ଭୁବନେଶ୍ୱର, ଡିସେମ୍ବର ୨୪(ଲୋକା ୱାୟାର): ନୟାଗଡ ଯଦୁପୁରର କୁନି ପରି ସମେତ ଓଡିଶାର ନିଖୋଜ ୫ ହଜାର ପିଲାଙ୍କୁ ଖୋଜିବା ଦାବି ନେଇ ବିଜେପି ପକ୍ଷରୁ ଚାଲିଥିବା ପଦଯାତ୍ରା ଆଜି ନୟାଗଡରେ ଶେଷ ହୋଇଛି ।
ତେବେ ଏହି ପ୍ରତିବାଦ ଆଗାମୀ ଦିନରେ ଗାଁ ଗାଁରେ ହେବ । ଯେଉଁ ପର୍ଯ୍ୟନ୍ତ ରାଜ୍ୟସରକାର ପରୀ ସମେତ ୫ ହଜାର ନିଖୋଜ ଶିଶୁଙ୍କ ପରିବାରକୁ ନ୍ୟାୟ ଦେଇପାରିନାହାଁନ୍ତି ସେ ଯାଏଁ ବିଜେପି ସ୍ଥିର ଭାବେ ବସିପାରିବ ନାହିଁ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ।
ନୟାଗଡ଼ ଯଦୁପୁର ଗାଁର ନିରୀହ ଶିଶୁ ପରୀକୁ ଅପହରଣ କରାଗଲା । ପରିବାର ଲୋକେ ଅଙ୍ଗତସ୍କରୀ ଅଭିଯୋଗ ଆଣିଛନ୍ତି । ସେପଟେ ନିଖୋଜ ଶିଶୁର ସଂପୂର୍ଣ୍ଣ ଶରୀର ଏଯାଏଁ ମିଳିଲା ନାହିଁ ।
ଆଉ ଏପରି ପରିସ୍ଥିତିରେ ରାଜ୍ୟ ସରକାର ସେ ପରିବାରକୁ ନ୍ୟାୟ ଦେବା ବଦଳରେ ତାଙ୍କ ଦଳର ନେତା ବାବୁଲି ନାଏକ ଓ ତାଙ୍କ ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେବାରେ ଲାଗିଛନ୍ତି ।
ପରିବାର ଲୋକେ ବାରମ୍ବାର ଏହି ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଅଭିଯୋଗ ଆଣିଥିବାବେଳେ ତାଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ସହ ଘଟଣାର ସବିଆଇ ତଦନ୍ତ ଆବଶ୍ୟକତା ରହିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ପରୀ ସମେତ ରାଜ୍ୟର ସମସ୍ତ ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବା ଲାଗି ରବିବାର ଦିନ ପ୍ରଭୃ ଲିଙ୍ଗରାଜଙ୍କ ମନ୍ଦିର ପ୍ରାଙ୍ଗଣରୁ ଆରମ୍ଭ ହୋଇଥିବା “ପରୀକୁ ନ୍ୟାୟ ପାଇଁ ପଦଯାତ୍ରା” ଆଜି ନୟାଗଡ଼ ଠାରେ ଶେଷ ହୋଇଛି ।
ଲୋକାଲ ୱାୟାର
Leave a Reply