ଭୁବନେଶ୍ୱର, ଡିସେମ୍ବର ୨୫(ଲୋକାଲ ୱାୟାର): ୧୯୮୬ ବ୍ୟାଚର ଆଇଏଏସ ଅଫିସର ସୁରେଶ ମହାପାତ୍ରଙ୍କୁ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି ।
ଏହି ପଦ ପାଇଁ ସେ ରାଜ୍ୟର ବରିଷ୍ଠ ଆଇଏଏସ ହୋଇ ନଥିଲେ ମଧ୍ୟ ଏହି ରାସ୍ତା ତାଙ୍କ ପାଇଁ ଖୋଲା ଥିଲା ।
ବରିଷ୍ଠ ଆଇଏଏସ୍ ଉପେନ୍ଦ୍ର ସିଂ ଏବେ କେନ୍ଦ୍ରୀୟ ଡେପୁଟେସନରେ ଜଳସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ନବୀକରଣ ମନ୍ତ୍ରାଳୟର ସଚିବ ଭାବେ କାର୍ଯ୍ୟରତ ।
୧୯୮୬ ବ୍ୟାଚର ଅନ୍ୟ ଜଣେ ଆଇଏଏସ୍ ଜିଭି ବେଣୁଗୋପାଳ ମଧ୍ୟ କେନ୍ଦ୍ରୀୟ ଡେପୁଟେସନରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମଏ)ର ସଦସ୍ୟ ସଚିବ ଭାବେ କାର୍ଯ୍ୟରତ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଜଳସମ୍ପଦ ବିଭାଗ ଥିବା ବେଳେ ଶ୍ରୀ ମହାପାତ୍ର ଏହି ବିଭାଗର ପ୍ରମୁଖ ସଚିବ ଥିଲେ ।
ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗୃହ ବିଭାଗ ଥିବା ବେଳେ ବିଭାଗର ପ୍ରମୁଖ ସଚିବ ଭାବେ ଶ୍ରୀ ମହାପାତ୍ର ମଧ୍ୟ କାର୍ଯ୍ୟ କରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସ ଜିତିବା ତାଙ୍କ ପକ୍ଷେ ଥିଲା ସ୍ପଷ୍ଟ ପଥ ।
ବିଭିନ୍ନ ବିଭାଗରେ ନିଜର କାର୍ଯ୍ୟଦକ୍ଷତା ପ୍ରତିପାଦିତ କରିଥିବା ଶ୍ରୀ ମହାପାତ୍ରଙ୍କୁ ଏବେ ପୁଣି ମିଳିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ।
କେନ୍ଦୁଝର ଜିଲ୍ଲାର ମୂଳ ବାସିନ୍ଦା ଶ୍ରୀ ମହାପାତ୍ରଙ୍କ ଜନ୍ମ ୧୯୬୨ ମସିହାରେ ହୋଇଥିଲା ଦେବଗଡ଼ ଜିଲ୍ଲାର କାନସର ଗ୍ରାମରେ ।
କେନ୍ଦୁଝରର ଡିଏନ ହାଇସ୍କୁଲରୁ ମାଟ୍ରିକ ପାସ୍ ଏବଂ କଟକର ରେଭେନ୍ସା କଲେଜରୁ ୧୯୮୨ ମସିହାରେ ସେ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ।
୧୯୮୫ ମସିହାରେ ଆଇଏସଏମ ଧାନବାଦରୁ ଆପ୍ଲାଏଡ ଜିଓଲୋଜିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ଓଏନଜିସିରେ କିଛି ବର୍ଷ କାର୍ଯ୍ୟ କରିଥିବା ବେଳେ ୧୯୮୬ ମସିହାରେ ଆଇଏଏସରେ ଯୋଗ ଦେଇଥିଲେ ।
ସମ୍ବଲପୁର ଜିଲ୍ଲାରେ ପ୍ରୋବେସନ ସମୟ କଟିବା ପରେ ତକ୍ରାଳନୀ କଳାହାଣ୍ଡି ଜିଲ୍ଲାର ନୂଆପଡ଼ାରେ ସେ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିଲେ ।
୧୯୮୮ ରୁ ୧୯୯୦ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବା ପରେ ପୁରୀ ଏଡିଏମ ଭାବେ ନିଯୁକ୍ତ ହୋଇଥିଲେ ।
୧୯୯୦ରୁ ୧୯୯୩ ମସିହା ମଧ୍ୟରେ ସେ ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଡିଆରଡିଏ ପ୍ରକଳ୍ପ ନିଦେ୍ର୍ଦଶକ ଭାବେ କାର୍ଯ୍ୟ କରିଥିଲେ ।
ଜିଲ୍ଲାପାଳ ଭାବେ ୧୯୯୩ରେ ସେ ଦଙ୍ଗା ପରେ ପରେ ନବଗଠିତ ଭଦ୍ରକ ଜିଲ୍ଲାରେ ଅବସ୍ଥାପିତ ହୋଇଥିଲେ ।
କନ୍ଧମାଳ ଦଙ୍ଗା ସମୟରେ ମଧ୍ୟରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତାଙ୍କୁ ଦଙ୍ଗା ନିୟନ୍ତ୍ରଣ ପାଇଁ କନ୍ଧମାଳ ଜିଲ୍ଲାପାଳ ଭାବେ ପଠାଇଥିଲେ ।
୧୯୯୬ରେ ମହାପ୍ରଭୁଙ୍କ ନବ କଳେବର ସମୟରେ ସେ ପୁରୀ ଜିଲ୍ଲାପାଳ ଥିଲେ ଏବଂ ମେଘନାଦ ପାଚେରି ଚତୁଃପାର୍ଶ୍ଵରୁ ଜବରଦଖଲ ଉଚ୍ଛେଦ କରିବା ସହ ସୁରୁଖୁରୁରେ ନବକଳେବର ସମ୍ପନ୍ନ ହୋଇପାରିଥିଲା ।
ଓମଫେଡର ପରିଚାଳନା ନିଦେ୍ର୍ଦଶକ ଭାବେ ସେ ଛଅ ବର୍ଷ ରହିଥିଲେ ଏବଂ ଅନେକ ଉତ୍ପାଦର ଶୁଭାରମ୍ଭ କରିଥିଲେ ।
ସେସୁରୁ ଏଇଏସ ଅଚାନକ ଚାଲି ଯିବା ପରେ ସିଇଓ ଭାବେ ସେ ସୁଚାରୂ ଭାବେ ଦାୟତ୍ୱ ତୁଲାଇଥିଲେ ।
ଶ୍ରୀ ମହାପାତ୍ର ତିନି ବର୍ଷ ଗ୍ରୀଡକୋର ସିଏମଡି ଏବଂ କଟକ ଆରଡିସି ଭାବେ ଦୁଇ ବର୍ଷ କାମ କରିଥିଲେ ।
ସେ ତିନି ବର୍ଷ ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ରହିବା ସହ ଦୁଇ ଥର ଶକ୍ତି ବିଭାଗର ପ୍ରମୁଖ ସଚିବ, ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଏବଂ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ପ୍ରମୁଖ ସଚିବ ଭାବେ ଆଠ ବର୍ଷ ଦାୟିିତ୍ୱ ସମ୍ପନ୍ନ କରିଛନ୍ତି ।
ଏହି ଅବଧିରେ ସେ ମେଗା ଲିଫ୍ଟ, ଡିପ୍ ବୋରୱେଲ, ଚେକ୍ ଡ୍ୟାମ ଏବଂ ଇକୋ ଟୁରିଜିମ ଭଳି ନୂଆ ନୂଆ ଯୋଜନା ଆରମ୍ଭ କରିଥିଲେ ।
ପରବର୍ତ୍ତୀ ସମୟରେ ଏହି ଯୋଜନା ଗୁଡ଼ିକ ଲୋକପ୍ରିିୟ ହୋଇପାରିଛି । ୨୦୦୭ ଏବଂ ୨୦୦୮ରେ ମଧ୍ୟ କନ୍ଧମାଳ ଦଙ୍ଗା ନିୟନ୍ତ୍ରଣ କରିବାକୁ ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଇଥିଲେ ।
ଶ୍ରୀ ମହାପାତ୍ରଙ୍କୁ ପୁନର୍ବାର ୨୦୧୫ରେ ଦ୍ୱିତୀୟବାର ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଅବସ୍ଥାପିତ କରାଯାଇଥିଲା । ଏହି କାର୍ଯ୍ୟକାଳରେ ସୁଚାରୁ ରୂପେ ନବକଳେବର ମଧ୍ୟ ସମ୍ପନ୍ନ ହୋଇଥିଲା ।
ଏବେ ସେ ଅତିରିକ୍ତ ମୁଖ୍ୟ ସଚିବ ଏବଂ ଉନ୍ନୟନ କମିଶନର ଭାବେ କାର୍ଯ୍ୟରତ । ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକକାରୀ ଅଧ୍ୟକ୍ଷ ମଧ୍ୟ ରହିଛନ୍ତି ।
ଲୋକାଲ ୱାୟାର
Leave a Reply