ଭୁବନେଶ୍ୱର, ଅଗଷ୍ଟ ୩୦(ଲୋକାଲ ୱାୟାର): ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ଡିଜିଟାଲ୍ ପୁସ୍ତକ ଚର୍ଚ୍ଚାରେ ନାଟ୍ୟ ପୁସ୍ତକ ‘ତଟ ନିରଞ୍ଜନା’ ଉପରେ ଆଲୋଚନା ହୋଇଛି ।
ଏହି ୱେବିନାର୍ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ବିଭାଗୀୟ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ମୁଖ୍ୟ ଅତିଥି ଭାବେ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଯୋଗ ଦେଇଥିଲେ ।
ସ୍ୱାଗତ ସମ୍ଭାଷଣ ଦେଇଥିଲେ ବିଭାଗୀୟ ନିର୍ଦ୍ଦେଶକ ବିଜୟ କୁମାର ନାୟକ । କାର୍ଯ୍ୟକ୍ରମର ଆବାହକ ଥିଲେ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ଭାଗ୍ୟଲିପି ମଲ୍ଲ ।
କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ କଟକର ରଣଜିତ୍ ପଟ୍ଟନାୟକ ଏବଂ ସମ୍ମାନିତ ବକ୍ତା ଭାବେ ରାଉରକେଲାରୁ ରାଜୀବ ପାଣି, ଭୁବନେଶ୍ୱରରୁ ପ୍ରଫେସର ନବୀନ ପରିଡ଼ା, ରାୟଗଡ଼ାରୁ ଡ. ନରେନ୍ଦ୍ର କୁମାର ମିଶ୍ର, ସମ୍ବଲପୁରରୁ ସତ୍ୟରଞ୍ଜନ ବେହେରା ଏବଂ ଭୁବନେଶ୍ୱରରୁ ହରେନ୍ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ଚର୍ଚ୍ଚା ହୋଇଥିବା ‘ତଟ ନିରଞ୍ଜନା’ ପୁସ୍ତକର ରଚୟିତା ଥିଲେ ପ୍ରଥିତଯଶା ନାଟ୍ୟକାର ବିଜୟ ମିଶ୍ର । ନାଟକର ଚରିତ୍ର ଚୟନ ଏବଂ ବିଷୟବସ୍ତୁର ଅବତାରଣା ଦୃଷ୍ଟିରୁ ନାଟକ ସଂରଚନାରେ ସେ ଥିଲେ ସିଦ୍ଧହସ୍ତ ।
ଜଣେ ବ୍ୟକ୍ତିର ଅନୁଷ୍ଠାନ ସହିତ ସମ୍ପର୍କ ଏବଂ ଅନୁଷ୍ଠାନର ବ୍ୟକ୍ତି ଉପରେ ପ୍ରଭାବ ତା’ ଭିତରେ ନାଟକୀୟ ସଂଘାତ ‘ତଟ ନିରଞ୍ଜନା’ ନାଟକର ଏକ ମୁଖ୍ୟ ବିଭବ ବୋଲି ବକ୍ତାମାନେ ଅଭିବ୍ୟକ୍ତ କରିଛନ୍ତି ।
ୱେବିନାରରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଶ୍ରୋତା ଓ ଗବେଷକମାନେ ଅଂଶଗ୍ରହଣ କରିବା ସହିତ ଦେଶର ବିଭିନ୍ନ ରାଜ୍ୟରୁ ଯଥା; ହାଇଦ୍ରାବାଦ, ପୁନେ, ଦିଲ୍ଲୀ, ଛତିଶଗଡ଼ ପ୍ରଭୃତି ସ୍ଥାନରୁ ମଧ୍ୟ ଯୋଡ଼ି ହୋଇଥିଲେ ।
ଆମେରିକା, ଟରଣ୍ଟୋ, କାନାଡ଼ାରୁ ମଧ୍ୟ ବହୁ ପ୍ରବାସୀ ସାମିଲ ହୋଇଥିଲେ । ୱେବିନାରର ସଫଳତା କାମନା ସହ କାର୍ଯ୍ୟକ୍ରମରେ ବିଭାଗର ପ୍ରାକ୍ତନ ପ୍ରମୁଖ ଶାସନ ସଚିବ ତଥା ଭୁବନେଶ୍ୱରର ମୁଖ୍ୟ ଆୟକର କମିଶନର ମନୋରଞ୍ଜନ ଅଂଶଗ୍ରହଣ କରିଥିଲେ ।
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ, ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ର ଭାଗ ନେଇଥିଲେ । ଶେଷରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଧନ୍ୟବାଦ ଦେଇଥିଲେ ।
ଲୋକାଲ ୱାୟାର
Leave a Reply