ଭୁବନେଶ୍ବର, ଡିସେମ୍ବର ୧୩ (ଲୋକାଲ ୱାୟାର): ଜୟନ୍ତୀ ଅବସରରେ ଶୁକ୍ରବାର ପଠାଣି ସାମନ୍ତ ଭାବେ ଘରେ ଘରେ ପରିଚିତ ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ରଙ୍କୁ ଓଡ଼ିଶାବାସୀ ମନେ ପକାଉଛନ୍ତି।
ସାଧାରଣ ଉପକରଣଗୁଡ଼ିକ ବ୍ୟବହାର କରି ସୂର୍ଯ୍ୟ, ଚନ୍ଦ୍ର ଓ ଗ୍ରହମାନଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା ସହ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣରେ ଏହି ଜ୍ୟୋତିର୍ବିଦ ସିଦ୍ଧହସ୍ତ ଥିଲେ।
ଜୟନ୍ତୀ ଅବସରରେ ଆସନ୍ତୁ ଜାଣିବା ପଠାଣି ସାମନ୍ତଙ୍କ ସଂପର୍କରେ କିଛି ଜଣା ଅଜଣା କଥା-
୧-:) ୧୩ ଡିସେମ୍ବର ୧୮୩୫ରେ ପଠାଣି ସାମନ୍ତ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ରାଜବଂଶରେ ଜନ୍ମ ହୋଇଥିଲେ।
୨-:) କୃତ୍ତିବାସ ରଥଙ୍କଠାରୁ ଚାଟଶାଳି ପଢ଼ା ଆରମ୍ଭ କରିଥିବା ଚନ୍ଦ୍ରଶେଖରଙ୍କୁ ସଂସ୍କୃତ ଶିକ୍ଷା ଦେଇଥିଲେ ପଣ୍ଡିତ ଆନନ୍ଦ ଖାଡ଼ଙ୍ଗା।
ଚନ୍ଦ୍ରଶେଖରଙ୍କ ବାପା ନିଜେ ଜଣେ ଗଣିତଜ୍ଞ ଥିବାରୁ ଗଣିତ ଜ୍ୟୋତିଷରେ ତାଙ୍କର ପାଣ୍ଡିତ୍ୟ ଥିଲା ।
ଚନ୍ଦ୍ରଶେଖର ବାପାଙ୍କଠାରୁ ଏହି ଶିଖିଥିଲେ।
୩-:) ପୁରାତନ ଗଣନା ଶାସ୍ତ୍ର ଅଧ୍ୟୟନ କରି ମାତ୍ର ଦୁଇଟି ବାଉଁଶ ନଳୀ ସାହାଯ୍ୟରେ ଦୂରଦୂରାନ୍ତର ନକ୍ଷତ୍ରମାନଙ୍କର ସ୍ଥିତି ଦେଖି ସେ ବିଭିନ୍ନ ତିଥି ଓ ଭବିଷ୍ୟତ ସଂପର୍କରେ ସଠିକ୍ ତଥ୍ୟ ଦେଇପାରିଥିଲେ।
୪-:) ନିଜସ୍ବ ମୌଳିକ ଗଣନାକୁ ଭଇତ୍ତି କରି ଚନ୍ଦ୍ରଶେଖର ସିଦ୍ଧାନ୍ତ ଦର୍ପଣ ରଚନା କରିଥିଲେ, ଯେଉଁଥିରେ ପ୍ରାୟ ୨ ହଜାର ପଦ ରହିଛି।
୫-:) ସଂସ୍କୃତ ଭାଷାରେ ଲିଖିତ ସିଦ୍ଧାନ୍ତ ଦର୍ପଣର ୨୪ଟି ବିଭାଗ ଥିବାବେଳେ ଏଥିରେ ୨୫୦୦ ଶ୍ଳୋକ ରହିଛି।
ଏଥିରୁ ୨୨୮୪ଟି ଶ୍ଳୋକ ନିଜେ ପଠାଣି ସାମନ୍ତ ଲେଖିଛନ୍ତି।
ଏହା ପାଞ୍ଚ ଭାଗରେ ବିଭକ୍ତ ଓ ସେଗୁଡ଼ିକ ହେଉଛି ମଧ୍ୟାଧିକାର, ସ୍ଫୁଟାଧିକାର, ତ୍ରିପ୍ରଶ୍ନାଧିକାର, ଗୋଳାଧିକାର ଓ କାଳାଧିକାର।
୬-:) ପଠାଣି ସାମନ୍ତ ତାଳପତ୍ରରେ ସିଦ୍ଧାନ୍ତ ଦର୍ପଣ ଲେଖିଥିବାବେଳେ ଘନଶ୍ୟାମ ମିଶ୍ର ଏହାକୁ କାଗଜରେ ଉତାରିଥିଲେ।
ସେ ସମୟର କରଦ ରାଜ୍ୟଗୁଡ଼ିକର ସହକାରୀ ସୁପରିଟେଣ୍ଡେଣ୍ଟ ସୁଦାମ ଚରଣ ନାୟକଙ୍କ ଉଦ୍ୟମରେ ଆଠମଲ୍ଲିକ ରାଜା ମହେନ୍ଦ୍ରଦେଓ ଏବଂ ମୟୂରଭଞ୍ଜ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ଆର୍ଥିକ ସହାୟତାରେ କଲିକତାର ଗିରୀଶ ବିଦ୍ୟାରତ୍ନ ମୁଦ୍ରଣାଳୟରେ ୧୮୯୪ ମସିହାରେ ଏହାର ଛାପା ଆରମ୍ଭ ହୋଇଥିଲା ଓ ୧୮୯୯ରେ କଲିକତା ବିଶ୍ୱବିଦ୍ୟାଳୟ ଏହାକୁ ପ୍ରକାଶ କରିଥିଲେ।
୭-:) ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥଟି ପ୍ରାୟ ଶହେ ବର୍ଷ କାଳ ଅନାଲୋଚିତ ହୋଇ ରହିଥିବାବେଳେ ଅଧ୍ୟାପକ ଯୋଗେଶ ଚନ୍ଦ୍ର ରାୟ ‘‘ନେଚର କଲେଜ’’ ପତ୍ରିକାରେ ଏସଂପର୍କରେ ଏକ ଲେଖା ଲେଖିଥିଲେ।
ପରେ ସାରା ଦେଶର ଗବେଷକ, ବିଜ୍ଞାନୀ ଓ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ସଂପର୍କରେ ଅନେକ ଲେଖା ଲେଖିଥିଲେ।
୮-:) ପଠାଣି ସାମନ୍ତ ନିଜ ଉଦ୍ୟମରେ ଗୋଲଯନ୍ତ୍ର, ସୂର୍ଯ୍ୟଘଡ଼ି, ଶଙ୍କୁଦଣ୍ଡ, ଉଲମ୍ବୀ ଚକ୍ର, ମାନଯନ୍ତ୍ର ଓ ଖଗୋଳ ଯନ୍ତ୍ର ତିଆରି କରିଥିଲେ।
୯-:) ଫଳିତ ଜ୍ୟୋତିଷର ନିର୍ଭୁଲ ଗଣନା ପାଇଁ ୧୮୯୩ ମସିହାରେ ଚନ୍ଦ୍ରଶେଖରଙ୍କୁ ମହାମହୋପାଧ୍ୟାୟ ଉପାଧି ମିଳିଥିଲା ଓ ୧୯୦୩ରେ ଇଂରେଜ ସରକାର ତାଙ୍କ ପାଇଁ ମାସିକ ୫୦ ଟଙ୍କାର ବୃତ୍ତି ବ୍ୟବସ୍ଥା କରିଥିଲେ।
୧୦-:) ଗଣନା କରି ନିଜ ମୃତ୍ୟୁ ତାରିଖ ଓ ସମୟ ମଧ୍ୟ ପୂର୍ବରୁ ଜାଣିପାରିଥିଲେ ପଠାଣି ସାମନ୍ତ।
୧୧ ଜୁନ ୧୯୦୪ରେ ପୁରୀରେ ତାଙ୍କର ଦେହାନ୍ତ ଘଟିଥିଲା।
ଲୋକାଲ ୱାୟାର
Leave a Reply