ଚାଷୀଙ୍କ ବ୍ଯାଙ୍କ ଆକାଉଣ୍ଟରେ ଜମାହେବ ବୋଲି ନିର୍ଦ୍ଧାରିତ ହୋଇଛି।
ତେବେ ପୂର୍ବରୁ ଚାଷୀ ମୁଣ୍ଡପିଛା ତିନି କ୍ବଇଣ୍ଟାଲ ଧାନ ରଖି ବଳକା ଧାନକୁ ବିକ୍ରି କରୁଥିବା ବ୍ଯବସ୍ଥାକୁ ଉଠାଇଦିଆ ଯାଇଛି।
ଏହି ବୈଠକରେ ଦଶଟି ଜିଲ୍ଲାର ଜିଲ୍ଲାପାଳ ତଥା ତାଙ୍କ ପ୍ରତିନିଧି ମାନେ ଯୋଗଦେଇଥିଲେ।
ଲୋକାଲ ଓ୍ବାୟାର
Leave a Reply