ଜଗତସିଂହପୁର, ଅକ୍ଟୋବର ୪ (ଲୋକାଲ ୱାୟାର): ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ କଂଗ୍ରେସ ଦଳର ସମସ୍ୟା ବଢ଼ିବାରେ ଲାଗିଛି ।
ଗତ ମାସରେ ପୂର୍ବତନ ବିଧାୟକ କୈଳାଶ ମଲ୍ଲିକଙ୍କ ସମେତ ୨୦ ନେତା ଦଳରୁ ଇସ୍ତଫା ଦେବା ପରେ ରାଜ୍ୟ କଂଗ୍ରେସ ଅନୁସୂଚିତ ଜାତି ସେଲର ଆବାହକ ଦେବେନ୍ଦ୍ର ମଲ୍ଲିକ ଓ କଂଗ୍ରେସ ନେତା କୃଷ୍ଣ ମଲ୍ଲିକ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଖକୁ ସେମାନେ ଇସ୍ତଫାପତ୍ର ପଠାଇଛନ୍ତି ।
୩୦ ବର୍ଷ ଧରି ଦଳ ପାଇଁ କାମ କରୁଥିଲେ ବି ଅନୁସୂଚିତ ବର୍ଗଙ୍କ ପାଇଁ ସଂରକ୍ଷିତ ତିର୍ତ୍ତୋଲ ଆସନରୁ ତାଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଚୟନ କରା ଯାଉନାହିଁ ।
ଅଣକଂଗ୍ରେସ ନେତାଙ୍କୁ ଦଳ ଟିକେଟ ଦେଉଥିବା ବେଳେ ନିଷ୍ଠାପର କର୍ମୀଙ୍କୁ ଦଳରେ ଅବହେଳା କରାଯାଉଛି ବୋଲି ଦେବେନ୍ଦ୍ର ନିଜ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି । ବିଜେଡିରେ ଯୋଗ ଦେଇ ସେ ଅନୁସୂଚିତ ସଂପ୍ରଦାୟର ସେବା କରିବେ ବୋଲି କହିଛନ୍ତି ।
ସେହିପରି ତୁଳଙ୍ଗ ପଂଚାୟତର କୃଷ୍ଣ ମଲ୍ଲିକ ମଧ୍ୟ ଦଳ ବିରୋଧରେ ସମାନ ଅଭିଯୋଗ ଆଣିଛନ୍ତି ।
ଗତ ମାସରେ ପୂର୍ବତନ ବିଧାୟକ କୈଳାଶ ମଲ୍ଲିକ, ପୂର୍ବତନ ତିର୍ତ୍ତୋଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଦୀପ୍ତ ନାୟକ, ରାଜକିଶୋର ବେହେରା ଓ ଅନ୍ୟ ୧୭ କଂଗ୍ରେସ ନେତା ଅବହେଳା ପ୍ରଦର୍ଶନ ଅଭିଯୋଗ କରି ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ ।
କଂଗ୍ରେସ ନେତାମାନଙ୍କ ଇସ୍ତଫା ଯୋଗୁଁ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଦଳର ସ୍ଥିତି ଦୁର୍ବଳ ହୋଇଛି । ଉପନିର୍ବାଚନ ଆଉ ଦିନ କେଇଟା ବାକି ଥିବା ବେଳେ ସଂଗଠନ ମଜବୁତ କରିବା କଂଗ୍ରେସ ପାଇଁ ଆହ୍ୱାନ ପାଲଟିଛି ।
ଦେବେନ୍ଦ୍ର ମଲ୍ଲିକ ତିର୍ତ୍ତୋଲ ଉପନିର୍ବାଚନରେ ଦଳୀୟ ଟିକେଟ ଆଶାୟୀ ଥିଲେ । ହେଲେ କଂଗ୍ରେସ ପୁରୁଖା ନେତାଙ୍କୁ ଅବହେଳା କରି ନୂତନ ଭାବେ ଦଳରେ ଯୋଗ ଦେଇଥିବା ହିଂମାଶୁ ମଲ୍ଲିକଙ୍କୁ ବିଧାୟକ ପ୍ରାର୍ଥୀ କରିଛି ।
ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ଏହି ନେତାମାନେ କଂଗ୍ରେସ ଛାଡିଛନ୍ତି । ଏହାର କୌଣସି ପ୍ରଭାବ ଦଳ ଉପରେ ପଡ଼ିବ ନାହିଁ । ଉପନିର୍ବାଚନରେ ଟିକେଟ ପାଇଁ ରାଜକିଶୋର ବେହେରା ଆବେଦନ କରିନଥିଲେ ।
ସେହିପରି ମଲ୍ଲିକଙ୍କ ଜିତିବା ସମ୍ଭାବନା କମ ଥିବାରୁ ଦଳ ଜଣେ ଯୁବ ନେତାଙ୍କୁ ପ୍ରାର୍ଥୀ କରିଛି । କାହାକୁ ଅବହେଳା କରିବାର ପ୍ରଶ୍ନ ଉଠୁନାହିଁ ବୋଲି ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ କହିଛନ୍ତି ।
ଦଳରେ ଥିବା ଅନ୍ୟ ଆଶାୟୀ ପ୍ରାର୍ଥୀମାନେ ମଧ୍ୟ ନିଜକୁ ଉପେକ୍ଷିତ ମନେ କରୁଛନ୍ତି । କିଛି ଆଶାୟୀ ଦଳ ଛାଡ଼ିଥିବା ବେଳେ ଆଉ କେତେକ ନିର୍ବାଚନ ପ୍ରଚାରରୁ ନିଜକୁ ଦୂରେଇ ରଖିଛନ୍ତି ।
ସ୍ଥାନୀୟ କଂଗ୍ରେସ ନେତାମାନେ ବିଧାୟକ ପ୍ରାର୍ଥୀ ଚୟନକୁ ନେଇ ଅସନ୍ତୁଷ୍ଟ ହୋଇଥିବାରୁ ବିଜେପି ଓ ବିଜେଡି ଦଳ ସେମାନଙ୍କୁ ଦଳରେ ସାମିଲ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।
ଲୋକାଲ ୱାୟାର
Leave a Reply