ଭୁବନେଶ୍ୱର, ଜାନୁଆରୀ ୭(ଲୋକାଲ ୱାୟାର): ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ରାଜ୍ୟରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ଅଭିନବ ଡେଷ୍ଟିନେସନ ୱେଡିଂ ପ୍ୟାକେଜ ଆରମ୍ଭ କରିଛନ୍ତି । ରମ୍ଭା, ଗୋପାଳପୁର, ଚାନ୍ଦିପୁର, ପୁରୀ, କୋଣାର୍କ ଓ ବରକୂଳରେ ଥିବା ୬ଟି ପାନ୍ଥନିବାସରେ ଏହି ପ୍ୟାକେଜ ଉପଲବ୍ଧ ହେବ ।
ପ୍ରାଥମିକ ପର୍ଯ୍ୟାୟରେ ଏସବୁ ସ୍ଥାନର ଉନ୍ନୟନ କାମ ଆରମ୍ଭ ହୋଇଛି ।ଏ ସମ୍ପର୍କରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ବିବାହ ପ୍ୟାକେଜ ବ୍ୟତୀତ ନବବିବାହିତ ଦମ୍ପତିଙ୍କୁ ଅତିରିକ୍ତ ଭାବେ ହନିମୁନ ପ୍ୟାକେଜ ସହ ଦୁଇଟି ବିବାହ ବାର୍ଷିକୀ ପ୍ୟାକେଜ ପ୍ରଦାନ କରାଯିବ । ଡେଷ୍ଟିନେସନ ୱେଡିଂ ପାଇଁ ଲୋକେ ଆଗ୍ରହୀ ଥିବାରୁ ପର୍ଯ୍ୟଟନ ନିଗମର ଏହି ନିଆରା ଉଦ୍ୟମ ବେଶ ଲୋକପ୍ରିୟ ହେବ ବୋଲି ସେ କହିଛନ୍ତି ।
ଏହି ବିବାହ ପ୍ୟାକେଜର ଦାମ ୨.୧୭ ଲକ୍ଷ ଟଙ୍କା ରହିଥିବା ବେଳେ ଏଥିରେ ଦୁଇ ଦିନ ପାଇଁ ୨୫ଟି ରୁମ, ମୁଖ୍ୟ ବିବାହ ଭୋଜି, ୫୦ ଜଣଙ୍କ ପାଇଁ ତିନିବେଳା ଖାଦ୍ୟ, ବାସ୍କେଟ ସ୍ନାକ୍ସ, କକଟେଲ ସ୍ନାକ୍ସ, ରୁମରେ ମିନେରାଲ ପାଣି ଓ ବିବାହ ବାଜା ସାମିଲ ରହିବ ।
ତେବେ ଅଧିକ ସୁବିଧା ଆବଶ୍ୟକ କରୁଥିଲେ ଅଧିକ ଟଙ୍କା ଦେବାକୁ ହେବ । ଡେଷ୍ଟିନେସନ ବୁକ ପାଇଁ ଆଗ୍ରହୀ ବ୍ୟକ୍ତିଙ୍କୁ ବିବାହର ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଆଦୌ ଚିନ୍ତା କରିବାକୁ ପଡ଼ିବ ନାହିଁ । ସାଜସଜ୍ଜା ଠାରୁ ମେହେନ୍ଦି, ଭିଡିଓଗ୍ରାଫି, ବିବାହ ପୂଜାପାଠ, ସାଂସ୍କୃତିକ କାର୍ଯ୍ୟକ୍ରମ, ସ୍ଥାନୀୟ ପର୍ଯ୍ୟଟନ ସ୍ଥଳୀ ଭ୍ରମଣ ଆଦି ବିବାହ ସ୍ଥଳୀରେ ନିୟୋଜିତ ସ୍ୱତନ୍ତ୍ର ଟିମ ଦ୍ୱାରା ପରିଚାଳିତ ହେବ ।
ଏହି ପ୍ୟାକେଜ ପାଇଁ ଆଗ୍ରହୀ ବ୍ୟକ୍ତିମାନେ ଅନଲାଇନରେ ପାନ୍ଥନିବାସ ବୁକ କରିପାରିବେ । ଆଗାମୀ ଦିନରେ ଏହି ପ୍ୟାକେଜ ରାଜ୍ୟର ଅନ୍ୟ ସ୍ଥାନରେ ଥିବା ପାନ୍ଥନିବାସରେ ମଧ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି ।
ଲୋକାଲ ୱାୟାର
Leave a Reply