ଭୁବନେଶ୍ୱର, ଜାନୁଆରୀ ୨୮ (ଲୋକାଲ ୱାୟାର) : ସଂଗୀତଜ୍ଞ, ସନ୍ନ୍ୟାସ ଆଉ ସାହିତ୍ୟିକ ଭାବେ ପରିଚିତ କନ୍ଧମାଳ ଜିଲ୍ଲାର ଆଧ୍ୟାତ୍ମିକ କବୟତ୍ରୀ ପୂର୍ଣ୍ଣମାସୀ ଜାନୀଙ୍କୁ ମଳିବ ପଦ୍ମଶ୍ରୀ ଉପାଧି।

ସେ କୁଇ, ଓଡିଆ ଏବଂ ସଂସ୍କୃତରେ ୧ ଲକ୍ଷରୁ ଅଧିକ ଭକ୍ତି ଗୀତ ରଚନା କରିଛନ୍ତି ।

ଦିନେ ବି ସ୍କୁଲ ଯାଇ ନ ଥିବା ପୂର୍ଣ୍ଣାମାସୀ ଭଲ ସେ ଓଡ଼ିଆ ବି କହିପାରନ୍ତି ନାହିଁ ।

ଏପରିକି ସେ କେବଳ କୁଇ ଓ ଆଦିବାସୀ ଭାଷାରେ କଥା ହୋଇଥାନ୍ତି । ହେଲେ ତାଙ୍କର ଏହି ପ୍ରତିଭା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାନ୍ତି।

କନ୍ଧମାଳ ଜିଲ୍ଲାର ଆଧ୍ୟାତ୍ମିକ ଜଗତରେ ପୂର୍ଣ୍ଣମାସୀ ତାଡିସରୁ ବାଈ ଭାବେ ସାଧାରଣରେ ପରିଚିତ।

ପୂର୍ଣ୍ଣମାସୀ କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକ ଦଳପଡାଠାରେ ନୀଲକଣ୍ଠ ଜାନୀ ଓ ରାଣିମତାଙ୍କ ଔରସରୁ ୧୯୪୪ ମସିହାରେ ଜନ୍ମଗ୍ରହଣ କରିଥିଲେ।

ଖୁବ କମ ବୟସରେ ଚାରିପଡାର ଆରାଧନା ଜାନିଙ୍କୁ ବିବାହ କରିଥିଲେ। କିନ୍ତୁ ସେମାନଙ୍କ ଗର୍ଭରୁ ଜନ୍ମିତ ୬ଟି ସନ୍ତାନ କ୍ରମାଗତ ଭାବେ ପ୍ରାଣ ହରାଇଥିଲେ ।

ଏହି ଘଟଣା ଉଭୟଙ୍କୁ ଗଭୀର ଦୁଃଖ ଦେଇଥିଲା । ଏହାପରେ ସେମାନେ ଆଧ୍ୟାତ୍ମିକତା ଆଡକୁ ଚାଲିଯାଇଥିଲେ ।

୧୯୬୯ ମସିହାରେ କିଛି ମୁନୀ ଋଷି ସଶରୀରେ ଆବିର୍ଭାବ ହୋଇ ତାଙ୍କୁ ନିକଟସ୍ଥ ତାଡିସରୁ ନାମକ ପର୍ବତକୁ ନେଇଯାଇଥିଲେ ଏବଂ ସିଦ୍ଧି ପ୍ରଦାନ କରିଥିଲେ। ଏହାପରେ ସେ ଘର ଛାଡି ତାଡିସରୁ ପର୍ବତରେ ତପସ୍ୟାରତ ହୋଇଥିଲେ।

ଏହା ପରଠାରୁ ପୂର୍ଣ୍ଣମାସୀ ଜାନିଙ୍କ ଆଧ୍ୟାତ୍ମିକ ଜୀବନ ଆରମ୍ଭ ହୋଇଥିଲା । ତାଡିସରୁ ପର୍ବତରେ ସିଦ୍ଧିପ୍ରାପ୍ତ ହୋଇଥିବାରୁ ସେ ତାଡିସରୁବାଇ ଭାବେ ପରିଚିତ ହୋଇଥିଲେ ।

ପୂର୍ଣ୍ଣମାସୀ ନିରକ୍ଷର ହେଲେ ବି ତାଙ୍କ କଣ୍ଠ ନିଶ୍ରୁତ ଅନର୍ଗଳ ଅସଂଖ୍ୟ ଭକ୍ତି ସଂଗୀତ କେବଳ କନ୍ଧମାଳ ଜିଲ୍ଲା ନୁହେଁ, ସମସ୍ତ ଓଡିଶାବାସୀଙ୍କୁ ଚକିତ କରି ଆସିଛି। ସବୁଠାରୁ ଆଶ୍ଚର୍ଯ୍ୟ ର ବିଷୟ ହେଲା ତାଙ୍କର କୌଣସି ଗୀତ ସେ ଦ୍ୱିତୀୟ ଥର ପାଇଁ ଗାଆନ୍ତି ନାହିଁ।

ଗୀତରେ ଗୀତରେ ସେ ବେସାହାରାଙ୍କୁ ରାହା ଦେଖାନ୍ତି, ସାମାଜିକ ସମସ୍ୟାର ସମାଧାନ କରନ୍ତି। ଅନ୍ଧବିଶ୍ୱାସ, ମଦ୍ୟପାନ, ଶିଶୁ ବିବାହ ଏବଂ ପଶୁ ବଳିଦାନକୁ ଦୂର କରିବା ପାଇଁ ଶ୍ରୀମତୀ ଜାନି ତାଙ୍କ ଗୀତ ବ୍ୟବହାର କରିଥାନ୍ତି ।

ପ୍ରଥମେ ପ୍ରଥମେ ତାଙ୍କ ଗୀତ କେହି ଲେଖି ରଖୁ ନ ଥିଲେ । ହେଲେ ୧୯୯୦ ମସିହାରୁ କିଛି ସାହିତ୍ୟ ଓ ଆଧ୍ୟାତ୍ମିକତା ଅନୁଗାମି ତାଡିସରୁ ବାଇଙ୍କ ସଂଗୀତର ରେକର୍ଡ କରିବା ସହ ଏହାକୁ ଲେଖି ରଖିବା ଆରମ୍ଭ କରିଥିଲେ।

ଶ୍ରୀମତୀ ଜାନୀଙ୍କୁ ୨୦୦୬ ରେ କବିତା ପାଇଁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୮ ରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ତାଙ୍କର ଅସାଧାରଣ ଉପହାର ପାଇଁ ବହୁ ସଂଗଠନ ତାଙ୍କୁ ସମ୍ମାନିତ କରଛନ୍ତି ।

ଲୋକାଲ ୱାୟାର