ଯାଜପୁର, ଜାନୁଆରୀ ୧୧ (ଲୋକାଲ ୱାୟାର): ବାରହା ଭାବି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ଶିକାରୀକୁ ଯାଜପୁର ଜିଲ୍ଲା କାଳିଆପାଣି ପୁଲିସ ଗିରଫ କରିଛି ।
ଶନିବାର ରାତିରେ କୁନିଡା ଗାଁର ଗୋବିନ୍ଦ ବେହେରା, ଛଳି ସେଠି ଓ ଚଗଲା ଦାସ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ କିଛି ଲୋକ ବାରହା ଶୀକାର ପାଇଁ ଯାଇଥିଲେ ।
ଜଙ୍ଗଲରେ କିଛି ଶବ୍ଦ ହେବାରୁ ବାରହା ବୋଲି ଭାବି ହୁଡିସାହିପାଟଣାର ଜୟରାମ ଗାଣ୍ଡୁଆ ନିଜ ଦେଶୀ ବନ୍ଧୁକରୁ ଗୁଳି ଚଳାଇଥିଲେ ।
ଗୁଳିଟି ଗୋବିନ୍ଦଙ୍କ ଛାତିରେ ବାଜିଥିଲା । ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ତାଙ୍କର ମୃତ୍ଯୁ ହୋଇଥିଲା । ଶିକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ ।
ସୋମବାର ଗୋବିନ୍ଦଙ୍କ ପୁଅ ଥାନାରେ ଏଫଆଇଆର ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରି ଏକ ଗୁମ୍ଫାରେ ଲୁଚିଥିବା ଜୟରାମଙ୍କୁ ଗିରଫ କରିଥିଲା ।
ଅନ୍ୟ ଶିକାରୀମାନେ ଗାଁ ଛାଡି ଫେରାର ହୋଇ ଯାଇଥିବାରୁ ସେମାନଙ୍କୁ ଗିରଫ କରିବା ପାଇଁ ଚଢ଼ାଉ ଜାରି ରହିଛି ।
ଗିରଫ ଅଭିଯୁକ୍ତ ବିରୋଧରେ ଆଇପିସିର ଧାରା ୩୦୨, ଭାରତୀୟ ଆର୍ମ ଆକ୍ଟର ଧାରା ୨୫ ଓ ୨୭ ଅନୁଯାୟୀ ମାମଲା ରୁଜୁ ହୋଇଛି ।
ଅଭିଯୁକ୍ତକୁ ସୋମବାର ସ୍ଥାନୀୟ ଅଦାଲତରେ ହାଜର କରାଯାଇଥିଲା । ଅଦାଲତ ଜାମିନ ନାମଞ୍ଜୁର କରି ଅଭିଯୁକ୍ତକୁ ଜେଲକୁ ପଠାଇ ଦେଇଛନ୍ତି ବୋଲି ଆଇଆଇସି କାଳିଆପାଣି ରମାକାନ୍ତ ମୁଦୁଲି କହିଛନ୍ତି ।
ଲୋକାଲ ୱାୟାର
Leave a Reply