ଜଗତସିଂହପୁର, ଫେବ୍ରୁଆରୀ ୩ (ଲୋକାଲ ୱାୟାର): ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଚାଷୀଖଣ୍ଡ ଗାଁର ପଲିମର ଇଞ୍ଜିନିୟର ଚିନ୍ମୟ ଦାଶ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଫଳ ଚାଷ କରି ବେଶ ସଫଳତା ହାସଲ କରିଛନ୍ତି ।
କୋଭିଡ-୧୯ର ମୁକାବିଲା ପାଇଁ ଚିକିତ୍ସା ବିଜ୍ଞାନ ସଂଘର୍ଷ କରୁଥିବା ବେଳେ ଷ୍ଟ୍ରବେରି, ଲାଲ ଓ ହଳଦିଆ ସିମଳା ଲଙ୍କା ଭଳି ଫଳ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।
ଦୁର୍ଘଟଣାରେ ଆହତ ହୋଇ ଚାକିରି ଛାଡି ଘରେ ବସିଥିବା ପଲିମର ଇଞ୍ଜିନିୟର ଚିନ୍ମୟ ଫଳ ଚାଷ କରି ସ୍ୱାବଲମ୍ବୀ ହେବା ସହିତ ଗ୍ରୀଷ୍ମ ଜଳବାୟୁ ଅନୁପଯୋଗୀ ଫଳ ଚାଷ ତାଙ୍କୁ ଦେଇଛି ନିଆରା ପରିଚୟ ।
ହାଇଦ୍ରାବାଦ ସ୍ଥିତ ସିପେଟରୁ ପିଜି ଡିପ୍ଲୋମା କରିଥିବା ଚିନ୍ମୟ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିଲେ ।
ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚାକିରି ଛାଡି ଘରକୁ ଫେରିଥିବା ଚିନ୍ମୟଙ୍କ ସାନ ଭାଇର ମାଛଗାଁ କେନାଲରେ ବୁଡି ମୃତ୍ୟୁ ହେବା ପରେ ସେ ଆଉ ଚାକିରି ନକରି ସ୍ୱାବଲମ୍ବୀ ହେବାକୁ ଉଦ୍ୟମ ଆରମ୍ଭ କରିଥିଲେ ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ଷ୍ଟ୍ରବେରିର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାରୁ ସେ ୟୁଟୁ୍ୟବ ଓ ବିଶେଷଜ୍ଞମାନଙ୍କ ଠାରୁ ଶିଖି ଭୁବନେଶ୍ୱରର ଅର୍କିଡ ବାୟୋ ଟେକ୍ନୋଲଜିରୁ ଚାରା କିଣି ନିଜର ୧୬ଶହ ସ୍କୋୟାର ଫୁଟ ଜମିରେ ଛୋଟ ଗ୍ରୀନ ହାଉସ ତିଆରି କରି ଚାଷ ଆରମ୍ଭ କରିଥିଲେ ।
ପରୀକ୍ଷାମୂଳକ ଭାବେ ଛାତ ଉପରେ ଷ୍ଟ୍ରବେରି ଚାଷ କରି ସଫଳ ହେବାରୁ ବ୍ୟବସାୟିକ ଚାଷ ପାଇଁ ଆଗ୍ରହୀ ହୋଇଥିଲେ ।
ଏହାବ୍ୟତୀତ ସେଓ, କମଳା, କଳା ଓ ସବୁଜ ଅଙ୍ଗୁର, ଟମାଟୋ, ହାଇବ୍ରିଡ କଦଳୀ ଆଦି ମଧ୍ୟ ଚାଷ କରୁଛନ୍ତି । ଚିନ୍ମୟଙ୍କ ବାପା ଚିତରଞ୍ଜନ ଦାଶ ଏଥିରେ ତାଙ୍କୁ ସାହାଯ୍ୟ କରୁଛନ୍ତି ।
ସୁସ୍ଥ ରହିବା ପାଇଁ ଖାଦ୍ୟ ତାଲିକାରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ ଖାଦ୍ୟ ସାମିଲ ରହିବା ଉଚିତ ବୋଲି ଚିନ୍ମୟ କହିଛନ୍ତି ।
ଗ୍ରୀଷ୍ମ ଜଳବାୟୁରେ ବିପୁଳ ଷ୍ଟ୍ରବେରି, ଲାଲ ଓ ହଳଦିଆ ସିମଳା ଲଙ୍କା ଉତ୍ପାଦନ କରି ଚିନ୍ମୟ ସଫଳତା ହାସଲ କରିଛନ୍ତି ।
ଏହାଦ୍ୱାରା ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ବୋଲି ସହକାରୀ କୃଷି ଅଧିକାରୀ, ବିରିଡି ପ୍ରଦୀପ୍ତ ବେହେରା କହିଛନ୍ତି ।
ଲୋକାଲ ୱାୟାର
Leave a Reply