ଭୁବନେଶ୍ୱର,ଡିସେମ୍ବର ୧୮(ଲୋକାଲ ୱାୟାର): ଦୀର୍ଘ ଦିନ ଧରି କରୋନା ଯୋଗୁଁ ବନ୍ଦ ପଡ଼ିଥିବା ପର୍ଯ୍ୟଟନ ସ୍ଥଳୀଗୁଡିକ ଏବେ ଧୀରେ ଧୀରେ ଖୋଲିଲାଣି ।
ହେଲେ ପୂର୍ବ ଭଳି ଲୋକଙ୍କ ଭିଡ଼ ଦେଖିବାକୁ ମିଳିଲାନି । ପୂର୍ବ ବର୍ଷ ଡିସେମ୍ବର ବେଳକୁ ଜୟଦେବ ବାଟିକାରେ ପିକନିକ୍ ପାଇଁ ପିଣ୍ଡି ମିଳୁନଥିବା ବେଳେ ଚଳିତ ବର୍ଷ ବର୍ତ୍ତମାନ ଯାଏଁ ମାତ୍ର ୫ଟି ପିଣ୍ଡି ବୁକିଂ ହୋଇଛି ।
କରୋନା ଯୋଗୁଁ ବନ୍ଦ ଥିବା ଜୟଦେବ ବାଟିକା ଅକ୍ଟୋବରରୁ ଖୋଲିଛି । ଆଉ ଏଥିପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବାଟିକାକୁ ନୂଆ ରୂପରେ ସଜ୍ଜାଯାଇଛି ।
୩ଟି ଝରଣା, ରୋଜ୍ ଭ୍ୟାଲି, ୱାଟରଫଲ୍ ସହ ଚାରିଆଡ଼େ ବିଭିନ୍ନ ପ୍ରକାର ଫୁଲ ଗଛରେ ଏହାକୁ ସଜାଯାଇଛି ।
ମିଳିଥିବା ସୂଚନା ଅନୁସାରେ ଗତ ବର୍ଷ ଜୟଦେବ ବାଟିକାରୁ ଜଙ୍ଗଲ ବିଭାଗକୁ ଦେଢ଼ କୋଟି ଟଙ୍କାର ରାଜସ୍ୱ ମିଳିଥିଲା ।
ମାତ୍ର ଚଳିତ ବର୍ଷ ଏହି ସଂଖ୍ୟା ଦେଢ଼ ଲକ୍ଷ ଟପିନି । ଏଣେ ବାଟିକାରେ ଥିବା ୩୦ଟି ପିଣ୍ଡି ସହ ୧୨୦ଟି ପିକନିକ୍ ସ୍ପଟ ଏବେ ଫାଙ୍କା ଅଛି ।
ଗ୍ରାହକଙ୍କ ଚାହିଦାକୁ ଆଖି ଆଗରେ ରଖି ଜଙ୍ଗଲ ବିଭାଗ ବାଟିକା ଭିତରେ ପାଣି ସହ ଆନୁସଙ୍ଗିକ ସୁବିଧା କରି ୧୨୦ଟି ପିକ୍ନିକ୍ ସ୍ଥାନ ଚିହ୍ନଟ କରିଛି ।
ଏଠାରେ ପିକନିକ୍ ପାଇଁ ପିଣ୍ଡିର ଦାମ୍ ୧୮୦୦ ଟଙ୍କା ରଖାଯାଇଥିବା ବେଳେ ସ୍ପଟର ମୂଲ୍ୟ ୮୦୦ଟଙ୍କା ରହିଛି ।
ନଭେମ୍ବର ମାସ ଆରମ୍ଭରୁ ଫେବ୍ରୁଆରୀ ମାସ ଶେଷ ପର୍ଯ୍ୟନ୍ତ ଜୟଦେବ ବାଟିକାରେ ପିଣ୍ଡି ବୁକିଂ ସରିଥାଏ ।
ଏପରିକି ଆଗୁଆ ଅନେକ ଲୋକ ପିଣ୍ଡି ବୁକିଂ କରି ଦେଇଥାନ୍ତି । ହେଲେ ଏବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଥିବା ବାଟିକାର ଇନଚାର୍ଜ ଦୟାନିଧି ଦାସ କହିଛନ୍ତି ।
ସେ ଆହୁରି କହିଛନ୍ତି ଆମେ କରୋନା ଗାଇଡ଼ଲାଇନ୍ ଅନୁସାରେ ଏଠାରେ ପିଣ୍ଡି ବୁକିଂ କରୁଛୁ ଓ ପିକନିକ୍ ପାଇଁ ଅନୁମତି ଦେଉଛୁ ।
ଚଳିତ ବର୍ଷ ପିଣ୍ଡି ପାଇଁ ମାତ୍ର ୩୦ ଜଣଙ୍କୁ ଛଡ଼ାଯାଉଛି । ଯେଉଁଠି ସମସ୍ତେ ମାସ୍କ ବ୍ୟବହାର ବାଧ୍ୟତାମୂଳକ ।
ଲୋକାଲ ୱାୟାର
Leave a Reply