ବ୍ରହ୍ମପୁର, ଏପ୍ରିଲ ୨୪ (ଲୋକାଲ ୱାୟାର): ଗତ ମାସ ପ୍ରଥମ ସପ୍ତାହରେ ଟିଟିଲାଗଡ଼ରୁ ବ୍ରହ୍ମପୁର ଆସିଥିବା ୧୨ ବର୍ଷର ଗୋଟିଏ ପିଲା ଲକ୍ ଡାଉନ୍ ଯୋଗୁଁ ଅଟକି ରହିଛି ।
ମା ଛେଉଣ୍ଡ ପିଲାଟି ତା ବାପା କାମ କରୁଥିବା ମୀନା ବଜାରର ଏକ କ୍ୟାମ୍ପରେ ରହିଛି ।
ପ୍ରଥମ ପର୍ଯ୍ୟାୟ ଲକ୍ ଡାଉନ୍ ପୂର୍ବରୁ ଦୁଇ ଦିନ ମଧ୍ୟରେ ଫେରି ଆସିବାକୁ କହି ଟିଟିଲାଗଡ଼ ଯାଇଥିବା ପିଲାଟିର ବାପା ସେଠାରେ ଅଟକି ରହିଛନ୍ତି ।
ଏପ୍ରିଲ ୮ରେ ଚାଇଲ୍ଡ ଲାଇନ ବାଳକଟିକୁ ଉଦ୍ଧାର କରି ପ୍ରୋଟୋକଲ ଅନୁଯାୟୀ ଶିଶୁ କଲ୍ୟାଣ କମିଟି (ସିଡବ୍ଲସି)ରେ ହାଜର କରାଇଥିଲା ।
ସିଡବ୍ଲୁସି ନିଦେ୍ର୍ଦଶ ପରେ ପିଲାଟିକୁ ପୁଣି ସେହି କ୍ୟାମ୍ପରେ ରଖାଯାଇଛି । ଲକ୍ ଡାଉନ୍ ଯୋଗୁଁ ପିଲାଟିର ବାପା ବ୍ରହ୍ମପୁରରେ ପହଁଚି ପାରୁନାହନ୍ତି ।
ସେହିପରି ଲକ୍ ଡାଉନ୍ ପୂର୍ବରୁ ୮ ବର୍ଷର ଝିଅଟିଏ ବାପାଙ୍କ ସହ ନିଜ ପୈତୃକ ଗାଁ ବୁଗୁଡ଼ା ଯାଇଥିଲା ।
ସରକାରୀ ଚାକିରି କରୁଥିବା ମା’ ସେମାନଙ୍କ ସହ ଯାଇ ପାରି ନଥିଲେ । ମାସକରୁ ଅଧିକ ସମୟ ମା ଠାରୁ ଅଲଗା ରହି ଝିଅଟି ବ୍ୟତିବ୍ୟସ୍ତ ହୋଇ ପଡ଼ିଲାଣି ।
ଏହି ଦୁଇ ପିଲାଙ୍କ ଭଳି ଆହୁରି ଅନେକ ପିଲା ଲକ୍ ଡାଉନ୍ ଯୋଗୁଁ ସେମାନଙ୍କ ବାପା ମାଙ୍କ ଠାରୁ ଅଲଗା ହୋଇ ପଡିଛନ୍ତି । ଅଲଗା ରହି ଯାଇଥିବା ପିଲାଙ୍କ ଅଭିଭାବକ ଓ ପିଲାମାନଙ୍କ ଠାରୁ ମଧ୍ୟ କଲ ପାଉଛୁ ।
ଆମ କାଉସେଲରମାନେ ପିଲାମାନଙ୍କର କାଉନସେଲିଂ କରୁଛନ୍ତି । ଦୂର ସ୍ଥାନରେ ଥିବା ଅଭିଭାବକମାନଙ୍କୁ ପିଲାମାନଙ୍କ ସହ ଲଗାତର ସମ୍ପର୍କ ରଖିବାକୁ କୁହାଯାଇଛି ବୋଲି ଚାଇଲ୍ଡ ଲାଇନ ନିଦେ୍ର୍ଦଶକ ସୁଧୀର ସାବତ କହିଛନ୍ତି ।
ଏକୁଟିଆ ଥିବା ବେଳେ ପିଲାମାନେ ଅବସାଦଗ୍ରସ୍ତ ହୁଅନ୍ତି । ଯାହା ଭବିଷ୍ୟତରେ ସେମାନଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରେ ।
ବର୍ତ୍ତମାନ ସମୟରେ ଆଉ କିଛି ଉପାୟ ନଥିବା ବେଳେ କେବଳ ଉପଯୁକ୍ତ କାଉନେସଲିଂ ଆବଶ୍ୟକ ବୋଲି କହିଛନ୍ତି ମନରୋଗ ବିଶେଷଜ୍ଞ ସୁଦୀପ୍ତା ପାଣିଗ୍ରାହୀ ।
ମାର୍ଚ୍ଚ ୩୧ରେ ସେମାନେ ତେଲଙ୍ଗାନାର ଆଦିଲାବାଦ ଜିଲ୍ଲାର ଜଣେ ୧୬ ବର୍ଷର ବାଳକକୁ ଅଭିଭାବକଙ୍କ ନିକଟରେ ପହଞ୍ଚାଇଛନ୍ତି ବୋଲି ସାବତ କହିଛନ୍ତି ।
ମାର୍ଚ୍ଚ ପ୍ରଥମ ସପ୍ତାହରୁ ଘର ଛାଡ଼ି ଚାଲି ଆସିଥିବା ପିଲାଟିକୁ ପୁଲିସ ସହୟତାରେ ହଳଦିଆପଦର ନିକଟରୁ ଉଦ୍ଧାର କରି ତା ବାପାଙ୍କୁ ସୂଚନା ଦିଆଯାଇଥିଲା ।
ଲୋକାଲ ୱାୟାର
Leave a Reply