ଭୁବନେଶ୍ୱର, ଡିସେମ୍ବର ୨୬(ଲୋକାଲ ୱାୟାର): କୋଭିଡ-୧୯ର ଭୟ ଦୂରେଇବାକୁ ଆରମ୍ଭ କରିଥିବା ବେଳେ ପଶ୍ଚିମବଙ୍ଗ ଓ ଓଡ଼ିଶାର ପର୍ଯ୍ୟଟନ ବିଭାଗ ମିଳିତ ଭାବେ ଦୁଇ ରାଜ୍ୟର ପର୍ଯ୍ୟଟକଙ୍କ ପାଇଁ ନୂଆ ନୂଆ ପ୍ୟାକେଜ ଆଣିବାକୁ ଯାଉଛନ୍ତି ।
ବିିଶେଷ କରି ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳକୁ କୋଲକାତା ସହ ଯୋଡ଼ି ପଶ୍ଚିମବଙ୍ଗର ପର୍ଯ୍ୟଟକଙ୍କ ପାଇଁ ଓଡ଼ିଶାର ପର୍ଯ୍ୟଟନ ବିଭାଗ ତିନୋଟି ରୋଡ ଟ୍ରିପ୍ ପ୍ୟାକେଜ ଆରମ୍ଭ କରିଛି ।
ପ୍ରଥମ ପ୍ୟାକେଜ ‘ଡିପ୍ ଇନଟୁ ଦ ମ୍ୟାଙ୍ଗ୍ରୋଭସ’ରେ କୋଲକାତାରୁ ଭିତରକନିକା ଜାତୀୟ ଉଦ୍ୟାନକୁ ବୁଲିବାର ସୁବିଧା ରହିଛି ।
ଏହି ରୋଡ ଟ୍ରିପ ଭାୟା ବିଚିତ୍ରପୁର ଏବଂ ଚାନ୍ଦିପୁର ବେଳାଭୂମି ଦେଇ ଆସିବ । ଚାରି ରାତି ଓ ପାଞ୍ଚ ଦିନ ରହଣିର ଏହି ପ୍ୟାକେଜରେ ପର୍ଯ୍ୟଟକମାନେ ବିଚିତ୍ରପୁର ଅଭୟାରଶ୍ୟ, ବାଲେଶ୍ୱରର ତାଲସାରୀ ଓ ଚାନ୍ଦିପୁର ବେଳାଭୂମି ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ରାଜପ୍ରାସାଦ ଓ ଭିତରକନିକା ଜାତୀୟ ଉଦ୍ୟାନ ବୁଲିବାର ସୁବିଧା ମିଳିପାରିବ ।
ଦ୍ୱିତୀୟ ପ୍ୟାକେଜ ‘ଦ ଟ୍ରେଲ ଅଫ୍ କାସକେଡ଼ସ କେନ୍ଦୁଝର’ରେ କୋଲକାତାରୁ ଆରମ୍ଭ ହୋଇ କେନ୍ଦୁଝରରେ ଶେଷ ହେବ ।
ପାଞ୍ଚ ଶହ କିଲୋମିଟର (ତିନି ରାତି ଓ ଚାରି ଦିନ)ର ଏହି ଟ୍ରିପରେ ପର୍ଯ୍ୟଟକମାନେ ଭୀମକୁଣ୍ଡ ଜଳପ୍ରପାତ ଏବଂ ସୀତାବିଞ୍ଜ ଗୁମ୍ଫାର ଅନନ୍ୟ ଚିତ୍ର, ଘଟଗାଁ ନିକଟର ଟେରାକୋଟା ଗ୍ରାମ, ଗୁଣ୍ଡିଚାଘାଇ, ସାନଘାଗରା ଓ ବଡ଼ଘାଗରା ଜଳପ୍ରପାତ ଏବଂ କାଞ୍ଜିପାଣି ଘାଟି ଦେଖିବାକୁ ପାଇବେ ।
ତୃତୀୟ ପ୍ୟାକେଜ ‘ଟାଇଗର ଟ୍ରେଲ ଆଣ୍ଡ ରୟାଲ୍ଟି ଫ୍ରମ କୋଲକାତା ଟୁ ଶିମିଳିପାଳ’ରେ ପର୍ଯ୍ୟଟକଙ୍କ ୪୭୦ କିଲୋମିଟର (ତିନି ରାତି ଓ ଚାରି ଦିନ) ବୁଲିବାର ସୁଯୋଗ ମିଳିପାରିବ ।
ଏହି ଟ୍ରିପରେ ପର୍ଯ୍ୟଟକମାନେ ଭଞ୍ଜ ରାଜବଂଶର ବେଲଗାଡ଼ିଆ ରାଜପ୍ରାସାଦ, ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ, ସୀତାକୁଣ୍ଡ ଜଳପ୍ରପାତ, ଇକୋ ଟୁରିଜିମ ଜୋନ୍, ବରେହିପାଣି ଜଳ ପ୍ରପାତ (ଭାରତର ଦ୍ୱିତୀୟ ସର୍ବୋଚ୍ଚ) ଏବଂ ନୱାନା ଉପତ୍ୟକା ବୁଲିବାର ସୁଯୋଗ ପାଇବେ । ଏ ସମସ୍ତ ପର୍ଯ୍ୟଟନସ୍ଥଳ ମୟୂରଭଞ୍ଜ ଜିଲ୍ଲାରେ ଅଛି ।
ଲୋକାଲ ୱାୟାର
Leave a Reply