ଭୁବନେଶ୍ୱର, ଫେବ୍ରୁଆରୀ ୧୮(ଲୋକାଲ ୱାୟାର): ଧୂଆଁଧାର୍ ବ୍ୟାଟିଂ କରି ପଡ଼ିଆରେ ବାହାବା ସାଉଁଟିଥିବା ମହିଳା କ୍ରିକେଟର ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ ଏବେ ପୁଣି ଥରେ ଚର୍ଚ୍ଚାରେ ।
ଏହି ଚର୍ଚ୍ଚା କିନ୍ତୁ କ୍ରିକେଟ ପାଇଁ ନୁହେଁ ବରଂ ରୂପେଲି ପରଦାରେ ଅଭିନୟ ପାଇଁ ।
ୟୁ-ଟ୍ୟୁବରେ ମୁକ୍ତିଲାଭ କରିଥିବା ସୁଶ୍ରୀଙ୍କ ଡେବ୍ୟୁ ଫିଲ୍ମ ‘ନଟ୍ ଆଉଟ୍’ ମାତ୍ର ୪ ଦିନରେ ୨ କୋଟି ଦର୍ଶକଙ୍କ ଭଲପାଇବା ଓ ପ୍ରଶଂସା ସାଉଁଟି ପାରିଛି ।
୨୦୧୯ ଡିସେମ୍ବର ମାସରେ ‘ନଟ୍ ଆଉଟ୍’ ମୂଳତଃ ତାମିଲ ଭାଷାରେ ରିଲିଜ୍ ହୋଇଥିବା ବେଳେ ଏହାର ନାମ ଥିଲା ‘କାନ୍ନା’ । ଯାହାର ଅର୍ଥ ବଡ଼ ସ୍ୱପ୍ନ ।
ତେବେ ଏହି ଚଳଚ୍ଚିତ୍ରର ହିନ୍ଦୀ ସଂସ୍କରଣ ନିକଟରେ ଦର୍ଶକଙ୍କ ଆଗକୁ ଆସିଛି । ଯାହାକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି ।
ଏ ବାବଦରେ ସୁଶ୍ରୀ କହିଛନ୍ତି, ଯେବେ କ୍ୟାରିୟର କଥା ଜାଣିଲି ସେବେଠାରୁ ମୋର ଦ୍ୱିତୀୟ ପସନ୍ଦ ଥିଲା ଅଭିନୟ ।
ଯଦି ମୁଁ ପଡିଆରେ କ୍ରିକେଟ୍ ଖେଳି ନଥାନ୍ତି ତେବେ ନିଶ୍ଚିତ ଭାବେ ପରଦାରେ ଅଭିନୟ କରିଥାନ୍ତି ।
ମୁଁ ଚେନ୍ନାଇକୁ ଏକ ମ୍ୟାଚ୍ ଖେଳିବାକୁ ଯାଇଥିଲା ବେଳେ ତାମିଲ ନିର୍ଦେଶକ ଅରୁଣରାଜା କାମରାଜ୍ ଜଣେ ମହିଳା କ୍ରିକେଟରଙ୍କ ସନ୍ଧାନରେ ଥିଲେ ।
ଏହାର କିଛି ଦିନ ପରେ ମୋ ନିକଟକୁ ହଠାତ୍ ତାଙ୍କ ଆସିଷ୍ଟାଣ୍ଟଙ୍କ ନିକଟରୁ ଏକ ଫୋନ୍ ଆସିଲା ଓ ତାମିଲ ଚଳଚ୍ଚିତ୍ର କାନ୍ନା ପାଇଁ ମୋତେ ପ୍ରସ୍ତାବ ଦିଆଗଲା ।
ଦ୍ୱିତୀୟ ଥର ନ ଭାବି ମୁଁ ସଙ୍ଗେ ସଙ୍ଗେ ଏଥିପାଇଁ ହଁ ଭରିଥିଲି । ଏହି ଚଳଚ୍ଚିତ୍ର ପାଇଁ ସେମାନେ ଛତିଶଗଡ଼ର ଜଣେ କ୍ରିକେଟରଙ୍କୁ ମଧ୍ୟ ଡାକିଥିଲେ ।
ତେବେ ଉଭୟଙ୍କର କିଛି ଭିଡିଓ ଦେଖିବା ପରେ ସେମାନେ ମୋତେ ଚୟନ କରିଥିଲେ ଓ ସୁଟିଂ ପାଇଁ ଚେନ୍ନାଇ ଡାକିଥିଲେ ।
ଚଳଚ୍ଚିତ୍ରରେ ଥିବା ଚରିତ୍ରର ଅଭିନୟ କରିବା ପାଇଁ ମୋତେ ୨୫ ଦିନ ସମୟ ଲାଗିଲା ।
ଲୋକାଲ ୱାୟାର
Leave a Reply