ପାରାଦୀପ, ଫେବ୍ରୁଆରୀ ୧୭ (ଲୋକାଲ ୱାୟାର): କେନ୍ଦ୍ର ମତ୍ସ୍ୟ ମନ୍ତ୍ରାଳୟ ଅନ୍ତର୍ଗତ କେନ୍ଦ୍ରୀୟ ସାମୁଦ୍ରିକ ମତ୍ସ୍ୟ ଗବେଷଣା ପ୍ରତିଷ୍ଠାନ (ସିଏମଏଫଆରଆଇ), କୋଚି ଓଡିଶା ଉପକୂଳରେ ସାମୁଦ୍ରିକ ଶୈବାଳ ଚାଷ ପାଇଁ ନିଷ୍ପତ୍ତି ନେଇଛନ୍ତି ।
ଏଥିପାଇଁ ଗତକାଲି ପାରାଦୀପ ଠାରେ ସର୍ବେକ୍ଷଣ ହୋଇଥିଲା । ସାମୁଦ୍ରିକ ମତ୍ସ୍ୟଜୀବିଙ୍କ ସାମାଜିକ ଅର୍ଥନୈତିକ ମାନ ଉନ୍ନତ କରିବା ପାଇଁ ଏହି ଉଦ୍ୟମ ଆରମ୍ଭ ହୋଇଛି ।
ସିଏମଏଫଆରଆଇ ମୁଖ୍ୟ ବୈଜ୍ଞାନିକ ରୀତା ଜୟଶଙ୍କରଙ୍କ ନେତୃତ୍ୱାଧୀନ ଦଳ ଶୈବାଳ ଚାଷ ସମ୍ପର୍କରେ ସ୍ଥାନୀୟ ମତ୍ସ୍ୟଜୀବି, ପାରାଦୀପ ମାଛଧରା ଜେଟି ପ୍ରବନ୍ଧକ ମନୋରଞ୍ଜନ ମହାପାତ୍ରଙ୍କ ସମେତ ଅନ୍ୟ ସାମୁଦ୍ରିକ ମତ୍ସ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହାସହିତ ବୈଜ୍ଞାନିକ ଦଳ ତଟରେଖା ସର୍ବେକ୍ଷଣ କରିଥିଲେ ।
ଏରସମା ବ୍ଲକ ଅନ୍ତର୍ଗତ ଗଡ଼କୁଜଙ୍ଗ ପଞ୍ଚାୟତର ନୋଳିଆସାହି ଓ ପାରାଦୀପ ମାଛଧରା ଜେଟିରେ ପରୀକ୍ଷାମୂଳକ ଭାବେ ସାମୁଦ୍ରିକ ଶୈବାଳ ଚାଷ କରାଯିବ ।
ଉଦ୍ୟମ ସଫଳ ହେଲେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ଏଥିରେ ସାମିଲ କରାଯିବ । ପୁରୀ ଜିଲ୍ଲାର ଅସ୍ତରଙ୍ଗ ଓ ଚନ୍ଦ୍ରଭାଗାରେ ଚାଷ ଆରମ୍ଭ ହୋଇଛି ।
ଏହି ଯୋଜନାରେ ଗଞ୍ଜାମ ଓ ବାଲେଶ୍ୱର ଜିଲ୍ଲାକୁ ମଧ୍ୟ ସାମିଲ କରାଯିବ ବୋଲି ସିଏମଏଫଆରଆଇ ମୁଖ୍ୟ ବୈଜ୍ଞାନିକ ରୀତା ଜୟଶଙ୍କର କହିଛନ୍ତି ।
ସାମୁଦ୍ରିକ ଶୈବାଳ ଚାଷ ପାଇଁ ଜମି, ମଧୁର ଜଳ, ସାର କିମ୍ବା କୀଟନାଶକ ଲୋଡ଼ା ନାହିଁ ।
ସମୁଦ୍ରର ସ୍ୱଚ୍ଛ ଜଳ ଓ ଛୋଟ ଢେଉ ଆସୁଥିବା ସ୍ଥାନରେ ଏହା ବଢ଼ିଥାଏ ବୋଲି ଉପନିଦେ୍ର୍ଦଶକ, ମତ୍ସ୍ୟ (ସାମୁଦ୍ରିକ), କୁଜଙ୍ଗ ମାନସ ରଞ୍ଜନ ସାହୁ କହିଛନ୍ତି ।
ଖାଦ୍ୟ, ଔଷଧ, ବୟନ ଶିଳ୍ପ, ସାର ତିଆରିରେ ଶୈବାଳର ଚାହିଦା ବଢୁଛି । ସାମୁଦ୍ରିକ ଶୈବାଳରେ ଥିବା ଦୁଇ ପ୍ରକାରର ଆଂଟି ଅକ୍ସିଡାଂଟ କ୍ୟାନସର ପ୍ରତିରୋଧ କରିଥାଏ ।
କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅନ୍ତର୍ଗତ ସାମୁଦ୍ରିକ ଶୈବାଳ ଚାଷ ପାଇଁ ୬୩୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।
ଲୋକାଲ ୱାୟାର
Leave a Reply